୩୫ ଶିଳ୍ପ ପାଇଁ ଜମି ଚିହ୍ନଟକୁ ତୀବ୍ର ବିରୋଧ
ଦାନଗଦି(ଅପ୍ରା) : କଳିଙ୍ଗନଗର ଶିଳ୍ପାଞ୍ଚଳ ଚାନ୍ଦିଆ ପଞ୍ଚାୟତ ଟାଙ୍ଗରସାହି ଠାରେ ୩୫ ଏମ୍ଏସଏମ୍ଇ କ୍ଷୁଦ୍ର ଶିଳ୍ପ ପାଇଁ ଦ୍ୱିତୀୟ ଦିନରେ ଜମି ଚିହ୍ନଟ ନିମନ୍ତେ ପ୍ରଶାସନ ଓ ଇଡକୋ ଅଧିକାରୀମାନେ ଗୁରୁବାର ପୂର୍ବାହ୍ଣ ୧୦ଟାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣିଥରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଶତାଧିକ ମହିଳା ଓ ପୁରୁଷ ପିଲା ଛୁଆ ଧରି ପହଞ୍ଚି କାମକୁ ବିରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।
କଳିଙ୍ଗନଗର ଭୁ-ଅର୍ଜନ ତଥା ଦାନଗଦି ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଏବଂ କଳିଙ୍ଗନଗର ଅତିରିକ୍ତ ଏସ୍ପି ଏସ୍ ଟପୋ ପହଞ୍ଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ୨୦୦୫ ଆର୍ ଆଣ୍ଡ ଆର୍ ନୀତି ଅନୁଯାୟୀ ବିସ୍ଥାପିତ ହେବାକୁ ଥିବା ଟାଙ୍ଗରସାହି ଗାଁ ର ୨୯ ପରିବାରକୁ ମାଣତିରା ଠାରେ ୧୦ ଡିସିମିଲ ଜମି, ପରିବାରରୁ ଜଣକୁ ଶିଳ୍ପ ସଂସ୍ଥାରେ ଚାକିରି, ଘର ନିର୍ମାଣ ପାଇଁ ୪ ଲକ୍ଷ ପର୍ଯ୍ୟନ୍ତ ଓ ସରକାରୀ ସ୍ଥରରେ ପ୍ରତ୍ୟେକ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଣ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଘଟଣା ସ୍ଥଳରେ ଅତିରିକ୍ତ ଏସ୍ପିଙ୍କ ସମେତ ଯଖପୁରା, ଟମକା, ପୁଲିସ ହେଡକ୍ୱାର୍ଟର ଆଇଆଇସିଙ୍କ ସମେତ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ ।