ଜେଲ୍ ଗଲେ ହାଉସ୍ ସର୍ଜନ
ଡାକ୍ତରୀ ଛାତ୍ରୀଙ୍କୁ ଆକ୍ରମଣ
ବ୍ରହ୍ମପୁର (ବୁ୍ୟରୋ): ବିଶୃଙ୍ଖଳା ବାତାବରଣ ଦେଇ ଗତି କରୁଛି ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ବଡ଼ ଡାକ୍ତରଖାନା(ଏମ୍କେସିଜି) । ଡାକ୍ତର ଅଭାବ, କୋଠାରୁ ସିଲିଂ ଖସିବା, ଅସ୍ତ୍ରୋପଚାର କୋଠରୀରେ ଅଗ୍ନିକାଣ୍ଡ ଓ ଦଲାଲଙ୍କ ରାଜ୍କୁ ନେଇ ସାରା ରାଜ୍ୟରେ ଏମ୍କେସିଜି ଚର୍ଚ୍ଚାର ପରିସରକୁ ଆସିଛି । ବିଭିନ୍ନ ବାଦ ବିବାଦରେ ଚାଲିଥିବା ଏମ୍କେସିଜି ମେଡିକାଲ୍ କଲେଜ ଓ ଡାକ୍ତରଖାନାରେ ବୁଧବାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ କରି ହାଉସ୍ ସର୍ଜନ ଜେଲ୍ୟିବା ଘଟଣା ଆଲୋଚନାର କେନ୍ଦ୍ରବନ୍ଦୁ ପାଲଟିଛି । ଦୀର୍ଘବର୍ଷର ପ୍ରେମ ସମ୍ପର୍କ ବିଚ୍ଛିନ୍ନ ହେବା ପରେ କଥା କଟାକଟି ହେବାରୁ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ହାଉସ୍ ସର୍ଜନ ସଂପୃକ୍ତ ଡାକ୍ତରୀ ଛାତ୍ରୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଡାକ୍ତରଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ଏସ୍ପି ଡ.ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।
ଏମ୍କେସିଜିର ହାଉସ୍ ସର୍ଜନ ଭାବେ କାର୍ଯ୍ୟରତ ଡାକ୍ତର ସପର୍ଣ୍ଣ ପାଢ଼ୀଙ୍କର ୨ବର୍ଷ ତଳେ ଏମ୍ବିବିଏସ୍ର ଚତୁର୍ଥ ବର୍ଷର ଜଣେ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିଛିଦିନ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି କଥାକୁ ନେଇ ସମ୍ପର୍କ ଚ୍ଛିନ୍ନ ହୋଇଥିଲା । ଡାକ୍ତର ଜଣକ ପ୍ରେମିକାଙ୍କୁ ୱାଟ୍ସପ୍ ମାଧ୍ୟମରେ ଧମକ ଦେଇ ଭୟଭୀତ କରି ଆସୁଥିଲେ । ଗତ ସୋମବାର ରାତିରେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉତ୍ୟକ୍ତ ହୋଇ ସପର୍ଣ୍ଣ ସଂପୃକ୍ତ ଡାକ୍ତରୀ ଛାତ୍ରୀଙ୍କୁ କାମୁଡିବା ସହ ମାଡ଼ ମାରିଥିଲେ । ୠୁରୁତର ଅବସ୍ଥାରେ ସେ ମଙ୍ଗଳବାର ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ବୁଧବାର ଅଭିଯୁକ୍ତକୁ ପୁଲିସ୍ ଥାନାକୁ ଆଣି ପଚରା ଉଚୁରା କରି ସତ୍ୟାସତ୍ୟ ଜାଣିବା ପରେ ସଙ୍ଗିନ୍ ଦଫା ଲଗାଇ ସପର୍ଣ୍ଣଙ୍କୁ କୋର୍ଟଚାଲାଣ କରିଛି ।