ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା
ଭୁବନେଶ୍ୱର (ବୁ୍ୟରୋ): ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ସୁରକ୍ଷା ଲାଗି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିବ । ବୁଧବାର ଏପରି କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ । ସେ କହିଛନ୍ତି, ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିବ । ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ । ସେହିପରି ସିସିଟିଭି ସ୍କାନରରେ ମହାତ୍ମା ଗାନ୍ଧୀ ମାର୍ଗ ରହିବ । ଏହା ସହ ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୁଲିସ, ରୁପ ଟଫ୍ ସିକୁ୍ୟରିଟି, ସାଧା ପୋଷାକଧାରୀ ପୁଲିସ ମୁତୟନ ରହିବେ ।
ବିଧାନସଭା ସମୟରେ ଯେଉଁମାନେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ତାହା ଅପରାଧ । ଏଣୁ ଗଣତାନ୍ତ୍ରିକ ଉପାୟରେ ଦାବି ଜଣାନ୍ତୁ ବୋଲି ସିପି ଅପିଲ କରିଛନ୍ତି । ଆସନ୍ତାକାଲିଠୁ ବିଧାନସଭା ଶେଷ ଯାଏଁ ସଂଲଗ୍ନ ଚତୁଃପାଶ୍ୱର୍ ରାସ୍ତାକୁ ସିଲ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ପୁଲିସ ଡିଜି ସୁନିଲ ବଂଶଲ ବିଧାନସଭା ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ତାଙ୍କ ସହ ଆଇନ ଶୃଙ୍ଖଳା ଏଡ଼ିଜି, ଗୁଇନ୍ଦା ଡ଼ିଆଇଜି, ପୁଲିସ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।
ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିଛି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ନିଷ୍ପତି ଅନୁସାରେ ଅଧିବେଶନରେ ଦଳ କେଉଁ କେଉଁ ପ୍ରସଙ୍ଗକୁ ମୁଦ୍ଦା କରିବ ତାହା ସ୍ଥିର କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସୂଚନା ଅନୁସାରେ ଶୀତ ଅଧିବେଶନରେ ଦଳ ପଶ୍ଚିମ ଓଡିଶାର ଚାଷୀଙ୍କ ପ୍ରସଙ୍ଗ, ଫସଲ ବୀମା ଯୋଜନା ପାଇବାରୁ ବଞ୍ଚିତ ଚାଷୀ, ମଣ୍ଡି ଅବ୍ୟବସ୍ଥା ଭଳି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ ।
ସେହିପରି କଂଗ୍ରେସ ବିଧାୟକ ଦଳ ମଧ୍ୟ ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାନସଭାରେ ଦଳର ଆଭିମୁଖ୍ୟ କଣ ହେବ ସେହି ରଣନୀତି ପ୍ରସ୍ତୁତ ହୋଇଛି । ବିଧାୟକ ଦଳନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ କଂଗ୍ରେସ ବିଧାୟକ ଯୋଗଦେଇଥିଲେ । ସେହିପରି ବିଧାନସଭା ଶୀତ ଅଧିବେଶନ ପାଇଁ ଆସନ୍ତାକାଲି ପୂର୍ବାହ୍ନରେ ବସିବ ଶାସକ ବିଜେଡି ବିଧାୟକ ଦଳ ବୈଠକ । ପୂର୍ବାହ୍ନ ୧୦.୩୦ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିଧାୟକ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଧାୟକ ଦଳ ବୈଠକ । ବିଧାନସଭାର ୫୪ ନମ୍ବର ରୁମରେ ବୈଠକ ବସିବ । ଏନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ ସଚେତକ ପ୍ରଶାନ୍ତ ମୁଦୁଲି । ବିରୋଧୀ କ’ଣ ପ୍ରସଙ୍ଗ ଆଣୁଛନ୍ତି ଆମେ ଜାଣିନୁ । ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବିଧାୟକ ଦଳ ବୈଠକ ବସିଛି । ବିଜୁ ଜନତା ଦଳ ସବୁବେଳେ ବିରୋଧୀଙ୍କୁ ସାମ୍ନା କରିବା ଲାଗି ପ୍ରସ୍ତୁତ ଥାଏ ।
ବିଧାନସଭା କେମିତି ସୁରୁଖୁରୁରେ ଓ ଠିକରେ ଚାଲିବ ସେଥିପାଇଁ ବିଜେଡି ଯତ୍ନବାନ । ବିଧାନସଭା ହେଉଛି ପ୍ରସଙ୍ଗ ଉଠେଇବାର ସ୍ଥାନ । ବିରୋଧୀ ଦଳ ପାଖରେ ସୁଯୋଗ ଅଛି ପ୍ରସଙ୍ଗ ଉଠେଇବେ । ସବୁ ଦଳର ବିଧାୟକ ସେମାନଙ୍କ ଅଞ୍ଚଳ ପ୍ରସଙ୍ଗ ଉଠେଇବେ । ସୁରୁଖୁରୁରେ ବିଧାନସଭା ଚାଲିବା ନେଇ ବ୍ୟବସ୍ଥା ହେବ । କୋଭିଡ କଟକଣା ମୁକ୍ତ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ଶୀତ ଅଧିବେଶନ । ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଅନୁମତି ମିଳିବ ।