୧୦କୋଟି ବ୍ୟୟରେ ୫ମହଲା ବିଶିଷ୍ଟ ପାର୍କିଂ ବ୍ୟବସ୍ଥା

ମେୟର-ବିଡିଏ ସଚିବ ଓ ବ୍ୟବସାୟୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ପୁରୁଣା ବସ୍ଷ୍ଟାଣ୍ଡ ଓ ୟୁ ମାର୍କେଟରେ ଥିବା ଦୋକାନଗୁଡିକୁ ଖାଲି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମର୍ମରେ ଗୁରୁବାର ମହାନିଗର ନିଗମର ମେୟର ସଂଘମିତ୍ରା ଦଳେଇ, ବିଡିଏ ସଚିବ ସମ୍ବିତ ରାଉତ ପ୍ରମୁଖ ପୁରୁଣା ବସ୍ଷ୍ଟାଣ୍ଡରେ ବ୍ୟବସାୟୀଙ୍କ ସହ ଆଲୋଚନା କରି ଆଗାମୀ ୭ଦିନ ମଧ୍ୟରେ ଦୋକାନ ଖାଲି କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏଠାରେ ୨୫ଟି ଦୋକାନ ରହିଥିବାରୁ ସେମାନଙ୍କୁ ଉଚ୍ଛେଦର ୩ଦିନ ମଧ୍ୟରେ ବସ୍ଷ୍ଟାଣ୍ଡ ନିକଟରେ ଅସ୍ଥାୟୀ ସ୍ଥାନରେ ବ୍ୟବସାୟ କରିବା ପାଇଁ ବିଡିଏ ପକ୍ଷରୁ ସ୍ଥାନ ଦିଆଯିବା ପାଇଁ ମଧ୍ୟ କୁହାଯାଇଛି ।
ଗତ ସେପ୍ଟେମ୍ବର ୨୨ତାରିଖରେ ଦୋକାନ ଉଚ୍ଛେଦକୁ ନେଇ ମହାନଗର ନିଗମ ପକ୍ଷରୁ ବ୍ୟବସାୟୀଙ୍କୁ ନୋଟିସ୍ କରାଯାଇଥିଲା । ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶକରି ସମୟ ବୃଦ୍ଧି ପାଇଁ ନିଗମ କମିଶନରଙ୍କୁ ଅନୁରୋଧ କରିଥିଲେ । ଏହି ମର୍ମରେ ଉଚ୍ଛେଦ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହେବା ଯୋଗୁ ଗୁରୁବାର ନିଗମ ମେୟର ଓ ବିଡିଏ ସଚିବଙ୍କ ଉପସ୍ଥିତିରେ ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଥିଲା । ୧୯୭୭ରୁ ନିଗମ ତରଫରୁ ଲିଜ୍ ସୂତ୍ରରେ ବ୍ୟବସାୟୀମାନେ ଦୋକାନ ଘର ପାଇଥିଲେ । ଅଚାନକ ପୂର୍ବ ଆଲୋଚନା ଓ ସୂଚନା ନ ଦେଇ ନିଗମ ପକ୍ଷରୁ ସେପ୍ଟେମ୍ବର ୧୭ତାରିଖରେ ନୋଟିସ୍ ଜାରିକରି ୧୫ଦିନ ମଧ୍ୟରେ ଦୋକାନ ଖାଲି କରିବାକୁ କୁହାଯାଇଥିଲା । ବ୍ୟବସାୟୀମାନେ ଇତି ମଧ୍ୟରେ କମିଶନର, ବିଡିଏ ସଚିବ, ସାଂସଦ, ବିଧାୟକଙ୍କୁ ଭେଟି ଆଲୋଚନା କରି ସମୟ ମାଗିଥିଲେ । ଏହି ସ୍ଥାନରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପ୍ରାୟ ୧୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଶୈଳୀରେ ୫ମହଲା ବିଶିଷ୍ଟ କୋଠାରେ କାର୍ ଓ ମୋଟର ସାଇକେଲ୍ ପାର୍କିଂ ବ୍ୟବସ୍ଥା ସହ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ବ୍ୟବସାୟ କରିବା ପାଇଁ ଦୋକାନ ଗୃହ ଦେବା ବ୍ୟବସ୍ଥା କରି ଟେଣ୍ଡର ଆହ୍ୱାନ କରାଯାଇଥିଲା । ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ଉଚ୍ଛେଦ ପ୍ରକ୍ରିୟା ବିଳମ୍ବ ହେବାରୁ କାର୍ଯ୍ୟ ଆରମ୍ଭ ହେଉ ନ ଥିବା କହିଛନ୍ତି ବିଡିଏ ସଚିବ ସମ୍ବିତ ରାଉତ । ଗୁରୁବାର ମେୟରଙ୍କ ଉପସ୍ଥିତିରେ ବ୍ୟବସାୟୀଙ୍କ ସହ ଆଲୋଚନା କରାଯାଇ ଆଗାମୀ ୭ଦିନ ମଧ୍ୟରେ ଦୋକାନ ଗୃହ ଖାଲି କଲେ ବିଡିଏ ତରଫରୁ ସ୍ଥାନ ଚିହ୍ନଟକରି ଠିକା ନେଇଥିବା ସଂସ୍ଥାକୁ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯିବ । ଉଚ୍ଛେଦ ବ୍ୟବସାୟୀଙ୍କୁ ସେହି ସ୍ଥାନରେ ଅସ୍ଥାୟୀ ଭାବେ ବ୍ୟବସାୟ କରିବାକୁ ସ୍ଥାନ ଦିଆଯିବ ବୋଲି ସଚିବ କହିଛନ୍ତି । ୫ମହଲା ବିଶିଷ୍ଟ ପାର୍କିଂ କୋଠାରେ ପ୍ରଥମ ମହଲାରେ ବ୍ୟବସାୟୀଙ୍କୁ ବ୍ୟବସାୟ କରିବା ପାଇଁ ପ୍ରାଧାନ୍ୟ ଦିଆଯିବ ବୋଲି ସଚିବ କହିଛନ୍ତି । ବ୍ୟବସାୟୀଙ୍କୁ ବିଡିଏ ତରଫରୁ ଦୋକାନ ଗୃହ ଦେବା ପାଇଁ ଲିଖିତ ଆକାରରେ ପ୍ରତିଶ୍ରୁତି ଦିଆଯିବ ବୋଲି ସଚିବ କହିଛନ୍ତି । ଏହାକୁ ବ୍ୟବସାୟୀମାନେ ସ୍ୱାଗତ କରିବା ସହ ବିଡିଏକୁ ସହଯୋଗ କରିବେ ବୋଲି କହିଥିଲେ ।
ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅର୍ବାନ ବ୍ୟାଙ୍କ ସଭାପତି ଆର୍.ମୂରଲୀମୋହନ, ବରିଷ୍ଠ ବିଜେଡି ନେତା ଭୀମସେନ ଦଳେଇ, ମୁକୁନ୍ଦ ଗୌଡ, ବ୍ୟବସାୟୀଙ୍କ ତରଫରୁ ଦିଲ୍ଲୀପ ପାତ୍ର, ଟିକିନା ରାଉଳ, ନିରଞ୍ଜନ ଜେନା, ମିଟୁ ମୂର୍ତ୍ତି, ପୀତାମ୍ବର ପାତ୍ର, ଲକ୍ଷ୍ମଣ ରାଉଳ, ଶିବ ପ୍ରଧାନ, କୁରେଶ ସାହୁ, ପ୍ରତାପ ଚନ୍ଦ୍ର ସାହୁ, ସୁଦାମ ପାତ୍ର, ସୁଧାକର ପାତ୍ର, ପରମାନନ୍ଦ ଜେନାଙ୍କ ସମେତ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *