ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦ୍’ ନାରା
‘ଭାରତ ଯୋଡ଼ୋ ଯାତ୍ରା’ରେ ପୁଣି ଏକ ନୂଆ ବିବାଦ
କଂଗ୍ରେସ-ବିଜେପି ମୁହାଁମୁହିଁ
ନୂଆଦିଲ୍ଲୀ/ଭୋପାଳ (ଏଜେନ୍ସି): ସମ୍ପ୍ରତି ମଧ୍ୟପ୍ରଦେଶରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା’ ଜାରି ରହିଛି । ଶୁକ୍ରବାର ଯାତ୍ରାର ୩ୟ ଦିବସ ରହିଥିବା ବେଳେ ଏହି ସମୟରେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ଭାରତ ଯୋଡ଼ୋ ଯାତ୍ରାରେ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଜିନ୍ଦାବାଦ୍ ସ୍ଲୋଗାନ୍ବାଜି କରାଯାଇଥିବା ପ୍ରଦେଶ ବିଜେପି ଅଭିଯୋଗ ଆଣିଛି । ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବୀୟ ଶୁକ୍ରବାର ଏହି ଅଭିଯୋଗ କରିଛନ୍ତି । ବିଜେପି ନେତାମାନେ କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରାର ଏକ ଭିଡିଓ କ୍ଲିପ୍କୁ ସୋସିଆଲ ମିଡିଆରେ ଅପଲୋଡ୍ କରିବା ସହ ରାହୁଲଙ୍କ କାର୍ଯ୍ୟକ୍ରମରେ ପାକିସ୍ତାନ ଜିନ୍ଦାବାଦ’ ଭଳି ଦେଶଦ୍ରୋହୀ ନାରାବାଜି କରାଯାଇଥିବା ଅଭିଯୋଗ କରିଛନ୍ତି । ତେବେ ବିଜେପି ନେତାଙ୍କ ଏପ୍ରକାର ଅଭିଯୋଗ ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ କଂଗ୍ରେସ ନେତା, ବିଜେପିର ଏପ୍ରକାର ଅଭିଯୋଗକୁ ଖଣ୍ଡନ କରିଛନ୍ତି । କଂଗ୍ରେସର ଭାରତ ଯୋଡା ଯାତ୍ରାକୁ ନେଇ ବିଜେପି ଭୟଭୀତ ହୋଇପଡିଥିବା କାରଣରୁ ଏପ୍ରକାର ମିଥ୍ୟା ଅଭିଯୋଗ ଆଣି ବଦନାମ୍ କରିବାକୁ ଷଡଯନ୍ତ୍ର କରୁଛି ବୋଲି କଂଗ୍ରେସ ଦର୍ଶାଇଛି । ଶୁକ୍ରବାର ଖରଗୋନ ଜିଲ୍ଲାରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହି ନୂଆ ବିବାଦ ସାମ୍ନାକୁ ଆସିଛି । ବିଜେପି ରାଜ୍ୟ ଅଧ୍ୟକ୍ଷ ବିଷ୍ଣୁଦତ୍ତ ଶର୍ମା ଶୁକ୍ରବାର ଟ୍ୱିଟ୍ କରି ଭାରତ ଯୋଡୋ ଯାତ୍ରାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ଯାତ୍ରାରେ ସାମିଲ ହୋଇଥିବା ଅନେକ ଲୋକ ପାକିସ୍ତାନ ଜିନ୍ଦାବାଦ୍ ଭଳି ନାରାବାଜି କରୁଥିବା ଦେଖିବାକୁ ମିଳିଛି । ଏହାକୁ ଭିତ୍ତିକରି ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ କହିଛନ୍ତି ଯେ, ପାକିସ୍ତାନ ଜିନ୍ଦାବାଦ୍ ନାରାବାଜି କରିଥିବା ଦେଶଦ୍ରୋହୀଙ୍କୁ କଦାପି କ୍ଷମା ଦିଆଯିବ ନାହିଁ । ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପ୍ରକାର ଘଟଣାକୁ ସେ ଅତ୍ୟନ୍ତ ଲଜ୍ଜାଜନ ଭାବେ ଅଭିହିତ କରିଛନ୍ତି । ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ୍ର ସ୍ଲୋଗାନ୍ବାଜି କରିବା କଂଗ୍ରେସର ଦେଶ ବିଭାଜନ ମାନସିକତାକୁ ପୁଣି ଥରେ ଉଜାଗର କରିଛି । ଏହା ଭାରତ ଯୋଡୋ ନୁହେଁ, ଭାରତ ତୋଡୋ ଯାତ୍ରା ବୋଲି ବାରମ୍ବାର ପ୍ରମାଣିତ ହେଉଛି । ଏଥିଲାଗି ରାହୁଲଙ୍କୁ ଦେଶକୁ କ୍ଷମା ଯାଚନା କରିବା ଦରକାର ବୋଲି ଚୌହାନ ଉଲ୍ଲେଖ କରିଛନ୍ତି । ପ୍ରଥମେ ବି ଭାରତ ଭାଗ ଭାଗ ହୋଇଛି ଏହା ପରେ ବି ଭାରତ ବିଭାଜନର ଇଛା ଅଛି କି ବୋଲି ଶିବରାଜ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସ ପକ୍ଷରୁ ମଧ୍ୟ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ୍ରେ ଏମିତି କିଛି ଭିଡିଓକୁ ଅପଲୋଡ୍ କରାଯାଇଥିବା ବେଳେ କିଛି ସମୟ ମଧ୍ୟରେ ଏସବୁକୁ ପ୍ରତ୍ୟାହାର କରିନିଆଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଜେପି ନେତା, କଂଗ୍ରେସର ବାସ୍ତବ ଚରିତ୍ର ଦେଶବାସୀଙ୍କ ସମ୍ମୁଖକୁ ଆସିଯାଇଛି ବୋଲି ଦର୍ଶାଇଛନ୍ତି । ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ରାହୁଲଙ୍କୁ ଏବଂ ଭାରତ ଯୋଡୋ ଯାତ୍ରାକୁ ନେଇ ବିଜେପି ଏବେ ଭୟଭୀତ ହୋଇପଡ଼ିଛି । ଏଥିପାଇଁ ଏପ୍ରକାର ଭ୍ରମାତ୍ମକ ମତ ମନ୍ତବ୍ୟ ଦେବାରେ ଲାଗିଛି । ବିଜେପି ଏବେ ଡାର୍ଟି ପଲିଟିକ୍ସ କରୁଛି ବୋଲି ଜୟରାମ ରମେଶ କହିଛନ୍ତି ।