ଦୁଇ ବ୍ୟାଙ୍କ ଅଫିସର ଗିରଫ
ଭୁବନେଶ୍ୱର(ବୁ୍ୟରୋ): କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା ନକଲି କୃଷକଙ୍କ ନାଁରେ ୩.୩୩ କୋଟି ଟଙ୍କାର ଋଣ ଉଠାଇ ହଡ଼ପ କରିବା ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦୁଇଜଣ ପୂର୍ବତନ ଅଧିକାରୀଙ୍କୁ ଗିରଫ କରିଛି । ଦୁଇ ଅଧିକାରୀ ହେଲେ କଟକ ଜିଲ୍ଲା ଭଦ୍ରେଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କ ଶାଖାର ପୂର୍ବତନ ପରି·ଳକ ଡମ୍ବୁରୁଧର ନାୟକ ଓ ପୂର୍ବତନ କୃଷି ଋଣ ଲଗାଣ ଅଧିକାରୀ ଦେବୀଦତ୍ତ ପାଣିଗ୍ରାହୀ । ଉଭୟଙ୍କୁ କଟକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି । ସୂଚନା ଅନୁଯାୟୀ, ୧୮-୯- ୨୦୧୫ରୁ ୧୧-୧୧-୨୦୧୮ ମଧ୍ୟରେ ଦୁହେଁ ୬୮ ଟି କିଷାନ କ୍ରେଡିଟ୍ କାର୍ଡ ଓ ୨୪ ଟି ଟର୍ମ ଲୋନ୍ ଆକାଉଣ୍ଟ୍ରେ ବେଆଇନ ଭାବେ ଋଣ ମଞ୍ଜୁର କରି ଆତ୍ମସାତ କରିବା ସହିତ ସରକାରଙ୍କ ଠାରୁ ମିଳୁଥିବା ରିଆତି ମଧ୍ୟ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ମୋଟ ୩ କୋଟି ୩୩ ଲକ୍ଷ ୫୨ ହଜାର ୬୦୨ ଟଙ୍କା ହଡ଼ପ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ମୁଖ୍ୟ ଅନାଦି ବିଶ୍ୱାସ ଡମ୍ବରୁଧର ଓ ଦେବୀଦତ୍ତଙ୍କ ବିରୋଧରେ ଇଓଡବ୍ଲୁ୍ୟରେ ଅଭିଯୋଗ କରିଥିଲେ । ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଭଦ୍ରେଶ୍ୱର, କେନ୍ଦୁଝର ଓ ଭୁବନେଶ୍ୱରରେ ନିଯୁକ୍ତି ପାଇଥିଲେ । ଦୁହେଁ ନକଲି ଚାଷୀଙ୍କ ନାମରେ ଆକାଉଣ୍ଟ ଖୋଲି ଅର୍ଥ ଆତ୍ମସାତ୍ କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଉଭୟଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା । ଇଓଡବ୍ଲୁ୍ୟ ଅଧିକାରୀ ତଦନ୍ତ କରି ସେମାନଙ୍କଠାରୁ ବେଆଇନ କାଗଜପତ୍ର ଜବତ କରିଛନ୍ତି ।