ବର୍ଷାରେ ଭିଜିଲା ପାଚିଲା ଧାନ
ଆସିକା (ଆପ୍ର): ମିଗ୍ଜୋମ୍ ପ୍ରଭାବରେ ଆସିକା ଅଞ୍ଚଳରେ ବର୍ଷା ହେବା ଫଳରେ ପାଚିଲା ଧାନ ଓଦାହେବାରୁ ଫସଲ ହାନି ଆଶଙ୍କା ସୃଷ୍ଟି ହୋଇଛି । କେତେକ ଖାଲୁଆ ଜମିର ପାଚିଲା ଧାନ ଏବେ ବର୍ଷା ପାଣିରେ ଭାସୁଛି । ଫସଲ ସୁରକ୍ଷା ନେଇ ଚାଷୀ ଚିନ୍ତାରେ ପଡ଼ିଛି । କେତେକ ଅଞ୍ଚଳରେ ଧାନକଟା ସାରି କ୍ଷେତରେ ରଖାଯାଇଥିଲା ବେଳେ ଲଗାଣ ବର୍ଷାରେ ତାହା ଭିଜି ନଷ୍ଟ ହେବାକୁ ବସିଲାଣି । ଯଦ୍ଦ୍ୱାରା ଚାଷୀକୁ ଘାରିଛି ବର୍ଷକର ଆହାର ହରାଇବା ଭୟ । ଚଳିତ ପ୍ରଥମେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି
ହୋଇଥିଲା ବେଳେ ଆଉ ଏବେ ଅଦିନିଆ ବର୍ଷା ଅସିକା ଚାଷୀ ସମାଜର ଅଣ୍ଟା ଭାଙ୍ଗି ଦେଇଛି । କିଛି ମାସ ବ୍ୟବଧାନରେ ହେଉଥିବା ଅଦିନିଆ ବର୍ଷା କାରଣରୁ ଚାଷୀ ବ୍ୟାପକ କ୍ଷତି ସହୁଛି । ଯାହାରି ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ପ୍ରକୃତି ଦାଉରେ ହତାଶ ହୋଇପଡ଼ିଛି ଚାଷୀ । ଅମଳ ସମୟରେ ଅଦିନିଆ ବର୍ଷା କାରଣରୁ ଖାଲୁଆ ଜମିରେ ପାଣି ଭରି ହୋଇ ଧାନ ଗଜା ହେବାକୁ ବସିଲାଣି । ବର୍ଷା ଯୋଗୁ ଖରିଫ୍ ଫସଲ ନଷ୍ଟ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ହେଉନାହିଁ । ଓଦା ହେବା ଯୋଗୁଁ ଧାନର ଗୁଣାବତ୍ତା ମଧ୍ୟ ନଷ୍ଟ ହେବା ସମ୍ଭାବନା ଦେଖାଦେଇଛି । ଜିଲ୍ଲା ପ୍ରଶାସନ ତଥା କୃଷି ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଚାଷୀ ସମାଜର ବୃହତ୍ତର ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଅଗ୍ରଣୀ ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ ଅନୁରୋଧ କରିଛନ୍ତି ।