ରିମାଣ୍ଡରେ ଆସିବ ଅର୍ଚ୍ଚନା
ଶ୍ରଦ୍ଧା-ଅକ୍ଷୟ-ଖଗେଶ୍ୱରଙ୍କୁ ମାରାଥନ୍ ଜେରା
ଭୁବନେଶ୍ୱର, ୨୩ା୧୧ (ବୁ୍ୟରୋ): ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କ ପରେ ବୁଧବାର ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ଇଡି ପକ୍ଷରୁ ବାରମ୍ବାର ସମନ କରାଯିବା ପରେ ବୁଧବାର ସକାଳୁ ତାଙ୍କୁ ମାରାଥନ୍ ଜେରା କରାଯାଇଛି । ପରେ ଅକ୍ଷୟ ପରିଜା ଓ ଖଗେଶ୍ୱରଙ୍କ ସହ ଶ୍ରଦ୍ଧାଞ୍ଜଳୀଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି । ଏହି ମାମଲାକୁ ଆହୁରି ପୁଷ୍ଟ କରିବାକୁ ବୁଧବାର ଇଡି ଭୁବନେଶ୍ୱର ଜିଲ୍ଲା ଦ୍ୱାରା ଜଜ୍ଙ୍କ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି । ଅର୍ଚ୍ଚନାକୁ ପ୍ରଡକ୍ସନ୍ ରିମାଣ୍ଡରେ ଆଣି କୁଖ୍ୟାତ ଅଭିଯୋଗକାରି ଓ ଅଭିଯୁକ୍ତଙ୍କୁ ଗୋଟିଏ ଟେବୁଲ୍ରେ ବସାଇ ସବୁ ସତ ଓଗାଳିବ ବୋଲି ଅନୁମାନ କରାଯାଉଛି ।
ଅର୍ଚ୍ଚନା ମାମଲାକୁ ଏବେ ଇଡି ଜୋରସୋରରେ ଘାଣ୍ଟୁଥିବାବେଳେ ଏଥିରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳିଙ୍କ ନିକଟରୁ ସତ ଉଗାଳିବାକୁ ପୂର୍ବରୁ ବହୁ ଥର ସମନ କରିଥିଲା । ଏପରିକି ତାଙ୍କ ଘରକୁ ଯାଇ ସମନ କରିଥିଲେ ବି ସେଠାରେ ସେ ଉପସ୍ଥିତ ନ ଥିଲେ । ଇତି ମଧ୍ୟରେ ଶ୍ରଦ୍ଧାଞ୍ଜଳି ୨୫ ଜାଗା ପରିବର୍ତ୍ତନ କରି ସାରିଥିବା ଜଣାଯାଇଛି । ଗତକାଲି ସେ ଭୁବନେଶ୍ୱରର ଏକ ହୋଟେଲରେ ଥିବାବେଳେ ପୁଲିସ୍ ତାଙ୍କୁ ଠାବ କରି ଇଡିରେ ହାଜର ହେବାକୁ ସମନ ଦେଇଥିଲା । ତେଣୁ ସେ ସକାଳୁ ସକାଳୁ ଇଡି କାର୍ଯ୍ୟାଳୟରେ ପହଞ୍ଚି ଥିବା ଅନୁମାନ କରାଯାଉଛି । ସେପଟେ ଅର୍ଚ୍ଚନା ନାଗକୁ ଇଡି ରିମାଣ୍ଡରେ ଆଣିଲେ ବଡ଼ ଗୁମର ଖୋଲିପାରେ । ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ଇଡି ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିପାରେ ବୋଲି ଜଣାପଡ଼ିଛି ।
ସେପଟେ କ୍ରମାଗତ ଦ୍ୱିତୀୟଦିନ ପାଇଁ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗତକାଲି ପ୍ରାୟ ୫ ଘଣ୍ଟାର ଜେରା ପରେ ବୁଧବାର ମାରାଥନ ଜେରାର ସମ୍ମୁଖୀନ ହୋଇଛନ୍ତି । ଶ୍ରଦ୍ଧାଞ୍ଜଳି ପାର୍ଲର କରିବା ପାଇଁ ଅକ୍ଷୟ ପରିଜାଙ୍କୁ ୫ଲକ୍ଷ ଟଙ୍କା ମାଗିଥିଲେ । ହେଲେ ଟଙ୍କା ନଦେବାରୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବାର ଅଭିଯୋଗ ହୋଇଥିଲା ।