ଅଗ୍ନି-୩ର ବ୍ୟାବହାରିକ ପରୀକ୍ଷଣ ସଫଳ
ଭଦ୍ରକ (ଆପ୍ର): ବୁଧବାର ରାତ୍ର ୭.୩୦ ମିନିଟ ସମୟରେ କଲାମ ଘାଟିରୁ ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡୋ ବାହିନୀ ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି । ଧାମରା ସ୍ଥିତ କଲାମ ଘାଟିର ୪ନଂ ଲଂଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଥିବା ବେଳେ ଏହାର ପରୀକ୍ଷଣ ସଫଳ ହୋଇଛି ବୋଲି ପ୍ରତିରକ୍ଷା ବିଭାଗ ସୂତ୍ରରୁ ପ୍ରକାଶ । ସଂପୂର୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଦ୍ୱାରା ତିଆରି ଅଗ୍ନି-୩ କ୍ଷେପଣାସ୍ତ୍ର ନିର୍ମାଣ କରିବାରେ ୩୫୦ ଆମେରିକୀୟ ଡଲାର ଖର୍ଚ ହୋଇଥିବା ବେଳେ ଏହି କ୍ଷେପଣାସ୍ତ୍ରଟିର ଓଜନ ୫୦,୦୦୦ କିଲୋଗ୍ରାମ, ଲମ୍ବ ୧୭ ମିଟର, ଓସାର ୨ମିଟର । ଏହି କ୍ଷେପଣାସ୍ତ୍ର ୨ଷ୍ଟେଜ ବିଶିଷ୍ଟ କଠିନ ଇନ୍ଧନ ବ୍ୟବହାର ଉପଯୋଗୀ ହୋଇଥିବା ବେଳେ ଏହାର ଲକ୍ଷ୍ୟ ଭେଦ ପରିସୀମା ୩୫୦୦ କି.ମି ରୁ ଆରମ୍ଭ କରି ୫ ହଜାର କିଲୋମିଟର ପର୍ଯ୍ୟନ୍ତ । ଅଗ୍ନି-୩ କ୍ଷେପଣାସ୍ତ୍ରର ଗତି ସେକେଣ୍ଡ ପ୍ରତି ୫ କିଲୋମିଟର ଥିବା ବେଳେ ଆଜିର ଏହି ପରୀକ୍ଷଣ ଏକ ରେଳ ମୋବାଇଲ ଲଂଚରରୁ ହୋଇଯାଇଛି । ଅଗ୍ନି-୩ କ୍ଷେପଣାସ୍ତ୍ର ୨୫୦୦ କିଲୋ ପାରମ୍ପରିକ ତଥା ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ଥିବା ଜଣାଯାଇଛି । ୯ ଜୁଲାଇ ୨୦୦୬ ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିବା ବେଳେ ଏହି ପରୀକ୍ଷଣ ବିଫଳ ହୋଇ ବଙ୍ଗୋପସାଗର ମଧ୍ୟକୁ ଏହି କ୍ଷେପଣାସ୍ତ୍ରଟି ଖସି ପଡିଥିଲା । ୧୨ ଏପ୍ରିଲ ୨୦୦୭ ମସିହାରେ ଏହାର ଦ୍ୱିତୀୟ ପରୀକ୍ଷଣ ସଫଳ ହୋଇଥିଲା । ଏହି ସଫଳ ପରୀକ୍ଷଣ ପରେ ଏହାର ୨୦୦୬ ମସିହାରେ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିଥିଲା । ୭ ମଇ ୨୦୦୮ରେ ତୃତୀୟ ପରୀକ୍ଷଣ ହୋଇଥିବା ବେଳେ ୭ ଫେବୃଆରୀ ୨୦୧୦ରେ ଏହାର ଚତୁର୍ଥ ପରୀକ୍ଷଣ ହୋଇଥିଲା । ଭାରତୀୟ ସେନାରେ ଏହାକୁ ଜୁନ ୨୦୧୧ରେ ସାମିଲ କରାଯାଇଥିଲା । ୨୧ ସେପ୍ଟମ୍ବର ୨୦୧୨ରେ ସାମରିକ ବାହିନୀର ଷ୍ଟ୍ରାଟେଜିକ କମାଣ୍ଡୋ ଏହାର ସଫଳ ତଥା ୫ମ ପରୀକ୍ଷଣ କରିଥିଲେ । ୨୩ ଡିସେମ୍ବର ୨୦୧୩ରେ ଏହାର ଷଷ୍ଠ ପରୀକ୍ଷଣ ହୋଇଥିଲା । ୧୬ ଏପ୍ରିଲ ୨୦୧୫ ଏବଂ ୨୭ ଏପ୍ରିଲ ୨୦୧୭ରେ ଏହାର ଅତିରିକ୍ତ ୨ଟି ପରୀକ୍ଷଣ କରାଯାଇଥିଲା । ୧ ଡିସେମ୍ବର ୨୦୧୯ରେ ଏହାର ରାତ୍ରୀକାଳୀନ ପରୀକ୍ଷଣ କରାାଯାଇଥିବା ବେଳେ ଏହାର ଯାନ୍ତ୍ରୀକ ତ୍ରୁଟି ଯୋଗୁ ପ୍ରଥମଷ୍ଟେଜର ବିସ୍ଫୋରଣ ପରେ ଏହା ପୁନଶ୍ଚ ବିଫଳ ହୋଇଥିବା ଜଣାଯାଏ । ବୁଧବାର ଅଗ୍ନି-୩ କ୍ଷେପଣାସ୍ତ୍ରର ୭ମ ବ୍ୟବହାରିକ ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ବୈଜ୍ଞାନିକଙ୍କ ସମେତ ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡୋ ବାହିନୀ ପ୍ରମୁଖ ଉପସ୍ଥିତ ଥିଲେ ।