ବଡ଼ବଡ଼ିଆଙ୍କୁ ମାଫ୍, ଛୋଟ ବ୍ୟବସାୟୀଙ୍କ ପେଟକୁ ନାତ
ପୌରପାଳିକାର ଅଜବ ନୀତି
ପୁରୀ (ବୁ୍ୟରୋ): ପୌରପାଳିକାର ଅଜବ ନୀତି ଦେଖିବାକୁ ମିଳିଛି । ବ୍ୟବସାୟୀଙ୍କୁ କୌଣସି ସୂଚନା ନ ଦେଇ ସେମାନଙ୍କ ଦୋକାନୀକୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ହେବା ପରେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବ୍ୟବସାୟୀ । ଏନେଇ ୨୫ ଉଠାଦୋକାନୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି ।
ଏ ନେଇ ଉଠାଦୋକାନୀ ଦିଗମ୍ବର ଜେନା କୁହନ୍ତି, ଆମ୍ଭେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଶ୍ୱର୍ରେ ଡାଲା ଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲୁ । ପଞ୍ଚକ ଓ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ପୌର ପ୍ରଶାସନ ୮ଦିନ ବ୍ୟବସାୟ ବନ୍ଦ ରଖିବା ଲାଗି ପରାମର୍ଶ ଦେଇଥିଲେ । ଏହା ମଧ୍ୟରେ ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ଆମ୍ଭମାନଙ୍କୁ ପୌରପାଳିକା ବ୍ୟବସାୟ କରିବାକୁ ଅନୁମତି ଦେଉନାହିଁ । ଫଳରେ ଆମ୍ଭମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇପଡୁଛି । ବଡ଼ଦାଣ୍ଡରେ ବଡ଼ବଡ଼ିଆ ଜାଗା ଜବରଦଖଲ କରି ବ୍ୟବସାୟ କରୁଥିବା ବେଳେ ସେମାନଙ୍କୁ ମାଫ୍, କିନ୍ତୁ ଛୋଟ ବ୍ୟବସାୟୀଙ୍କ ପେଟକୁ ନାତ ମାରୁଛି ପ୍ରଶାସନ । ତେବେ ପ୍ରଶାସନର ଏଭଳି ମନମୁଖି କାର୍ଯ୍ୟକୁ ଦୃଢ଼ ବିରୋଧ କରି କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଶ୍ରମିକ ନେତା ଜଗନ୍ନାଥ ଦେଓଙ୍କ ନେତୃତ୍ୱରେ ଡମ୍ବରୁଧର ପଣ୍ଡା, ପ୍ରଦୀପ କୁମାର ନାୟକ, ଗଙ୍ଗାଧର ହରିଚନ୍ଦନ, ପ୍ରମୋଦ କୁମାର ନାୟକ, ମିଟୁ ମହାନ୍ତି, ଭରତ ବିଶ୍ୱାଳଙ୍କ ସମେତ ଅନ୍ୟ ବ୍ୟବସାୟୀମାନେ ଉପସ୍ଥିତ ଥିଲେ ।