ଭିତ୍ତିଭୂମି ଅଭାବ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
କନ୍ଧମାଳ ପର୍ଯ୍ୟଟନସ୍ଥଳୀକୁ ଅଣଦେଖା
ଫୁଲବାଣୀ (ବୁ୍ୟରୋ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲା ଗତ କିଛି ବର୍ଷ ହେଲା ଶ୍ରୀହୀନ ପାଲଟିଥିବା ବେଳେ ଫୁଲର ସହର ଫୁଲବାଣୀ ପୁଣି ଥରେ ହସିଉଠୁଛି । ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ଅନାଇ ବସିଛନ୍ତି କନ୍ଧମାଳ ବାସୀ । ସମଗ୍ର ଓଡ଼ିଶାରେ ପ୍ରାୟ ୪୦୦ ପର୍ଯ୍ୟଟନସ୍ଥଳ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, ବଲସକୁମ୍ପା, ଚକାପାଦ, ପୁତୁଡ଼ି ଓ ବେଲଘର ଅନ୍ୟତମ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ତାଲିକାରେ ନ ଥିଲେ ମଧ୍ୟ କନ୍ଧମାଳରେ ଥିବା ବହୁ ଦର୍ଶନୀୟ ସ୍ଥାନକୁ ଜିଲ୍ଲା ଓ ରାଜ୍ୟ ଅନେକ ପର୍ଯ୍ୟଟକ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ସେଗୁଡ଼ିକ ମଧ୍ୟରେ ପକଡ଼ାଝର, ଉର୍ମାଗଡ. ଲୁଦୁ, କାଟ୍ରାମାଲା, ଡୁଙ୍ଗି, କୁଟି, ଋଷିମାଳ, ଜଲେଶପଟା ଓ ଫିରିଙ୍ଗିଆର କଟାଙ୍ଗପାହାଡ଼ ପ୍ରମୁଖ । ପକଡ଼ାଝର, ଉର୍ମାଗଡ଼, ଲୁଦୁ, କାଟ୍ରାମାଲା ଇତ୍ୟାଦି ଜଳପ୍ରପାତ ହୋଇଥିଲେ ମଧ୍ୟ ସେଗୁଡ଼ିୁକ ପର୍ଯ୍ୟଟନସ୍ଥଳୀ ଭାବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଉଲ୍ଲେଖ କରାଯାଇନାହିଁ । ଗତ କିଛି ବର୍ଷ ହେଲା କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳୁନାହିଁ ।
ପର୍ଯ୍ୟଟକମାନଙ୍କୁ ଆକୃଷ୍ଠ କଲାଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଏ ପର୍ଯ୍ୟନ୍ତ ଜିଲ୍ଲା ବାହାରର ଏବଂ ଦେଶ ବିଦେଶରେ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି । ପର୍ଯ୍ୟଟନର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ହେଉ କିମ୍ବା ରାଜ୍ୟ ସରକାର ସେଭଳି କିଛି ଆଖି ଦୃଶିଆ ପଦକ୍ଷପ ନେଉ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଗତବର୍ଷ ପଶ୍ଚିମବଙ୍ଗରୁ ଆସିଥିବା କିଛି ପର୍ଯ୍ୟଟକ ଅବ୍ୟବସ୍ଥା ଓ ଗମନା ଗମନ ପାଇଁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାଁ ଭାଁ ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି । ଜିଲ୍ଲାରେ ଶୀତ ଉତ୍ସବ ହେଉଥିବା ବେଳେ ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଜିଲ୍ଲାର ଯେଉଁ ସବୁ ପର୍ଯ୍ୟଟନ କ୍ଷେତ୍ର ରହିଛି, ସେସବୁ ଅବହେଳିତ ଅବସ୍ଥାକୁ ଆସିଗଲାଣି । ଗୋଟିଏ ହେଲେ ପର୍ଯ୍ୟଟନ କ୍ଷେତ୍ରକୁ ଗମନାଗମନ ପାଇଁ ରାସ୍ତାଟିଏ ନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଜିଲ୍ଲାକୁ ଆସୁଥିବା ବେଳେ, ପ୍ରତ୍ୟେକ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ରାସ୍ତାଘାଟ ପାଇଁ ଦିଆଯାଉଛି । ହେଲେ ବଡ଼ ଦୁଃଖ ଓ ପରିତାପର ବିଷୟ, କୌଣସି ପଞ୍ଚାୟତ ସେମାନଙ୍କ ଅଧୀନରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ରାସ୍ତାଟିଏ ନିର୍ମାଣ କରିନାହାନ୍ତି । ରାଜ୍ୟ ସରକାର ରାଜ୍ୟର ୨୯ ଜିଲ୍ଲାକୁ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବା ବେଳେ କନ୍ଧମାଳ ପ୍ରତି ବୈମାତୃକତା ପରିତାପର ବିଷୟ ବୋଲି କୁହାଯାଉଛି ।