ମାଟ୍ରିକ ସମ୍ମେଟିଭ-୧ ଆରମ୍ଭ
କଟକ (ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ସମ୍ମେଟିଭ-୧ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଶେଷ ହୋଇଛି ପ୍ରଥମ ଦିବସର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ଇଂରାଜୀ ପରୀକ୍ଷାରେ ଦେଇଛନ୍ତି ଛାତ୍ରଛାତ୍ରୀ । ୧୦ ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା । ୯ଟାରେ ଛାତ୍ରଛାତ୍ରୀମାନେ ଆଡ୍ମିଟ କାର୍ଡ ଏବଂ କଲମ ନେଇ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ । ଏହାପରେ ପିଲାଙ୍କୁ ୯ଟା ୩୦ରେ ପ୍ରଶ୍ନପତ୍ର ଦିଆଯାଇଥିଲା । ଦୁଇ ଘଣ୍ଟାର ପରୀକ୍ଷାରେ ପ୍ରଥମ ଘଣ୍ଟାରେ ଅବଜେକ୍ଟିଭ ଓ ଦ୍ୱିତୀୟ ଘଣ୍ଟାରେ ସବ୍ଜେକ୍ଟିଭ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ତେବେ ଏହି ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ଼ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ ବୋର୍ଡ଼ ସଭାପତି କହିଛନ୍ତି । ଏହାସହ ପ୍ରଥମ ଦିନର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଓ କୌଣସି ପରୀକ୍ଷା କେନ୍ଦ୍ରରୁ କୌଣସି ଅନିୟମିତତା ଖବର ଆସିନଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଇଂରାଜୀ ପରୀକ୍ଷାରେ ପ୍ରଶ୍ନପତ୍ର ବେଶ ସହଜ ଓ ସରଳ ଥିଲା ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏପରିକି ଆଗାମୀ ଦିନରେ ସମସ୍ତ ପରୀକ୍ଷା ଠିକ୍ଠାକରେ ହେବ ବୋଲି ଛାତ୍ରଛାତ୍ରୀମାନେ ଆଶା ରଖିଛନ୍ତି । ତେବେ ଆସନ୍ତାକାଲି ବିରତି ଥିବାବେଳେ ଶୁକ୍ରବାର ଦିନ ଗଣିତ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ତେବେ ଗଣିତ ବିଷୟ ପାଇଁ ୧୫ ମିନିଟ୍ ଅଧିକ ସମୟ ପରୀକ୍ଷାର୍ଥୀଙ୍କୁ ଦିଆଯିବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ରାଜ୍ୟର ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ଆଜିଠାରୁ ଆରମ୍ଭ ହୋଇଛି । ପରୀକ୍ଷା କେନ୍ଦ୍ରରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସସ୍ଥା କରାଯାଇଛି । ବୋର୍ଡ଼, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଛି । ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ।