ମଦଭାଟିରୁ ବସ୍ତା ବସ୍ତା ଟଙ୍କା ଜବତ

ବଲାଙ୍ଗୀର (ଆପ୍ର): ବଲାଙ୍ଗୀରରେ ଆୟକର ବିଭାଗର ଟିମ୍ ଲଗାତାର ଆଜି ତୃତୀୟ ଦିନ ମଦଭାଟିରେ ଚଢ଼ାଉ ଜାରି ରଖିଛି । ବଲାଙ୍ଗୀର ସୁଦପଡାଠାରେ ବଳଦେବ ସାହୁ ଆଣ୍ଡ ଗ୍ରୁପ ଅଫ୍ କମ୍ପାନୀ ପରିଚାଳିତ ମଦଭାଟିରେ ବୁଧବାର ସନ୍ଧ୍ୟାରୁ ଚଢ଼ଉ ଜାରି ରହିଛି । ଶୁକ୍ରବାର ରାତିରେ ମ୍ୟାନେଜରଙ୍କ ଘରୁ ବସ୍ତା ବସ୍ତା ଟଙ୍କା ଜବତ କରାଯାଇ ଏକ ଟ୍ରକରେ ଷ୍ଟେଟ ବ୍ୟାଙ୍କକୁ ନିଆଯାଇଛି । ଆସନ୍ତାକାଲି ଗଣତି ପରେ କେତେ ଟଙ୍କା ଜବତ ହୋଇଛି ଜଣାପଡ଼ିବ । ଗତ ମଧ୍ୟରାତ୍ରରେ ମଧ୍ୟ ଆୟକର ଅଧିକାରୀମାନେ ଟ୍ରକରେ ସମସ୍ତ ଟଙ୍କା ବୋଝେଇ କରି ଭାରତୀୟ ଷ୍ଟେଟ ବ୍ୟାଙ୍କର ବଲାଙ୍ଗୀର ମୁଖ୍ୟ ଶାଖାକୁ ନେଇଥିଲେ । ଆଜି ସକାଳେ ଟଙ୍କା ଗଣତି କରାଯାଇଛି । ବଳଦେବ ସାହୁ ଆଣ୍ଡ ଗ୍ରୁପ ଅଫ୍ କମ୍ପାନୀ ପରିଚାଳିତ ସୁଦପଡ଼ା ମୁଖ୍ୟ ମଦଭାଟିରେ ଆୟକର ବିଭାଗ ଟିକସ ଫାଙ୍କି ଥିବା ଅଭିଯୋଗରେ ଚଢ଼ଉ କରିଛି । ସ୍ଥାନୀୟ ପୁଲିସ ସହିତ ଶିଳ୍ପ ନିରାପତ୍ତା ବାହିନୀର ଯବାନମାନେ ଉଭୟ ଭାଟି ଓ ଅଫିସକୁ ଜଗି ରହିଛନ୍ତି । ଆୟକର ବିଭାଗ ୫୦ରୁ ଅଧିକ ଅଧିକାରୀ ୧୫ରୁ ୨୦ଟି ଇନୋଭା କାର ଆସି ଗୋଟିଏ ପରେ ଗୋଟିଏ ସ୍ଥାନରେ ରେଡ୍ କରାଉଛନ୍ତି । ଆଜି ଅପରାହ୍ଣରୁ କ୍ଲବ୍ପଡ଼ା ସ୍ଥିତ ଭାଟିର ଅଫିସ୍ ଘରକୁ ବାହାରୁ ତାଲା ଦେଇ ଆୟକର ଅଧିକାରୀମାନେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଟଙ୍କା ସହିତ ବିଭିନ୍ନ ଦଲିଲ, କାଗଜପତ୍ର ମଧ୍ୟ ଜବତ କରାଯାଇଛି ।ଟଙ୍କା ଗଣାଯିବା ପରେ କାଗଜପତ୍ର ଯାଞ୍ଚ ପ୍ରକିୟା ଏକ ସପ୍ତାହ ଲାଗି ବୋଲି କୁହାଯାଇଛି । ବଲାଙ୍ଗୀର ଭାଟିରେ ଏତେ ପରିମାଣର ଟଙ୍କା ମିଳିବା ପରେ ସମସ୍ତେ ତାଜୁବ ହୋଇଯାଇଛନ୍ତି । ବଲାଙ୍ଗୀର ଜିଲ୍ଲାରେ ବଳଦେବ ସାହୁ ଆଣ୍ଡ ଗ୍ରପ ଅଫ୍ କମ୍ପାନୀ ୬୪ଟି ଭାଟି ଓ ବିକ୍ରୟ କେନ୍ଦ୍ର ରହିଛି ।୨୬ଟି ଅପ୍ସପ ଥିବା ବେଳେ ୧୧ଟି ଅନ୍ସପ୍ ରହିଛି । ଏଥିରୁ କେବଳ ବଲାଙ୍ଗୀରରେ ୬ଟି ଅନ୍ସପ୍ ରହିଛି । ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବଲାଙ୍ଗୀର ଜିଲ୍ଲାରୁ ଅବକାରୀ ବିଭ୍ାଗ ୫୬ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଥିବା ବେଳେ ୬୪ କୋଟି ଆଦାୟ କରିଥିଲା । ଚଳିତ ବର୍ଷ ୬୭ କୋଟି ୨୦ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏ ପର୍ଯ୍ୟନ୍ତ ୩୪ କୋଟି ଆଦାୟ କରିଥିବା ଜଣାଯାଇଛି । ବଳଦେବ ସାହୁ ଆଣ୍ଡ ଗ୍ରୁପ ଅଫ୍ କମ୍ପାନୀର ବୌଦ୍ଧ ଠାରେ ଏକ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଟେଡ ରହିଥିବା
ବେଳେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ମୟୂରଭଞ୍ଜ ଜିଲ୍ଲାରେ ମଦଭାଟି ଥିବା ଜଣାଯାଇଛି । ସେହିପରି ଟିଟିଲାଗଡ଼ର ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି । ଚଢ଼ଉକୁ ନେଇ ବିଭାଗ ପକ୍ଷରୁ କୌଣସି ଅଧିକାରୀ ମୁହଁ ଖୋଲୁଥିବା ବେଳେ ନିୟୋଜିତ ସିଆର୍ପିଏଫ୍ଯବାନ ବାହାର ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବାକୁ ବାରଣ କରିଥିଲେ । ଟଙ୍କା ଗଣତି ସରିନ ଥିବାରୁ ସୁନାଗହଣା ହିସାବ ହୋଇପାରୁନି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *