ସଂସଦରେ ୨ ଯୁବକଙ୍କ ହଙ୍ଗାମା
ନୂଆଦିଲ୍ଲୀ, ୧୩ା୧୨: ୨୦୦୧ ଡିସେମ୍ବର ୧୩ ତାରିଖ ପୁରୁଣା ସଂସଦ ଭବନ ଆକ୍ରମଣର ୨୨ ବର୍ଷ ପରେ ବୁଧବାର ଅପରାହ୍ଣରେ ଦୁଇଜଣ ଯୁବକ କଡ଼ା ଚାରି ସ୍ତରୀୟ ସୁରକ୍ଷା ବଳୟ ଭେଦ କରି ନୂଆ ସଂସଦ ଭବନରେ ହଙ୍ଗାମା ମଚାଇଛନ୍ତି । ସାଂସଦମାନେ ପ୍ରଶ୍ନ ଉପସ୍ଥାପନ କରୁଥବା ବେଳେ ଦିନ ଠିକ ୧.୦୨ରେ ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଲୋକସଭା ମଧ୍ୟକୁ ଡିଆଁ ମାରି ସ୍ଲୋଗାନ ଦେବା ସହିତ ଏକ ଡବାରୁ (କ୍ୟାନିଷ୍ଟର) ହଳଦିଆ ଧୂଆଁ ସ୍ପ୍ରେ କରିଛନ୍ତି । ଜଣେ ଯୁବକ ଚେୟାର ଉପରେ ଡେଇଡେଇଁ ବାଚସ୍ପତିଙ୍କ ଆଡ଼କୁ ଯିବାକୁ ଚେଷ୍ଟା କରିଥିବା ବେଳେ ଆଉଜଣେ ଧୂଆଁ ସ୍ପ୍ରେ କରୁଥିବା ଦେଖାଯାଇଛି । ସାଂସଦ ଓ ସୁରକ୍ଷା କର୍ମୀମାନେ ଅନୁପ୍ରବେଶକାରୀ ଯୁବକଦ୍ୱୟଙ୍କୁ କାବୁ କରିବା ସହ ପ୍ରବଳ ମାଡ଼ ମାରିଛନ୍ତି । ଏହା ଅତ୍ୟନ୍ତ ଉଦ୍ବେଗଜନକ ଘଟଣା ବୋଲି ଲୋକସଭା
ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ସରକାରଙ୍କ ଅନୁରୋଧକ୍ରମେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତଦନ୍ତ ନିଦେ୍ର୍ଦଶ ଦିଆଯାଇଛି । ଏହାସହିତ ଉଭୟ ସଦନକୁ ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଏହି ଅଘଟଣ ପରେ ସୁରକ୍ଷା କର୍ମୀମାନେ ତତ୍ପରତା ପୂର୍ବକୁ ସଂସଦ ଭବନକୁ ଘେରି ଯାଇ ଆଉ ଦୁଇ ଯୁବକଯୁବତୀଙ୍କୁ ଗିରଫ କରିଛନ୍ତି । ଘଟଣାରେ ପ୍ରାୟ ୬ ଜଣ ସଂପୃକ୍ତ ଥିବା ପୁଲିସ ସନେ୍ଦହ କରିଛି । ସଂସଦ ଭିତରୁ ଗିରଫ ଦୁଇ ଯୁବକ ହେଲେ ଉତ୍ତର ପ୍ରଦେଶର ସାଗର ଶର୍ମା (୨୫) ଓ କର୍ଣ୍ଣାଟକ ମହୀଶୁରର ଡି ମନୋରଞ୍ଜନ (୩୫) । ସଂସଦ ବାହାରୁ ଧରାପଡ଼ିଥିବା ଦୁଇ ଜଣ ହେଲେ ମହାରାଷ୍ଟ୍ର ଲାଟୁରର ଅମୋଲ ସିନେ୍ଦ ଓ ହରିଆଣା ହିସାରର ନୀଲମ ଦେବୀ (୪୨) । ଅମୋଲ ଓ ନୀଲମ ସଂସଦ ବାହାରେ ଲାଲ ଓ ହଳଦିଆ ରଙ୍ଗର ଗ୍ୟାସ୍ ସ୍ପ୍ରେ କରିଥିଲେ । ଦିଲ୍ଲୀ
ପୁଲିସ୍ର ସ୍ୱତନ୍ତ୍ର ଟିମ୍ ଉକ୍ତ ୬ ଜଣଙ୍କୁ ଜେରା କରୁଛି । ଆଉ ଦୁଇଜଣ ଲଳିତ ଝା ଓ ଭିକି ଶର୍ମା । ସେମାନଙ୍କ ଘର ଗୁଡ଼ୁଗାଁଓରେ ବୋଲି ଜଣାପଡ଼ିଛି । ବିଳମ୍ବରେ ଭିକିକୁ ଗିରଫ କରାଯାଇଛି । କିନ୍ତୁ ଲଳିତ ଫେର ରହିଛି । ସକାଳେ ଲୋକସଭା ଓ ରାଜ୍ୟସଭାରେ
୨୦୦୧ ଆକ୍ରମଣରେ ବଳିଦାନ ଦେଇଥିବା ସହିଦଙ୍କ ପାଇଁ ନିରବ ପ୍ରାର୍ଥନା କରାଯିବାର କିଛି ଘଣ୍ଟା ପରେ ଏଭଳି କାଣ୍ଡ ଘଟିଛି । ସାଗର ନିକଟରୁ ମହୀଶୂର ବିଜେପି ସାଂସଦ ପ୍ରତାମ ସୀମାଙ୍କ ଅଫିସ ତରଫରୁ ପାସ୍ ଇସୁ୍ୟ ହୋଇଥିବା କାଗଜ ଜବତ କରାଯାଇଛି ।ସମସ୍ତେ ସୋଶାଲ ମିଡିଆରେ ପରିଚିତ ହୋଇଥିଲେ ଓ ଲଳିତ ଗୁଡ଼ୁଗାଁଓ ଘରେ ଏକାଠି ହୋଇ ଯୋଜନା କରିଥିଲେ । ସଂସଦ ବାହାରେ ନୀଲମ ଓ ଅନମୋଲ ବିକ୍ଷୋଭ କରୁଥିବା ସମୟରେ ଧରାପଡ଼ିଛନ୍ତି ।