କାମେରୁନ୍କୁ ହରାଇଲା ସ୍ୱିଜରଲାଣ୍ଡ

ଫିଫା ବିଶ୍ୱକପ୍ ୨୦୨୨
ଅଲ୍-ୱାକ୍ରା (କତର), ୨୪ା୧୧ (ଏଜେନ୍ସି): ଫିଫା ବିଶ୍ୱକପ୍ ୨୦୨୨ରେ କାମେରୁନ୍କୁ ୧-୦ରେ ପରାସ୍ତ କରିଛି ସ୍ୱିଜରଲାଣ୍ଡ । ଗୁରୁବାର ଅଲ୍-ଜନୁବ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ଗ୍ରୁପ୍-ଜି ମ୍ୟାଚ୍ରେ ମଧ୍ୟାନ୍ତରର କିଛି ସମୟ ପରେ ବ୍ରୀଲ୍ ଏମ୍ବୋଲୋ ଏହି ଗୋଲ୍ ସ୍କୋର୍ କରିଥିଲେ । ସ୍ୱିସ୍ ଗୋଲ୍କିପର୍ ୟାନ୍ ସୋମର୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଏମ୍ବୋଲୋ ଗୋଲ୍ ଦେବା ପରେ ଖୁସି ମନାଇ ନ ଥିଲେ ଏବଂ କ୍ଷମାପ୍ରାର୍ଥନା ସୂଚକ ଭଙ୍ଗିରେ ଛିଡ଼ା ହୋଇଥିଲେ । ଏମ୍ବୋଲୋ କାମେରୁନ୍ରେ ଜନ୍ମଗ୍ରହଣ କରିଥିଲେ, ହେଲେ ସେ ଏବେ ସ୍ୱିଜରଲାଣ୍ଡ ପକ୍ଷରୁ ଖେଳୁଛନ୍ତି ।
ଏମ୍ବୋଲୋଙ୍କୁ ଯେତେବେଳେ ମାତ୍ର ପାଞ୍ଚ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ବାପା-ମାଆ ଅଲଗା ହୋଇଯାଇଥିଲେ । ସେ ମାଆଙ୍କ ସହ ପ୍ରଥମେ ଫ୍ରାନ୍ସ ଓ ଏହାପରେ ସ୍ୱିଜରଲାଣ୍ଡକୁ ଚାଲି ଆସିଥିଲେ । ତାଙ୍କୁ ସ୍ୱିଜରଲାଣ୍ଡର ନାଗରିକତ୍ୱ ମିଳିଥିଲା ଏବଂ ସେ ପରବର୍ତ୍ତୀ ସମୟରେ ସେଠାକାର ଜାତୀୟ ଫୁଟ୍ବଲ୍ ଟିମ୍ରେ ସ୍ଥାନ ପାଇଥିଲେ ।
ସ୍ୱିଜରଲାଣ୍ଡ ବିପକ୍ଷରେ କାମେରୁନ୍ ପ୍ରଥମାର୍ଦ୍ଧରେ ଆଧିପତ୍ୟ ବିସ୍ତାର କରିଥିଲା; ହେଲେ ବହୁ ସୁଯୋଗ ହାତଛଡ଼ା କରିଥିବାରୁ ଅଗ୍ରଣୀ ହାସଲ କରିପାରି ନ ଥିଲା । ମଧ୍ୟାନ୍ତର ସୁଦ୍ଧା ଡେଡ୍ଲାଇନ୍ ଭାଙ୍ଗି ନ ଥିଲା । ତେବେ ୪୮ତମ ମିନିଟ୍ରେ ଜେର୍ଦାନ୍ ଶାକିରିଙ୍କ କ୍ରସ୍ରେ ୨୫ ବର୍ଷୀୟ ଏମ୍ବୋଲୋ ସ୍ୱିସ୍ ଟିମ୍କୁ ଅଗ୍ରଣୀ କରିଥିଲେ ।
ବିଶ୍ୱକପ୍ ପାଇଁ ପ୍ଲେଅଫ୍ରେ ଆଲ୍ଜେରିଆକୁ ବିଦା କରିଥିବା କାମେରୁନ୍ ପ୍ରଥମ ୪୫ ମିନିଟ୍ରେ ଦ୍ରୁତ ସଂଯୋଜନା, ବେଗ ଓ ଶକ୍ତି ବଳରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା । ମ୍ୟାଚ୍ର ୧୦ ମିନିଟ୍ ପରେ ଟିମ୍ ପାଇଁ ପ୍ରଥମ ସୁଯୋଗ ଆସିଥିଲା । ବ୍ରାଏନ୍ ଏମ୍ବେଉମୋ ପ୍ରତିପକ୍ଷ ଗୋଲ୍କିପର୍ ୟାନ୍ ସୋମର୍ଙ୍କ ପରୀକ୍ଷା ନେଇଥିଲେ । ଏହା ପୂର୍ବରୁ କାର୍ଲ ଟୋକୋଙ୍କ ରିବାଉଣ୍ଡ ବାର୍ ଉପର ଦେଇ ଚାଲି ଯାଇଥିଲା । ସ୍ୱିସ୍ ଟିମ୍ ପୁଣି ଥରେ ସମସ୍ୟାରେ ପଡ଼ିଥିଲା ଯେତେବେଳେ ଇନ୍-ଫର୍ମ ଫର୍ୱାର୍ଡ ଏରିକ୍ ମାକ୍ସିମ୍ ଚୌପୋ-ମୋଟିଂ ପ୍ରତିପକ୍ଷ ଠାରୁ ବଲ୍ ଛଡ଼ାଇନେଇ ଗୋଲ୍ପୋଷ୍ଟକୁ ସଟ୍ ମାରିଥିଲେ । ସେଠାରେ କେବଳ ସୋମର୍ ଉପସ୍ଥିତ ଥିଲେ, ଯିଏକି କାମେରୁନ୍ର ପ୍ରୟାସକୁ ବିଫଳ କରିଦେଇଥିଲେ । ୨୦ ବର୍ଷ ମଧ୍ୟରେ ବିଶ୍ୱକପ୍ରେ ପ୍ରଥମ ବିଜୟ ସନ୍ଧାନରେ ଥିବା କାମେରୁନ୍ ଟିମ୍ ସାହସିକ ପ୍ରଦର୍ଶନ କରିଥିବା ବେଳେ ସ୍ୱିସ୍ ଟିମ୍ କ୍ୱଚିତ୍ ପ୍ରତିପକ୍ଷର ବକ୍ସ ଭିତରେ ପ୍ରବେଶ କରିଥିଲା ।
ପୂର୍ବ ଦୁଇ ବିଶ୍ୱକପ୍ରେ ରାଉଣ୍ଡ-୧୬ରେ ସ୍ଥାନ ପାଇଥିବା ସ୍ୱିଜର୍ଲାଣ୍ଡ ଦ୍ୱିତୀୟାର୍ଦ୍ଧରୁ ହିଁ ଭଲ ପ୍ରଦର୍ଶନ କରିଥିଲା । ଏମ୍ବୋଲୋ ଟିମ୍କୁ ଅଗ୍ରଣୀ କରିବା ପରେ ସ୍ୱିସ୍ ଟିମ୍ ପାଖରେ ଆଉ ଏକ ସୁଯୋଗ ଥିଲା । କିନ୍ତୁ ରୁବେନ୍ ଭର୍ଗାସ୍ଙ୍କ ସଟ୍କୁ କାମେରୁନ୍ ଗୋଲ୍କିପର୍ ଆନେ୍ଦ୍ର ଓନାନା ୱାଇଡ୍ କରିଦେଇଥିଲେ ।
ପୂରା ମ୍ୟାଚ୍ରେ ସ୍ୱିଜରଲାଣ୍ଡ ଗୋଲ୍ ଆଡ଼କୁ ୬ ସଟ୍ ମାରିଥିବା ବେଳେ କାମେରୁନ୍ ୮ ସଟ୍ ମାରିଥିଲା । ଏହାସତ୍ତ୍ୱେ କାମେରୁନ୍ ଟିମ୍ ଭଲ ଫିନିଶ୍ କରିପାରି ନ ଥିଲା ଏବଂ ମ୍ୟାଚ୍ ଜିତିବାରେ ବିଫଳ ହୋଇଥିଲା । ସ୍ୱିଜରଲାଣ୍ଡ ସୋମବାର ନିଜ ପରବର୍ତ୍ତୀ ମ୍ୟାଚ୍ରେ ବ୍ରାଜିଲ୍ ଏବଂ କାମେରୁନ୍ ଟିମ୍ ସର୍ବିୟାକୁ ଭେଟିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *