ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର (ବୁ୍ୟରୋ): ଟାଟା ଷ୍ଟିଲ୍ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୩ର ୧୭ତମ ସଂସ୍କରଣର ଶ୍ରେଷ୍ଠ ପାଞ୍ଚ ଜଣ ବିଜେତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗିତାରେ ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ୟାଟ୍ସର ଏହି ସଂସ୍କରଣରେ ରାଜ୍ୟର ୩୦ଟି ଜିଲ୍ଲାର ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାର୍ବଜନୀନ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଆଇଏଏସ୍ ଚିତ୍ରା ଆରୁମୁଗମ, ଓଡ଼ିଶା
ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୁଗ୍ମ ସଚିବ ଆଇଏଏସ୍ ଡ. ୟେଦୁଲା ବିଜୟ ଓ ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ର ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶ୍ରେଷ୍ଠ ୨୦ ବିଜେତା ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ୟାଟସ୍ ଏହାର ଶୁଭାରମ୍ଭ ପରଠାରୁ ଲୋକପ୍ରିୟତା ହାସଲ କରିଆସୁଛି । ମୁଁ ଆନନ୍ଦିତ ଯେ ଆମ ରାଜ୍ୟର ୩୦ଟି ଜିଲ୍ଲାର ୮୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ୟାଟସ୍ ଏକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି ଯାହା ଅଭିନବ ଚିନ୍ତା କରିବାକୁ ଯୁବବର୍ଗକୁ ଉତ୍ସାହିତ କରୁଛି । ଟାଟା ଷ୍ଟିଲର କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ
ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ୟାଟ୍ସର ପ୍ରତ୍ୟେକ ସଂସ୍କରଣରେ ଅଂଶଗ୍ରହଣକାରୀ, ବିଶେଷ କରି ଓଡ଼ିଶାର ଯୁବବର୍ଗଙ୍କ ସଂଖ୍ୟା ବୃଦ୍ଧି ପାଇବା ଏହାର ମୂଲ୍ୟ ଏବଂ ସଫଳତାର ଏକ ଜ୍ୱଳନ୍ତ ପ୍ରମାଣ । ୟାଟ୍ସର ୨୦୨୩ ସଂସ୍କରଣ ମଧ୍ୟ ଭାରତର ସବୁଠାରୁ ସଫଳ ମହାକାଶ ଅଭିଯାନ ଚନ୍ଦ୍ରଯାନ-୩କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଯାହା ଆମ ଯୁବ ବୈଜ୍ଞାନିକଙ୍କ ମଧ୍ୟରେ ଅଧିକ ଉତ୍ସାହ ସୃଷ୍ଟି କରିଛି ।