୩ ବଡ଼ କମ୍ପାନୀର ସେୟାର ବିକିବେ ସରକାର
ନୂଆଦିଲ୍ଲୀ, ୨୫ା୧୧: ଏଲ୍ଆଇସି ପରେ କେନ୍ଦ୍ର ସରକାର ଆଉ ୩ଟି ବଡ ରାଷ୍ଟ୍ରାୟତ୍ତ କମ୍ପାନୀରେ ଥିବା ଅଂଶଧନ ବିକିବାକୁ ପ୍ରସ୍ତୁତ ହେଉଛନ୍ତି । ବ୍ଲୁମ୍ବର୍ଗ ରିପୋର୍ଟ ଅନୁଯାୟୀ, କୋଲ୍ ଇଣ୍ଡିଆ ଲିମିଟେଡ୍, ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ୍ ଓ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ୍ରେ ଅଫର୍ ଫର୍ ସେଲ୍ ମେକାନିଜିମ୍ ଜରିଆରେ ୫ରୁ ୧୦ ପ୍ରତିଶତ ସରକାରୀ ଅଂଶଧନ ବିକ୍ରି ପାଇଁ ବିଚାର ଚାଲିଛି । କୋଲ୍ ଇଣ୍ଡିଆ ପୃଥିବୀର ବୃହତ୍ତର କୋଇଲା କମ୍ପାନୀ । ହିନ୍ଦୁସ୍ତାନ ଜିଙ୍କ୍ ଏସିଆରେ ଜିଙ୍କ୍ର ସର୍ବବୃହତ ଉତ୍ପାଦକ କମ୍ପାନୀ । ସୂତ୍ର ଅନୁଯାୟୀ, ଏବେ ସେୟାର୍ ମାର୍କେଟ୍ ଖୁବ୍ ତେଜି ରେକର୍ଡ ସ୍ତରରେ ପହଞ୍ଚôଛି । ଏହି ସ୍ଥିତିରୁ ଫାଇଦା ଉଠାଇବାକୁ ଚାହୁଁଛନ୍ତି ମୋଦି ସରକାର । ସେୟାର ବିକ୍ରି ଦ୍ୱାରା ଚଳିତ ଆର୍ଥôକ ବର୍ଷର ଶେଷ ତ୍ରିମାସରେ ସରକାର ରାଜସ୍ୱ ବୃଦ୍ଧି ସହିତ ୬୫ ହଜାର କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି ।
ଅନ୍ୟ ଏକ ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଆଉ ୨ଟି କମ୍ପାନୀରୁ କିଛି ଅଂଶଧନ ବିକି ପାରନ୍ତି । ସେଥିରେ ରେଳ ମନ୍ତ୍ରାଳୟର ଏକ ଲିଷ୍ଟେଡ୍ କମ୍ପାନୀ ଅନ୍ତର୍ଭୁକ୍ତ । ବ୍ଲୁମ୍ବର୍ଗର ହିସାବ ଅନୁସାରେ ବର୍ତ୍ତମାନର ମୂଲ୍ୟରେ ବିକ୍ରିରୁ ସରକାର ପ୍ରାୟ ୧୬,୫୦୦ କୋଟି ପାଇପାରିବେ । ଏଥିରେ ସବ୍ସିଡି ବିଲ୍ ପାଇଁ ପାଣ୍ଠି ଯୋଗାଇବା ସମ୍ଭବ ହେବ । ୟୁକ୍ରେନ୍ରେ ଯୁଦ୍ଧ ଯୋଗୁଁ ସରକାରଙ୍କ ସବ୍ସିଡି ବିଲ୍ ବଢିଯାଇଛି । ତେବେ ଅଂଶଧନ ବିକ୍ରି ସମ୍ବନ୍ଧରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆସେଟ୍ ସେଲ୍ସ୍ରୁ ସରକାର ଯେଉଁ ୬୫ ହଜାର କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଥିଲେ, ଏପର୍ଯ୍ୟନ୍ତ ତାହାର ଏକତୃତୀୟାଂଶ ମିଳିଛି । ସେଥିରୁ ଅଧିକାଂଶ ଅର୍ଥ ଏଲ୍ଆଇସି ଆଇପିଓରୁ ଆସିଛି । ନିବେଶକଙ୍କ ମନ ଜିଣିବା ପାଇଁ ସରକାର ରୋଡ୍ ସୋ ଆୟୋଜନ ଆରମ୍ଭ କରିଛନ୍ତି । ଗତବର୍ଷ କୋଲ୍ ଇଣ୍ଡିଆ ସେୟାର୍ରେ ୪୬ ପ୍ରତିଶତ ଏବଂ ରାଷ୍ଟ୍ରୀୟ କେମିକାଲ୍ସ ସେୟାର୍ରେ ୫୮ ପ୍ରତିଶତ ବୃଦ୍ଧି ହୋଇଥିଲା । ଇତିମଧ୍ୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ସେନ୍ସେକ୍ସ ସେୟାରରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଘଟିଛି ।