ଜର୍ମାନୀକୁ ସ୍ତବ୍ଧ କଲେ ଜାପାନୀ
ଦୋହା, ୨୩ା୧୧ (ଏଜେନ୍ସି): ଫିଫା ବିଶ୍ୱକପ୍ରେ ସାଉଦୀ ଆରବ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇବାର ଦିନକ ପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବୁଧବାର ଗ୍ରୁପ୍-ଇ’ର ପ୍ରଥମ ମ୍ୟାଚ୍ରେ ଚାରି ଥର ବିଶ୍ୱ ବିଜେତା ଜର୍ମାନୀକୁ ବିଶ୍ୱର ୨୪ତମ ମାନ୍ୟତାଧାରୀ ଜାପାନ ୨-୧ରେ ପରାଜିତ କରିଛି ।
ଖଲିଫା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ପେନାଲ୍ଟିରୁ ଗୋଲ୍ କରିବା ପରେ ଜର୍ମାନୀ ମଜଭୁତ ସ୍ଥିତିରେ ଥିଲା । କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଜାପାନ ପ୍ରତ୍ୟାବର୍ତ୍ତନ କରି ଶେଷ ୧୫ ମିନିଟ୍ରେ ଦୁଇଟି ଗୋଲ୍ କରି ମ୍ୟାଚ୍ ଛଡ଼ାଇ ନେଇଥିଲା ।
୩୩ତମ ମିନିଟ୍ରେ ଇଲକେ ଗୁଣ୍ଡୋଗାନ୍ ପେନାଲ୍ଟିରୁ ଗୋଲ୍ କରି ଜର୍ମାନୀକୁ ୧-୦ରେ ଅଗ୍ରଣୀ କରିଥିଲେ । ପ୍ରଥମାର୍ଦ୍ଧର ଷ୍ଟପେଜ୍ ଟାଇମ୍ରେ କାଇ ହଭର୍ଟଙ୍କ ଏକ ଗୋଲ୍ ଅଫ୍ସାଇଡ୍ ଯୋଗୁଁ ଭାର୍ ପଦ୍ଧତିରେ ନାକଚ ହୋଇଯାଇଥିଲା । କିନ୍ତୁ ପ୍ରଥମାର୍ଦ୍ଧରେ ଜାପାନର ପ୍ରଦର୍ଶନ ଆଶାଜନକ ନ ଥିଲା । ମଧ୍ୟାନ୍ତର ସୁଦ୍ଧା ଏହି ସ୍କୋର୍ ଲାଇନ୍ ରହିଥିଲା । ତେବେ ଜର୍ମାନୀ ଟିମ୍ ଦ୍ୱିତୀୟାର୍ଦ୍ଧରେ ଏହି ଅଗ୍ରଣୀକୁ ବଜାୟ ରଖିପାରି ନ ଥିଲା । ଜାପାନ ଟିମ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଜୋର୍ଦାର ପ୍ରତ୍ୟାବର୍ତ୍ତନ କରିଥିଲା ।
୭୫ତମ ମିନିଟ୍ରେ ବଦଳ ଖେଳାଳି ରିତ୍ସୁ ଦୋଆନ୍ ଗୋଲ୍ ପରିଶୋଧ କରିଥିଲେ । ଏହାର ଆଠ ମିନିଟ୍ ପରେ ଅନ୍ୟତମ ବଦଳ ଖେଳାଳି ଟକୁମା ଅସାନୋ ଗୋଲ୍ କରି ଜାପାନକୁ ଅଗ୍ରଣୀ କରିଥିଲେ । ଏହି ଗୋଲ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା ।
ମ୍ୟାଚ୍ରେ ଜର୍ମାନୀର ନିୟନ୍ତ୍ରଣ ଥିଲେହେଁ ସୁଯୋଗ ହାତଛଡ଼ା କରିବା ଟିମ୍ ପାଇଁ ମହଙ୍ଗା ପଡ଼ିଥିଲା । ଜାପାନର ଆକ୍ରମଣ ସେତେ ମଜଭୁତ ନ ଥିଲା । ତେବେ ଦ୍ୱିତୀୟାର୍ଦ୍ଧରେ ବଦଳ ଖେଳାଳି ଟିମ୍ରେ ଶକ୍ତି ସଞ୍ଚାର କରିଥିଲେ ।
ଜର୍ମାନୀ ଗୋଲ୍ ଆଡ଼କୁ ୨୨ ସଟ୍ ମାରିଥିବା ବେଳେ ଜାପାନ ୧୩ ସଟ୍ ମାରିଥିଲା । ଏହା ସହିତ ୭୪ ପ୍ରତିଶତ ସମୟ ବଲ୍ ଜର୍ମାନୀ କବ୍ଜାରେ ଥିଲା; ହେଲେ ଟିମ୍ ପୁନର୍ବାର ଅଗ୍ରଣୀ ହାସଲ କରିପାରି ନ ଥିଲା ।
ଏହି ସ୍ତବ୍ଧଭରା ଫଳାଫଳ ଜର୍ମାନୀର ୨୦୧୮ ବିଶ୍ୱକପ୍ର ପୁନରାବୃତ୍ତି ଥିଲା । ସେତେବେଳେ ଡିଫେଣ୍ଡିଂ ଚାମ୍ପିଅନ୍ ଜର୍ମାନୀ ନିଜ ପ୍ରଥମ ମ୍ୟାଚ୍ରେ ମେକ୍ସିକୋ ଠାରୁ ପରାଜିତ ହେବା ପରେ ଦକ୍ଷିଣ କୋରିଆ ଠାରୁ ଅନ୍ୟ ଏକ ମ୍ୟାଚ୍ ହାରି ଯାଇଥିଲା । ଫଳସ୍ୱରୂପ, ଟିମ୍ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା ।
ଜର୍ମାନୀ ନିଜ ପରବର୍ତ୍ତୀ ମ୍ୟାଚ୍ରେ ୨୮ରେ ସ୍ପେନ୍କୁ ଓ ଜାପାନ୍ ୨୭ରେ କୋଷ୍ଟାରିକାକୁ ଭେଟିବ ।