‘କାଳିଆ’ରେ ଚାଷୀଙ୍କୁ ତୁରନ୍ତ ୧ଠ ହଜାର ଦିଅ

ଭୁବନେଶ୍ୱର (ବୁ୍ୟରୋ): ଓଡିଶାରେ ୮୦% ଲୋକ ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ୨୨ବର୍ଷର ଶାସକ ଦଳ ଓଡ଼ିଶାର ଚାଷୀ ପ୍ରତି ବ୍ୟବସ୍ଥା କରିବାରେ ବିଫଳ ସାବ୍ୟସ୍ତ ହୋଇଛି । ଚାଷୀମାନେ ମୁଣ୍ଡ ଝାଡ ତୁଣ୍ଡରେ ମାରି ଚାଷ କରୁଥିଲେ ମଧ୍ୟ ସେଥିରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ନିର୍ଦ୍ଦୟ ରାଜ୍ୟ ସରକାର ଚାଷୀଙ୍କ ଲାଗି ଧୃତରାଷ୍ଟ୍ର ସାଜିଛନ୍ତି । ଚାଷୀଙ୍କୁ ନ୍ୟାୟ ଦେବା ଲାଗି ଭାରତୀୟ ଜନତା ପାର୍ଟି ସର୍ବଦା ଚାଷୀଙ୍କ ସାଙ୍ଗରେ ରହି ଲଢ଼େଇ କରି ବିଧାନସଭା ସମ୍ମୁଖରେ ୬ଦିନ ହେବ ସତ୍ୟାଗ୍ରହ କରୁଛି । ବିଜେପିର ଏହି ସତ୍ୟାଗ୍ରହରେ ଯାଜପୁର ଜିଲ୍ଲାର ଧର୍ମଶାଳା, ବରି, ବିଂଝାରପୁର ନିର୍ବାଚନ ମଣ୍ଡଳୀର ଚାଷୀମାନେ ଯୋଗଦେଇ ରାଜ୍ୟ ସରକାରଙ୍କୁ ବିରୋଧ କରିଥିଲେ ।
ମୋଦୀ ସରକାର ଧାନ କ୍ୱିଣ୍ଟାଲ ପିଛା ୨୦୪୦ଟଙ୍କା କରିଥିଲେ ମଧ୍ୟ ଓଡ଼ିଶାର ଚାଷୀ ୧୨୪୦ଟଙ୍କାରେ ବିକ୍ରି କରୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ବାରମ୍ବାର ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପଠାନ୍ତୁ ବୋଲି କହୁଥିବାବେଳେ ରାଜ୍ୟ ସରକାର ଚାଷୀଙ୍କ ତାଲିକା ନ ଦେଇ ଦୋଷ ଦେଉଛନ୍ତି । ମିଛୁଆ ସରକାର ଚଳିତ ବର୍ଷ ନଭେମ୍ବର ୨ରୁ ମଣ୍ଡି ଖୋଲିବେ ଓ ଚାଷୀଙ୍କ ଧାନ କିଣିବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ୨୩ତାରିଖ ହୋଇଥିଲେ ବି ବରଗଡ ଜିଲ୍ଲାରେ ଗୋଟିଏ ମଣ୍ଡି ଖୋଲିଛି ଅନ୍ୟ ଜିଲ୍ଲାରେ ମଣ୍ଡି ଖୋଲା ହୋଇନାହିଁ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି ।
ରାଜ୍ୟ ସରକାର ଚାଷୀଙ୍କ ଏଭଳି ଅବିଚାର କରୁଛନ୍ତି ବୋଲି ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତି ପରିଡା ପ୍ରଶ୍ନ କରିଛନ୍ତି । ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, କଟନି ଛଟନି, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ବୀମରାଶି ଓ ରାଜ୍ୟ ସରକାର ୨୦୧୮ରେ ଘୋଷଣା କରିଥିବା କାଳିଆର ବାର୍ଷିକ ଦଶ ହଜାର ଟଙ୍କା ଚାଷୀକୁ ତୁରନ୍ତ ପ୍ରଦାନ କରାଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି । ସତ୍ୟାଗ୍ରହରେ ଶତାଧିକ ଚାଷୀ ଓ ନେତା-କର୍ମୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *