ଆଇଟି କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ୁଛି ରାଜ୍ୟ

ଭୁବନେଶ୍ୱର, ୨୪ା୧୧ (ବୁ୍ୟରୋ): ରାଜ୍ୟରେ ଆଇଟି ଇକୋସିଷ୍ଟମ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡି ହୋଇଛି । ଆଇବିଏମ୍ ପରେ ଭୁବନେଶ୍ୱରରେ ପାଦ ଥାପିଛି ଆଇଟି କମ୍ପାନୀ ହାପିଏଷ୍ଟ ମାଇଣ୍ଡସ । ଜୟଦେବବିହାରସ୍ଥିତ ଫରଚୁ୍ୟନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଆଇଟି ଡେଭଲପମେଣ୍ଟ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ସେଣ୍ଟରେ ୧ ହଜାରରୁ ଅଧିକ ଆଇଟି କର୍ମଚାରୀ ନିଯୁକ୍ତି ସୁଯୋଗ ପାଇବେ । ଆଗାମୀ ଦିନରେ ଏହି କମ୍ପାନୀ ବିଶ୍ୱସ୍ତରରେ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି । ହାପିଏଷ୍ଟ ମାଇଣ୍ଡସ ଆଇଟି ଡେଭଲପଣ୍ଟେ ସେଣ୍ଟର ଉଦଘାଟନ କରିବା ଅବସରରେ ରାଜ୍ୟ ଆଇଟି ସେକ୍ଟର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଲଗାତାର ସଫଳତା ମିଳୁଥିବାରୁ ଏହା ଆଇଟି କମ୍ପାନୀଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିଛି । ଆଇଟି କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବାରେ ଓଡ଼ିଶା ସାରାଦେଶରେ ଦୃଷ୍ଟାନ୍ତ ସୃଷ୍ଟି କରିଛି । ଓଡ଼ିଶା ବର୍ତ୍ତମାନ ଭାରତରେ ପ୍ରମୁଖ ପ୍ରଯୁକ୍ତି ସମ୍ବଳ ହବ୍ ଭାବେ ପରିଣତ ହେବାରେ ଲାଗିଛି । ସବୁପ୍ରକାର ସୁବିଧା ଉପଲବ୍ଧ ହେଉଥିବାରୁ ଅଧିକାଂଶ ବଡ଼ ବଡ଼ ଆଇଟି କମ୍ପାନୀ ରାଜଧାନୀ ଭୁବନେଶ୍ୱରେ ପହଞ୍ଚି ସାରିଛନ୍ତି । ରାଜ୍ୟରେ ଆଇଟି ସେକ୍ଟର ପାଇଁ ଉପଯୁକ୍ତ ପରିବେଶ, ପ୍ରତିଭା ରହିଥିବାରୁ ଆଗାମୀ ଦିନରେ ଓଡ଼ିଶା ଏକ ପ୍ରତିଷ୍ଠିତ ଆଇଟି ହବ୍ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ ହଜାରରୁ (୧୦୦୦) ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ବ୍ୟତୀତ ଆଗାମୀ ବର୍ଷରେ ଓଡ଼ିଶାର ପ୍ରତିଭାବାନ୍ ଇଞ୍ଜିନିୟରଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ ।
ଏହି କେନ୍ଦ୍ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଗତ କିଛିବର୍ଷ ଧରି ଓଡ଼ିଶା ଆଇଟି କ୍ଷେତ୍ରରେ ଅନେକ ଦୂରଦୃଷ୍ଟିସମ୍ପର୍ଣ୍ଣ ପଦକ୍ଷେପ ନେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା ସହ ଆଇଟି କ୍ଷେତ୍ରରେ ରାଜ୍ୟ ଅଭିବୃଦ୍ଧିର ହାର ତ୍ୱରାନ୍ୱିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦ୍ରୁତଗତିରେ ଭାରତର ପ୍ରଯୁକ୍ତି ବିଜ୍ଞାନ ଉତ୍ସ କେନ୍ଦ୍ର ଭାବରେ ପରିଗଣିତ ହୋଇଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।
ଭୁବନେଶ୍ୱରରେ ଉପଲବ୍ଧ ଆଇଟି ଅନୁକୂଳ ଇକୋସିଷ୍ଟମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନେକ ଆଇଟି କମ୍ପାନୀ ଏଠାରେ ନିବେଶ କରିବା ପାଇଁ ଆଗ୍ରହୀ । ଅନୁକୂଳ ପରିବେଶ, ସରକାରୀ ସହାୟତା ଏବଂ ବିପୁଳ ମେଧା ନିବେଶକଙ୍କୁ ଅଧିକ ଆକୃଷ୍ଟ କରିଛି । ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ଡେଭେଲପମେଣ୍ଟ ସେଣ୍ଟର ଖୋଲିବା ଦ୍ୱାରା ଆଇଟି କ୍ଷେତ୍ରରେ ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟ ଯୋଗ ହୋଇଛି । ଏହା ରାଜ୍ୟର ସକ୍ରିୟ ଆଇଟି ଇକୋସିଷ୍ଟମର ସୂଚନା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ଡେଭେଲପମେଣ୍ଟ ସେଣ୍ଟରର ନିରବଚ୍ଛିନ୍ନ ଗ୍ରାହକ ଅଭିଜ୍ଞତା, ବ୍ୟବସାୟ ଦକ୍ଷତା ଏବଂ କାର୍ଯ୍ୟକ୍ଷମ ଅନ୍ତର୍ଦୃଷ୍ଟି ଉଦ୍ୟୋଗଗୁଡ଼ିକୁ ଡିଜିଟାଲ୍ ପରିବର୍ତ୍ତନ ସମାଧାନ ବିତରଣ କରିବା ଲାଗି କ୍ଷମତା ବିସ୍ତାର କରିବା ପାଇଁ ଏହି ନୂତନ ଶାଖାକୁ ସକ୍ଷମ କରିବ । କମ୍ପାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବ୍ଲକ୍ ଚେନ୍, କ୍ଲାଉଡ୍, ଡିଜିଟାଲ୍ ପ୍ରକ୍ରିୟା ସ୍ୱୟଂକରଣ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ, ରୋବୋଟିକ୍ସ/ଡ୍ରୋନ୍, ସୁରକ୍ଷା ଏବଂ ଭର୍ଚୁଆଲ୍/ଅଗ୍ମେଣ୍ଟେଡ୍ ରିଆଲିଟି କ୍ଷେତ୍ରରେ ନିଜର ବଳୟକୁ ସମୃଦ୍ଧ କରିବା ପାଇଁ ଲକ୍ଷ୍ୟ ରଖିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *