ମୂଷା ଖାଇଗଲେ ୬ କ୍ୱିଣ୍ଟାଲ ଗଞ୍ଜେଇ
ଲକ୍ଷ୍ନୌ (ଏଜେନ୍ସି): ପୁଲିସ୍ ହେପାଜତ୍ରେ ଥିବା ପ୍ରାୟ ୫୮୧ କେଜି (୫.୮ କ୍ୱିଣ୍ଟାଲ) ଗଞ୍ଜେଇକୁ ମୂଷାପଲ ଖାଇଯାଇଛନ୍ତି । ଏସମ୍ପର୍କରେ ପୁଲିସ୍ ପ୍ରଶାସନ ଯେତେବେଳେ କୋର୍ଟରେ ସତ୍ୟପାଠ ଦାଖଲ କଲେ କୋର୍ଟ କିନ୍ତୁ ଏସବୁକୁ ବିଶ୍ୱାସ କରିପାରିନାହାନ୍ତି । କୋର୍ଟ ପୁଲିସ୍କୁ ମୂଷାପଲ ଗଞ୍ଜେଇ ଖାଇଯିବାର ପ୍ରମାଣ ମାଗିଛନ୍ତି । ଅନ୍ୟପକ୍ଷେ ପ୍ରମାଣ ଦେବାକୁ ପୁଲିସ୍ ଅସମର୍ଥତା ପ୍ରକାଶ କରିଛି । ଉତ୍ତରପ୍ରଦେଶର ମଥୁରାରେ ଏପ୍ରକାର ଏକ ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।
୨ଠ୨ଠ ମେ’ ଜୁନ୍ରେ ମଥୁରାର ଶେରଗଡ ଏବଂ ହାଇୱେ ପୁଲିସ୍ ଷ୍ଟେଶନ ଅଧୀନରେ ୨ଟି ପୃଥକ୍ ମାମଲାରେ ପ୍ରାୟ ୫୮୧କେଜି (ଯଥାକ୍ରମେ ୩୮୬ କିଲୋ ଏବଂ ୧୯୫ କିଲୋ) ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ଠ ଲକ୍ଷରୁ ଅଧିକ ହେବ ବୋଲି ସେତେବେଳେ ଆକଳନ କରାଯାଇଥିଲା । ପୁଲିସ୍ ଏସବୁ ଗଞ୍ଜେଇକୁ ମଥୁରା ପୁଲିସ୍ ଷ୍ଟେସନ ଗୋଦାମରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖିଥିଲା । ସେସମୟରେ କୋର୍ଟରେ ଜବତ ଗଞ୍ଜେଇର ନମୁନା ମଧ୍ୟ ଦାଖଲ କରାଯାଇଥିଲା ।
ଏବେ ଯେତେବେଳେ ଏସମ୍ପର୍କୀତ ମାମଲା ଉପରେ କୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି, ସେତେବେଳେ ଜବତ ଗଞ୍ଜେଇକୁ କୋର୍ଟ ତତ୍ୱାବଧାନରେ ଦାଖଲ କରିବାକୁ ନିଦେ୍ର୍ଦଶ ଦେଲେ କୋର୍ଟ । ଅନ୍ୟପକ୍ଷେ ପୁଲିସ୍ ଯେତେବେଳେ ଗୋଦାମ ଘର ଖୋଲିଲା, ସେତେବେଳେ ସେଠାରେ କେବଳ ବସ୍ତା ହିଁ ପଡିରହିଥିଲା, ଗଞ୍ଜେଇ ସବୁ ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ପୁଲିସ୍ ପକ୍ଷରୁ ଏନେଇ କୋର୍ଟଙ୍କୁ ଅବଗତ କରାଯାଇଥିବା ବେଳେ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଏବଂ ପୁଲିସ୍ର ଦାୟିତ୍ୱହୀନତାକୁ ତୀବ୍ର ଭର୍ତ୍ସନା କରିଛନ୍ତି । ୨୬ରେ ପରବର୍ତ୍ତୀ ଶୁଣାଣି ହେବ ।
୨ଠ୨୧ରେ ସମାନ ଘଟଣା ସାମ୍ନାକୁ ଆସିଥିଲା । ଇଟାହା ଜିଲ୍ଲାର କୋଟୱାଲି ଦେହତ୍ ପୁଲିସ୍ ଷ୍ଟେସନ୍ ପକ୍ଷରୁ କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା, ଯେଉଁଥିରେ ପୁଲିସ୍ ସିଜ୍ କରିଥିବା ୩୫ ଲକ୍ଷ ଟଙ୍କା ମୂଲ୍ୟର ୧୪ଠଠ ମଦ ପ୍ୟାକେଟ୍କୁ ମୂଷାପଲ ପିଇଦେଇଥିବା ଦର୍ଶାଯାଇଥିଲା । ସୂଚନାଯୋଗ୍ୟ, ବିହାର ଏବଂ ଝାଡଖଣ୍ଡରେ ମଧ୍ୟ ଏପ୍ରକାର ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମଦ ଏବଂ ଗଞ୍ଜେଇ ତଥା ନିଶାସାମଗ୍ରୀଗୁଡ଼ିକୁ ମୂଷା ପଲ ଖାଇଯାଇଥିବା ନେଇ କୋର୍ଟରେ ପୁଲିସ୍ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।