ଷ୍ଟପେଜ୍ ଟାଇମ୍ରେ ଜିତିଲା ଇରାନ

ଫିଫା ବିଶ୍ୱକପ୍ ୨୦୨୨
ଅଲ୍-ରୟାନ୍ (କତର), ୨୫ା୧୧ (ଏଜେନ୍ସି): ଷ୍ଟପେଜ୍ ଟାଇମ୍ରେ ଦୁଇଟି ଗୋଲ୍ କରି ଇରାନ୍ ଶୁକ୍ରବାର ଫିଫା ବିଶ୍ୱକପ୍ ୨୦୨୨ର ଗ୍ରୁପ୍-ବି ମ୍ୟାଚ୍ରେ ୱେଲ୍ସକୁ ୨-୦ରେ ପରାସ୍ତ କରିଛି । ଏହି ବିଜୟ ସହ ଇରାନ୍ ବିଶ୍ୱକପ୍ ନକ୍ଆଉଟ୍କୁ ଯିବାର ଆଶା ଉଜ୍ଜୀବିତ ରଖିଛି । ୱେଲ୍ସର ତାରକା ଗାରେଥ୍ ବାଲେ ଟିମ୍ ପକ୍ଷରୁ ୧୧୦ତମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ ।
ଏହି ବିଜୟ ପରେ ଇରାନ ଦୁଇ ମ୍ୟାଚ୍ରୁ ତିନି ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୱେଲ୍ସ ଦୁଇ ମ୍ୟାଚ୍ରୁ ୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ମଙ୍ଗଳବାର ୱେଲ୍ସ ଟିମ୍ ଇଂଲଣ୍ଡକୁ ଓ ଇରାନ୍ ଟିମ୍ ଆମେରିକାକୁ ଭେଟିବ ।
ଅହମଦ ବିନ୍ ଅଲୀ ଷ୍ଟାଡିୟମ୍ ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଷ୍ଟପେଜ୍ ଟାଇମ୍ର ଅଷ୍ଟମ ମିନିଟ୍ରେ ଇରାନର ରୁବେ ଚେଶମୀ (୯୦+୮) ଗୋଲ୍ କରି ଡେଡ୍ଲକ୍ ଭାଙ୍ଗିଥିଲେ । ଚେଶମୀ ୱେଲ୍ସର ଡିଫେଣ୍ଡର୍ ଆଲାନ୍ଙ୍କୁ ଚକମା ଦେଇ ରାଇଟ୍ କର୍ଣ୍ଣର ଆଡ଼କୁ ବଲ୍ ନେଇକି ଦୌଡ଼ିଥିଲେ । ସେ ବକ୍ସ ବାହାରୁ ସଟ୍ ମାରି ଗୋଲ୍ କରିଥିଲେ । ୱେଲ୍ସର ବ୍ୟାକ୍ଅପ୍ ଗୋଲ୍କିପର୍ ଡାନି ୱାର୍ଡ ବଲ୍କୁ ଅଟକାଇବାରେ ବିଫଳ ହୋଇଥିଲେ ।
ରମିନ ରିଜାଏନ୍ (୯୦+୧୧) ଏହାର ତିନି ମିନିଟ୍ ପରେ ଇରାନ ପକ୍ଷରୁ ଦ୍ୱିତୀୟ ସ୍କୋର୍ କରିଥିଲେ । ଇରାନର ତରେମୀଙ୍କ ଠାରୁ ପାସ୍ ପାଇଁ ରିଜାଏନ୍ ଏହି ଗୋଲ୍ ଦେଇଥିଲେ । ଏହି ଗୋଲ୍ ପରେ ମ୍ୟାଚ୍ ଆଉ ଦୁଇ ମିନିଟ୍ ଚାଲିଥିଲା; କିନ୍ତୁ ଆଉ କୌଣସି ଗୋଲ୍ ହୋଇ ନ ଥିଲା ।
ଏହା ପୂର୍ବରୁ ମୁଖ୍ୟ ଗୋଲ୍କିପର୍ ୱେନ୍ ହେନେସେଙ୍କୁ ୮୬ତମ ମିନିଟ୍ରେ ରେଫରୀ ରେଡ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା । ଏହା କତର ବିଶ୍ୱକପ୍ର ପ୍ରଥମ ରେଡ୍ କାର୍ଡ ଥିଲା । ଇରାନ ଖେଳାଳି ଗୋଲ୍ କରିବା ପାଇଁ ୱେଲ୍ସର ଗୋଲ୍ପୋଷ୍ଟ ଆଡ଼କୁ ଆସୁଥିଲେ । ସେତେବେଳେ ଗୋଲ୍କିପର୍ ହେନେସେ ଗୋଲ୍ ବଞ୍ଚାଇବା ପାଇଁ ଖେଳାଳିଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଏହି କାରଣରୁ ରେଫରୀ ତାଙ୍କୁ ରେଡ୍ କାର୍ଡ ଦେଖାଇଥିଲେ । ତାଙ୍କୁ ପଡ଼ିଆ ଛାଡ଼ି ଯିବାକୁ ପଡ଼ିଥିଲା ।
ପ୍ରଥମାର୍ଦ୍ଧରେ ଇରାନ ଓ ୱେଲ୍ସର ରେକର୍ଡ ଏକାଭଳି ଥିଲା । ୱେଲ୍ସ ଗୋଲ୍ ଆଡ଼କୁ ଚାରି ସଟ୍ ମାରିଥିବା ବେଳେ ଦୁଇ ସଟ୍ ଟାର୍ଗେଟ୍କୁ ଯାଇଥିଲା । ଇରାନର ମଧ୍ୟ ଚାରିରୁ ଦୁଇ ସଟ୍ ଟାର୍ଗେଟ୍କୁ ଯାଇଥିଲା ।
ପ୍ରଥମାର୍ଦ୍ଧରେ ୱେଲ୍ସ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲା; କିନ୍ତୁ ଦ୍ୱିତୀୟାର୍ଦ୍ଧରେ ସେମାନଙ୍କ ଲୟ ବିଗିଡ଼ି ଯାଇଥିଲା । ସେମାନେ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ଏବଂ ବଲ୍କୁ ଆଗକୁ ନେଇପାରି ନ ଥିଲେ । ଏହା ସହିତ ୱେଲ୍ସ ପୂରା ମ୍ୟାଚ୍ରେ ୬୨ ପ୍ରତିଶତ ସମୟ ବଲ୍କୁ ନିଜ ପାଖରେ ରଖିଥିଲା; ହେଲେ ଗୋଲ୍ ଆଡ଼କୁ ୧୦ ସଟ୍ ମାରିଥିଲା । ଅନ୍ୟପଟେ, ଇରାନ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଏବଂ ଗୋଲ୍ ଆଡ଼କୁ ୨୧ ସଟ୍ ମାରିଥିଲା । ସେଥି ମଧ୍ୟରୁ ଦୁଇକୁ ଗୋଲ୍ରେ ପରିଣତ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *