ପ୍ରଥମ ଦିନିକିଆ ହାରିଲା ଧାବନ ସେନା

ଲାଥମ୍-ୱିଲିଅମ୍ସନ୍ଙ୍କ ୨୨୧ ରନ୍ର ଭାଗୀଦାରୀ ଲାଥମ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍
ଅକ୍ଲାଣ୍ଡ, ୨୫ା୧୧ (ଏଜେନ୍ସି): ଦିନିକିଆ କ୍ରିକେଟ୍ରେ ନୁ୍ୟଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ କ୍ରମାଗତ ପଞ୍ଚମ ପରାଜୟ ବରଣ କରିଛି । ଶୁକ୍ରବାର ଅକ୍ଲାଣ୍ଡ ଠାରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ କିୱି ଟିମ୍ ଭାରତକୁ ୭ ୱିକେଟ୍ରେ ମାତ୍ ଦେଇଛି ।
୩୦୭ ରନ୍ର ଟାର୍ଗେଟ୍ ନେଇ ଖେଳିଥିବା ନୁ୍ୟଜିଲାଣ୍ଡ ୪୭.୧ ଓଭର୍ ୩ ୱିକେଟ୍ ହରାଇ ୩୦୯ ରନ୍ କରି ବିଜୟୀ ହୋଇଥିଲା । ଟମ୍ ଲାଥମ୍ (୧୪୫) ଓ ଅଧିନାୟକ କେନ୍ ୱିଲିଅମ୍ସନ୍ (୯୪) ଚତୁର୍ଥ ୱିକେଟ୍ ପାଇଁ ୨୨୧ ରନ୍ର ଅପରାଜିତ ଭାଗୀଦାରୀ କରିଥିଲେ । ଇତ୍ୟବସରେ ୱିଲିଅମ୍ସନ୍ ଘରୋଇ ଗ୍ରାଉଣ୍ଡରେ ୩,୦୦୦ ଦିନିକିଆ ରନ୍ ପୂରଣ କରିଥିଲେ । ଲାଥମ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
୮୮ ରନ୍ରେ ୩ ୱିକେଟ୍ ପଡ଼ିବା ପରେ ୱିଲିଅମ୍ସନ୍ ଓ ନୂଆ ବ୍ୟାଟର୍ ଲାଥମ୍ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଉଭୟ ଇନିଂସ୍କୁ ୧୦୦, ୨୦୦ ଓ ଏହାପରେ ୩୦୦ ଅତିକ୍ରମ କରାଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ ।
ଟିମ୍ର ଓପନିଂ ଯୋଡ଼ି ୩୫ ରନ୍ରେ ଭାଙ୍ଗିଥିଲା । ଫିନ୍ ଆଲେନ୍ ୨୨ ରନ୍ କରି ଶାର୍ଦ୍ଦୂଳ ଠାକୁରଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅନ୍ୟତମ ଓପନର୍ ବ୍ୟକ୍ତିଗତ ୨୪ ରନ୍ରେ ଉମରାନ ମଲିକଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଡାରିଲ୍ ମିଚେଲ୍ (୧୧) ମଧ୍ୟ ଉମରାନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଭାରତୀୟ ବୋଲର୍ଙ୍କ ମଧ୍ୟରେ ଅର୍ଶଦୀପ, ୱାଶିଂଟନ୍ ସୁନ୍ଦର ଓ ଯୁଜବେନ୍ଦ୍ର ଚହଲ କୌଣସି ୱିକେଟ୍ ପାଇ ନ ଥିଲେ । ଅର୍ଶଦୀପ ସର୍ବାଧିକ ୮.୩୨ ଇକୋନୋମୀ ରେଟ୍ରେ ବୋଲିଂ କରିଥିଲେ ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ଧାର୍ଯ୍ୟ ୫୦ ଓଭର୍ରେ ୭ ୱିକେଟ୍ ହରାଇ ୩୦୬ ରନ୍ ସଂଗ୍ରହ କରିଥିଲା ।
ଅଧିନାୟକ ଶିଖର ଧାବନ୍ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ଦୃଢ଼ ପ୍ରଦର୍ଶନ କରି ୧୨୪ (୧୩୯ ବଲ୍ରୁ) ରନ୍ର ଭାଗୀଦାରୀ କରିଥିଲେ । ଶୁଭମନ ୬୫ ବଲ୍ରୁ ୫୦ ରନ୍ କରି ଆଲେକ୍ସ ଫର୍ଗସୁନ୍ଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଧାବନ୍ ୭୭ ବଲ୍ରୁ ୭୨ ରନ୍ କରି ଟିମ୍ ସାଉଦୀଙ୍କ ଶିକାର ହୋଇଥିଲେ ।
ଏହାପରେ ଶ୍ରେୟାସ ଆୟର ଓ ରିଷଭ ପନ୍ତଙ୍କ ଯୋଡ଼ି ବେଶୀ ବାଟ ଯାଇ ନ ଥିଲା । ପନ୍ତ ଟି-୨୦ ପରେ ଦିନିକିଆ ମ୍ୟାଚ୍ରେ ବି ବିଫଳ ହୋଇଥିଲେ । ସେ ୧୫ ରନ୍ କରି ଫର୍ଗୁସନ୍ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ପରବର୍ତ୍ତୀ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ବି ଫ୍ଲପ୍ ହୋଇଥିଲେ । ସେ ମାତ୍ର ୩ ରନ୍ କରିଥିଲେ । ତାଙ୍କ ୱିକେଟ୍ ମଧ୍ୟ ଫର୍ଗୁସନ୍ଙ୍କ ଖାତାକୁ ଯାଇଥିଲା । ୧୫୬ ରନ୍ରେ ଟିମ୍ ୪ ୱିକେଟ୍ ହରାଇଥିଲା ।
ଏହାପରେ ଶ୍ରେୟାସ ନୂଆ ବ୍ୟାଟର୍ ସଞ୍ଜୁ ସାମ୍ସନ୍ଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ପଞ୍ଚମ ୱିକେଟ୍ ପାଇଁ ୯୪ ରନ୍ର ଭାଗୀଦାରୀ କରିଥିଲେ । ସାମ୍ସନ୍ ୩୬ ରନ୍ର ଇନିଂସ୍ ଖେଳି ଆଦାମ୍ ମିଲ୍ନେଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଟିମ୍ର ସ୍କୋର୍ ୩୦୦ ହୋଇଥିବା ବେଳେ ଶ୍ରେୟାସଙ୍କ ଉଜ୍ଜ୍ୱଳ ଇନିଂସ୍ର ଅନ୍ତ ଘଟାଇଥିଲେ ସାଉଦୀ । ଶ୍ରେୟାସ ୭୬ ବଲ୍ରୁ ୪ ଚୌକା ଓ ୪ ଛକା ସହିତ ୮୦ ରନ୍ କରିଥିଲେ । ଶେଷ ଓଭର୍ର ଶେଷ ବଲ୍ରେ ସାଉଦୀ, ଠାକୁର (୧)ଙ୍କ ୱିକେଟ୍ ନେଇଥିଲେ । ସୁନ୍ଦର ୧୬ ବଲ୍ରୁ ୩ ଲେଖାଏଁ ଚୌକା ଓ ଛକା ସହାୟତାରେ ୩୭ ରନ୍ କରି ଅପରାଜିତ ଥିଲେ ।
ନୁ୍ୟଜିଲାଣ୍ଡର ସାଉଦୀ ଓ ଫର୍ଗୁସନ୍ ୩ ଲେଖାଏଁ ଏବଂ ମିଲ୍ନେ ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *