୧୨ ମିନିଟ୍ ଚାଲିଲା ଗୃହ
ଭୁବନେଶ୍ୱର, ୨୫ା୧୧ (ବୁ୍ୟରୋ): ଚାଷୀ ସମସ୍ୟାକୁ ନେଇ ଶୁକ୍ରବାର ବିଧାନସଭା ଅଚଳ ହୋଇଛି । ଦିନତମାନ ହଟ୍ଟଗୋଳ ଓ ନାରାବାଜିରେ କଟିଥିବାବେଳେ ବହୁ ଗରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରିନାହିଁ । ଲଗାତାର ଦ୍ୱିତୀୟ ଦିନରେ ବିଧାନସଭା ସ୍ୱାଭାବିକ୍ ଭାବେ ଚାଲି ପାରିନାହିଁ । ଗୃହରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ପୂର୍ବାହ୍ଣରେ ପ୍ରଥମେ ପ୍ରଶ୍ନକାଳ ଓ ପରେ ଶୂନ୍ୟକାଳ ଧୋଇଯାଇଥିଲା । ଗୃହ ଆରମ୍ଭରୁ ବିଜେପି ଓ କଂଗ୍ରେସ ପୋଡିଅମ୍ ନିକଟକୁ ଆସି ନାରାବାଜି ଦେଇଥିବାବେଳେ ପ୍ରଥମାର୍ଦ୍ଧରେ ଗୃହ ଚାଲିବା ସମ୍ଭବପର ହୋଇପାରିନଥିଲା । ପରେ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୂଲତବୀ କରିଥିଲେ । ପରେ ୧୧.୩୦ରେ ଗୃହ ପୁଣି ଅସ୍ୱାଭାବିକ୍ ହୋଇଥିଲା । ଯାହାଫଳରେ ବାଚସ୍ପତି ଗୃହକୁ ପୁଣି ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ ।
ବଡ଼ କଥା ହେଲା ଅପରାହ୍ନ ଅଧିବେଶନରେ ମଧ୍ୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ହୋହଲ୍ଲା କରିବାରୁ ବାଚସ୍ପତି ପ୍ରଥମେ ସର୍ବଦଳୀୟ ବୈଠକ ଡ଼ାକିଥିଲେ । ତା ସତ୍ତ୍ୱେ ମଧ୍ୟ କିଛି ସୁଫଳ ଦେଖିବାକୁ ମିଳିନଥିଲା । ଶାସକ ଓ ବିରୋଧୀ ସଦସ୍ୟଙ୍କ ନାରାବାଜି ଓ ହୋହଲ୍ଲାକୁ ନଜରରେ ରଖି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଶନିବାର ସକାଳ ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ପ୍ରଥମେ ପ୍ରଶ୍ନକାଳ ଓ ପରେ ଶୂନ୍ୟକାଳ ଧୋଇଯିବା ପରେ ଚାଷୀଙ୍କ ଦାବିକୁ ଉପସ୍ଥାପନ କରିବାକୁ ବିଜେପି ଓ ବିଜେଡି ସଦସ୍ୟ ଗୃହ ବାହାରେ ଧାରଣା ଦେଇଥିଲେ । ଚାଷୀ ପ୍ରସଙ୍ଗରେ ବିଜେପି ବାଚସ୍ପତିଙ୍କ ମୋସନ ଦାବି କରିଥିଲା । ହେଲେ ବାଚସ୍ପତିଙ୍କ ଗୃହ ମୂଲତବୀ କରିବା ପରେ ସଦସ୍ୟମାନେ ଗୃହ ବାହାରେ ଧାରଣା ଦେଇଥିଲେ । ପରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ କେନ୍ଦ୍ର ଗ୍ରହଣ କରିବାକୁ ବିଜେଡି ଦାବି କରିଛି । କେନ୍ଦ୍ର ସରକାର ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଓଡିଶାର ଚାଷୀଙ୍କୁ ଦେଉନାହାନ୍ତି । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି । ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ଓଡ଼ିଶାର କୃଷକଙ୍କୁ ଫସଲ ବୀମା ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିବା, ନିୟମିତ ଭାବେ ଯୋଗାଯୋଗ କରିବା ଏବଂ ଏଥିସହ ଚାଷୀଙ୍କ କ୍ରୋଧକୁ ଦେଖି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଶେଷରେ ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ବୋଲି ଦଳ କହିଛି ।
ଅନ୍ୟପଟେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧି କରି ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଜେପି ଅଭିଯୋଗ କରିଛି ଯେ, ଇନପୁଟ ସବସିଡି ଦେବାରେ ବିଳମ୍ବ, ମଣ୍ଡି ଅବ୍ୟବସ୍ଥା, ସଫଳ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଇନପୁଟ ସବସିଡି ବିଳମ୍ବ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅର୍ଚ୍ଚନା ନାଗ ପେଡ଼ି ଖୋଲିଯିବା ଭୟରେ ଶାସକ ବିଜେଡି ସଦସ୍ୟମାନେ ଏଭଳି ଗୃହରେ ହଟ୍ଟଗୋଳ କରିଥିଲେ । ଚାଷୀଙ୍କ ସମସ୍ୟା ଦୂର କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି । ସେହିପରି ବିଜେପି ସଦସ୍ୟ ମୁକେଶ ମହାଲିଙ୍ଗ କହିଛନ୍ତି, ଚାଷୀଙ୍କ ସମସ୍ୟା ଦୂର କରିବାରେ ଶାସକ ବିଜେଡି ବିଫଳ ହୋଇଛି । ବିଜେଡି ଜାଣିଶୁଣି ଗୃହରେ ହଟ୍ଟଗୋଳ କରୁଛି ବୋଲି କହିଛନ୍ତି ।