ଟ୍ରକ୍-କାର୍ ଧକ୍କାରେ ୪ ମୃତ
ଆଠଗଡ, ୧୮ା୯ (ଆପ୍ର): ସୋମବାର ଅପରାହ୍ଣ ୩ଟାବେଳେ ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡ଼କ ଛକରେ ଏକ ଆଇସର୍ ଟ୍ରକ ଧକ୍କାରେ ୪ ଜଣ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆଠଗଡରୁ କଟକ ସ୍ଥାନାନ୍ତରିତ ହୋଇଛନ୍ତି ।
ତିଗିରିଆ ଥାନା ବିନ୍ଧାଣିମା ଗ୍ରାମର ଭୀମସେନ ବେହେରାଙ୍କ ପୁଅ ସୁବାସ (୩୬), ଗଣେଶ୍ୱର ଖଟୁଆଙ୍କ ପୁଅ ଚନ୍ଦନ (୨୮), ବିନ୍ଧାଣିମା ବାଣେଶ୍ୱରପଡାର ମଙ୍ଗୁଳି ବେହେରାଙ୍କ ପୁଅ ଆନନ୍ଦ (୩୯), ନୂଆପାଟଣାର ବୀରବର ପୁଷ୍ଟିଙ୍କ ପୁଅ ଶିଲୁ (୨୭) ଓ ନୀଳମଣି ସାହୁଙ୍କ ପୁଅ ଦୀପକ ସାଙ୍ଗ ହୋଇ ଅଂଶୁପାରୁ ବୁଲାବୁଲି କରି ଘରକୁ ଫେରୁଥିଲେ । ସେମାନଙ୍କ କାର୍ ନୂଆ ସଡ଼କ ଛକ ନିକଟରେ ନରସିଂହପୁର ପଟୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କ କାର୍କୁ ସାମ୍ନାପଟୁ ଧକ୍କା ଦେଇଥିଲା ।
ଘଟଣା ସ୍ଥଳରେ ତିଗିରିଆ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ଓ ଆଠଗଡ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚô ଗ୍ୟାସ କଟରରେ କାଟି ଗାଡ଼ି ଭିତରୁ ଗୋଟିଏ ପରେ ଗୋଟିଏ ଶବ ଉଦ୍ଧାର କରିଥିଲେ । ଶବଗୁଡିକୁ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଗାଡ଼ିରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ଆଠଗଡ ଉପଖଣ୍ଡ ଚିକିତ୍ସଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର ଓ ଡାକ୍ତର ଦିଲ୍ଲୀପ କୁମାର ପାତ୍ର ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଦୀପକ ସାହୁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ । ବ୍ୟବଚ୍ଛେଦ ସମୟ ଅତିକ୍ରାନ୍ତ ହୋଇଥିବାରୁ ଶବଗୁଡିକୁ ଆଠଗଡ ଶବ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି । ମଙ୍ଗଳବାର ଶବ ବ୍ୟବଚ୍ଛେଦ କରଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ଜଣାଇଛନ୍ତି ।