ଭାରତର ବୃହତ୍ ବିଜୟ

ଏସିଆ କପ୍ ୨୦୨୩
କଲମ୍ବୋ, ୧୧ ।୯ (ଏଜେନ୍ସି): ଆଜି ସଂରକ୍ଷିତ ଦିବସରେ ବର୍ଷା ଛାଡ଼ିବାକ୍ଷଣି ବିରାଟ କୋହଲି ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଛନ୍ତି । ବର୍ଷା ଛାଡ଼ିବା ପରେ ପାକିସ୍ତାନ ବୋଲରଙ୍କୁ ଧୂଲେଇ କରିଛନ୍ତି ଭାରତୀୟ ଦୁଇ ବ୍ୟାଟ୍ସମ୍ୟାନ୍ । ବିରାଟ କୋହଲି ଓ କେଏଲ ରାହୁଲଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ରନର ବର୍ଷା । ରବିବାର ରୋହିତ ଶର୍ମା ଓ ଶୁବମନ ଗିଲ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ବର୍ଷା ହେବାରୁ ପାକିସ୍ତାନ ବୋଲର କାଲି ଧୂଲେଇରୁ ରକ୍ଷା ପାଇ ଯାଇଥିଲେ । କିନ୍ତୁ ଆଜି ସଂରକ୍ଷିତ ଦିବସରେ ବର୍ଷା ଛାଡ଼ିବାକ୍ଷଣି ବିରାଟ କୋହଲି ଓ କେଏଲ ରାହୁଲ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ । ଭାରତ ରବିବାର ଖେଳ ବନ୍ଦ ହେବା ବେଳକୁ ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା । ଆଜି ସେହିଠାରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ବିରାଟ ଓ ରାହୁଲ ନିଜର ଜଲୱା ଦେଖାଇଥିଲେ । ଏଥିସହ ନିଜ ନିଜର ଶତକ ମଧ୍ୟ ହାସଲ କରିଛନ୍ତି । ତୃତୀୟ ୱିକେଟ ପାଇଁ ଉଭୟ ରେକର୍ଡ ବ୍ରେକିଂ ପାର୍ଟନରଶିପ ମଧ୍ୟ କରିଛନ୍ତି । ଉଭୟ ଆଜି ପାକିସ୍ତାନ ପକାଇଥିବା ୨୫.୫ ଓଭର ଦୁଇ ଜଣ ଯାକ ଖେଳିଛନ୍ତି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ କରିଛି । ଫଳରେ ପାକିସ୍ତାନକୁ ଏସିଆ କପର ଏହି ସୁପର ୪ ମୁକାବିଲା ଜିତିବା ପାଇଁ ୩୫୭ ରନର ଟାର୍ଗେଟ ମିଳିଛି ।
ଆଜିର ଖେଳରେ ବିରାଟ ଶେଷ ଯାଏ ୯୪ ବଲରେ ୧୨୨ ଓ ରାହୁଲ ୧୦୬ ବଲରେ ୧୧୧ ରନ କରି ଅପରାଜିତ ରହିଥିଲେ । ଆଜି ଦିନ ୩ଟାରେ ମ୍ୟାଚ୍ ଆରମ୍ଭ ହେବାର ଥିଲା । କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍ ୪.୪୦ରେ ଆରମ୍ଭ ହୋଇଥିଲା । ପ୍ରଥମ କିଛି ଓଭର ରାହୁଲ ଓ ବିରାଟ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ । ଏହାପରେ କିନ୍ତୁ ଉଭୟ ପାକିସ୍ତାନ ବୋଲରମାନଙ୍କୁ ଆଟାକ କରିଥିଲେ । ଆଜି ହାରିସ ରୌଫ ଆହତ ଯୋଗୁ ଆଦୌ ବୋଲିଂ କରି ନାହାନ୍ତି । ତାଙ୍କ ବଦଳରେ ଇଫ୍ତକାର ଅହମ୍ମଦ କିଛି ଓଭର ବୋଲିଂ କରିଥିଲେ । ଏହାର ଫାଇଦା ବିରାଟ ଓ ରାହୁଲ ଉଠାଇଥିଲେ । ପ୍ରଥମେ ରାହୁଲ ୬୦ ବଲରେ ନିଜର କମବ୍ୟାକ ମ୍ୟାଚର ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ ମଧ୍ୟ ୫୫ ବଲରେ ୫୦ ରନ ପୂରଣ କରିଥିଲେ । ଅର୍ଦ୍ଧଶତକ ହାସଲ କରିବା ପରେ ଉଭୟ ବଡ଼ବଡ଼ ସଟ ଖେଳିବା ଆରମ୍ଭ କରି ଦେଇଥିଲେ । ଏଥିସହ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଇନିଂସର ୪୫ତମ ଓଭରରେ ଭାରତର ସ୍କୋର ୩୦୦ ଛୁଇଁଥିଲା । ଏହି ସମୟରେ ରାହୁଲ ୯୫ ଓ ବିରାଟ ୮୩ ରନରେ ବ୍ୟାଟିଂ କରୁଥିଲେ । ୪୬ତମ ଓଭର ବୋଲିଂ କରିବାକୁ ଆସିଥିଲେ ଶାହୀନ ଶାହ ଆଫ୍ରିଦି । ଏହି ଓଭରରେ ସେ ମାତ୍ର ୬ ରନ ଦେଇଥିଲେ । ୪୭ତମ ଓଭର ବୋଲିଂ କରିବାକୁ ଆସିଥିଲେ ନଶୀମ ଶାହ । ତାଙ୍କର ପ୍ରଥମ ବଲରେ ୧ ରନ ନେଇ ରାହୁଲ ବ୍ୟକ୍ତିଗତ ୯୮ ରନରେ ପହଞ୍ଚିଥିଲେ । ତେବେ କୋହଲି ତାଙ୍କୁ ଛକା ମାରି ବ୍ୟକ୍ତିଗତ ୯୬ ରନ ପୂରଣ କରିଥିଲେ । ଏହାର ପରବର୍ତ୍ତୀ ବଲରେ ସେ ୧ ରନ ନେଇଥିଲେ । ଶମୀଙ୍କ ଶେଷ ବଲରେ ରାହୁଲ ୨ ରନ ନେଇ ନିଜର ଶତକ ହାସଲ କରିଥିଲେ । ଆହତ ସମସ୍ୟା ଯୋଗୁ ରାହୁଲ ଦୀର୍ଘ ଦିନ ହେଲା ଟିମରୁ ବାଦ ପଡ଼ିଥିଲେ । ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ କମବ୍ୟାକ୍ କରିବା ସହ ନିଜର ଶତକ ମଧ୍ୟ ହାସଲ କରିଛନ୍ତି । ସେ ୧୦୦ ବଲରେ ୧୦୦ ରନ ପୂରଣ କରିଥିଲେ । ୪୭ ଓଭର ଶେଷ ସୁଦ୍ଧା ଭାରତ ୩୧୯ ରନ କରିନେଇଥିଲା । ୪୮ତମ ଓଭରରେ ଶାହୀନ ପୁଣି ବୋଲିଂ କରିବାକୁ ଆସିଥିଲେ । ସେ ତାଙ୍କ ଦ୍ୱିତୀୟ ବୋଲରେ ୨ ରନ ନେଇ ନିଜ ଦିନିକିଆ କ୍ୟାରିୟରରେ ୧୩ ହଜାର ରନ ପୂରଣ କରିଥିଲେ । ତୃତୀୟ ବଲରେ ୧ ରନ ନେଇ ସେ ନିଜର ୪୭ ତମ ଦିନିକିଆ ଶତକ ମଧ୍ୟ ହାସଲ କରିଥିଲେ । ଏହା ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ୭୭ତମ ଶତକ । ଶାହୀନ ଏହି ଓଭରରେ ମୋଟ ୧୧ ରନ ଦେଇଥିଲେ । ୪୯ମ ଓଭର ନଶୀମ ବୋଲିଂ କରିବାକୁ ଆସିଥିଲେ । କିନ୍ତୁ ସେ ଦୁଇଟି ବଲ ପକାଇବା ପରେ ଆହତ ଯୋଗୁ ପଡ଼ିଆ ଛାଡ଼ିଥିଲେ । ତାଙ୍କ ଓଭର ଶେଷ କରିବାକୁ ଇଫତକାର ଆସିଥିଲେ । ନଶୀମ ଓ ଇଫତକାର ମିଳିତ ଭାବେ ଏହି ଓଭରରେ ୮ ରନ ଦେଇଥିଲେ । ଶେଷ ଓଭରେ ଫୈମ ଅଶରଫ ଭଲ ଆରମ୍ଭ କରିଥିଲେ । ସେ ପ୍ରଥମ ଦୁଇ ବଲରେ କେବଳ ୨ ରନ ଦେଇଥିଲେ । ଭାରତର ସ୍କୋର ମଧ୍ୟ ୩୪୦ ପହଞ୍ଚିଥିଲା । ତୃତୀୟ ବଲରେ ମଧ୍ୟ ୧ ରନ ହୋଇଥିଲା । ୪ର୍ଥ ବଲରେ ବିରାଟ କୌଣସି ରନ ହାସଲ କରି ପାରି ନଥିଲେ । ୫ମ ବଲରେ ବିରାଟ ଚୌକା ମାରିଥିବା ବେଳେ ଏହା ନୋ ବଲ ହୋଇଥିଲା । ଫଳରେ ଫ୍ରି ହିଟରେ ସେ ପୁଣି ଚୌକା ମାରିଥିଲେ । ଭାରତର ସ୍କୋର ୩୫୦ରେ ପହଞ୍ଚି ଯାଇଥିଲା । ଶେଷ ବଲରେ ବିରାଟ ଛକା ମାରି ଇନିଂସ ଶେଷ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ପାକିସ୍ତାନୀ ବୋଲର ୨୫.୫ ଓଭର ବୋଲିଂ କରିଥିବା ବେଳେ କୌଣସି ବି ୱିକେଟ ଦଖଲ କରିବାକୁ ସକ୍ଷମ ହୋଇ ନାହାନ୍ତି । ପାକିସ୍ତାନ ବ୍ୟାଟିଂ ଆରମ୍ଭ କରି ୧୧ ଓଭରରେ ୪୪ରନ୍ରେ ୨ ୱିକେଟ୍ ଯାଇଥିବା ବେଳେ ପୁଣି ବର୍ଷା ଆରମ୍ଭ ହୋଇଥିଲା । ଫଳରେ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ବର୍ଷା ଛାଡ଼ିବା ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ ୫୦ ଓଭର ଖେଳ ହେବାକୁ ଥିବାବେଳେ ୩୨ ଓଭରରେ ସମସ୍ତ ୱିକେଟ୍ ହରାଇ ପାକିସ୍ତାନ ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତ ବିଶାଳ ବିଜୟ ଲାଭ କରିଛି । ଭାରତ ପକ୍ଷରୁ କୁଳଦ୍ୱୀପ ଯାଦବ ସର୍ବାଧିକ ୫ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *