ଓଡ଼ିଶା ଭିଜିଲାନ୍ସ ଦେଶରେ ଟପ

ଭୁବନେଶ୍ୱର (ବୁ୍ୟରୋ): ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ମଧ୍ୟ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଜାତୀୟ ଅପରାଧ ରେକର୍ଡ ବୁ୍ୟରୋ (ଏନ୍ସିଆର୍ବି) ତଥ୍ୟ । ଯେଉଁଥିରେ ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଓଡ଼ିଶା ଭିଜିଲାନ୍ସ ଦେଶରେ ସବୁଠୁ ଆଗରେ ରହିଛି । ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ରେକର୍ଡ କରିଛି ଓଡ଼ିଶା ଭିଜିଲାନ୍ସ । ୨୦୨୨ରେ ଓଡ଼ିଶା ଭିଜିଲାନ୍ସ ସେଲ୍ ପକ୍ଷରୁ ସର୍ବାଧିକ ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି, ଯାହା କି ଦେଶରେ ସର୍ବାଧିକ । ଜାତୀୟ ଅପରାଧ ରେକର୍ଡ ବୁ୍ୟରୋ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି । ୨ଠ୨୨ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବାରେ ଓଡ଼ିଶା ଭିଜିଲାନ୍ସ ଦେଶରେ ପ୍ରଥମ ସ୍ଥାନରେ ଥିବା ବେଳେ କର୍ଣ୍ଣାଟକ ଓ ବିହାର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ଏନ୍ସିଆରବି ତଥ୍ୟ ଅନୁସାରେ କର୍ଣ୍ଣାଟକରେ ୫୬ ଓ ବିହାରର ୪୮ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରାଯାଇଛି । ଏହାଛଡ଼ା ଗତବର୍ଷ ଲାଞ୍ଚ ଗ୍ରହଣ କରୁଥିବା ବେଳେ ୧୧୮ ଜଣ ସରକାରୀ କର୍ମଚାରୀଙ୍କୁ ଧରିଥିଲା ଓଡ଼ିଶା ଭିଜିଲାନ୍ସ । ଯେଉଁ ସମୟରେ ବି ଦୁର୍ନୀତିର ଅଭିଯୋଗ ଆସିଛି, ସେତେବେଳେ ଦୁର୍ନୀତିଖୋରଙ୍କୁ ଶାସ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର୍ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଜିରୋ ଟଲେରାନ୍ସ ବା ଶୂନ୍ୟ ସହନଶୀଳ ନୀତି ଆପଣାଇ ସରକାରୀ କଳକୁ ବାରମ୍ବାର ସତର୍କ କରାଉଥିବା ମୁଖ୍ୟମନ୍ତ୍ରୀ ନେଇ ଚାଲିଛନ୍ତି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଯାହା ଦିନକୁ ଦିନ ଉଦାହରଣ ପାଲଟିବାରେ ଲାଗିଛି ।ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି |