ମନମୋହିଲା ଓଡ଼ିଶୀ ଓ କଥକ ନୃତ୍ୟ

କୋଣାର୍କ (ଆପ୍ର): ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ-୨ଠ୨୩ ପାଞ୍ଚ ଦିନ ଧରି ଚାଲିଥିବା ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଏକ ମନୋରମ ପରିବେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍ୟାପିତ ହୋଇଛି । ସନ୍ଧ୍ୟାରେ ଅତିଥି ଭାବେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେଲିନ୍ମହାନ୍ତି, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।ସନ୍ଧ୍ୟାର ପ୍ରଥମ ଚରଣରେ ଭୁବନେଶ୍ୱରର ଗୀତ ଗୋବିନ୍ଦ ଟ୍ରଷ୍ଟ ପକ୍ଷରୁ ଗୁରୁ କୁମ୍କୁମ୍ ମହାନ୍ତି ମଞ୍ଚସ୍ଥ କରିଥିଲେ ଓଡ଼ିଶୀ ନୃତ୍ୟ । ପାରମ୍ପରିକ ବିଧି ଓ ସମର୍ପଣ ପ୍ରକାଶକୁ ମଞ୍ଚସ୍ଥ କରିଥିଲା । ମଞ୍ଚ ପୂଜା ଓ ହସଧ୍ୱନି ପଲ୍ଲବୀ ଓଡ଼ିଶୀର ଛନ୍ଦରେ ନୃତ୍ୟଶିଳ୍ପୀ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ଦ୍ୱିତୀୟ ଅର୍ଘ୍ୟରେ କୋଲକାତାର ଲୁନା ପୋଦାର ଓ ସାଥି କଥକ ନୃତ୍ୟ ପରିବେଷଣ କରିଥିଲେ । ସୂର୍ଯ୍ୟଙ୍କ ପ୍ରକାଶରେ ଜୀବନ ହୁଏ ଚଳଚଞ୍ଚଳ । ଏଥିରେ ସୂର୍ଯ୍ୟ ନାରାୟଣ ଉପାସନା ଆଧାରିତ ଅଭିନୟ ସୂର୍ଯ୍ୟ ଜ୍ୟୋତି ଓ ରସ ରୂପ ରଙ୍ଗର କଳାତ୍ମକ ନିବେଦନ ରଙ୍ଗ ବସନ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଅଧ୍ୟାପକ ଡଃ ମୃତୁ୍ୟଞ୍ଜୟ ରଥ, ସଂହତି ପାଣି, ସଙ୍ଗୀତା ଗୋସାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସେହିଭଳି ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ୧୩ ତମ ଅନ୍ତର୍ଜାତୀୟ ବାଲୁକା କଳା
ଉତ୍ସବ ଉଦ୍ୟାପିତ ହୋଇଛି । ବାଲୁକା କଳାରେ ପ୍ରସଙ୍ଗ ରହିଥିଲା ମାଣବସା ଗୁରୁବାର ଓ ଓଡ଼ିଶାର କିର୍ତ୍ତୀରାଜି । ଚନ୍ଦ୍ରଭାଗା ସମୁଦ୍ର କୂଳରେ ଆୟୋଜିତ ଏହି ବାଲୁକା କଳା ଦେଖିବାକୁ ଶେଷ ଦିବସରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।ବାଲୁକା କଳାରେ ଅସମ୍ଭବ ଭିଡ଼ ହୋଇଥିଲା ଯାହାକୁ ନେଇ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ପାଞ୍ଚଦିନ ଧରି ଚାଲିଥିବା ଏହି ବାଲୁକାଶିଳ୍ପୀ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବାଲୁକାଶିଳ୍ପୀଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ରଙ୍ଗମଞ୍ଚରେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ |

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *