ମହିଳା ଆରକ୍ଷଣ ବିଲ୍କୁ ମଞ୍ଜୁରି
କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ,୧୮ା୯: ସୋମବାର ଠାରୁ ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ପୁରୁଣା ସଂସଦ ଭବନରେ ବସିଥିଲା ଶେଷ ଅଧିବେଶନ । ଏହାପରେ ମଙ୍ଗଳବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖା ଯାଇଥିଲା । ଗଣେଶ ପୂଜାରୁ ନୂଆ ସଂସଦ ଭବନରେ ରାଜ୍ୟସଭା-ଲୋକସଭା କାର୍ଯ୍ୟ ଆରମ୍ଭ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତରେ ସମ୍ବିଧାନ ପୁସ୍ତକ ଧରି ୭୮୩ ସାଂସଦଙ୍କ ଗହଣରେ ନୂଆ ସଂସଦ ଭବନ ପର୍ଯ୍ୟନ୍ତ ଚାଲିଚାଲି ଯିବେ । ମଙ୍ଗଳବାର ଅପରାହଣ ୧.୧୫ ରୁ ଲୋକସଭା ଓ ୨.୧୫ ରୁ ରାଜ୍ୟସଭା କାର୍ଯ୍ୟକ୍ରମ ଆରମ୍ଭ ହେବ ।
ସୋମବାର ଅଧିବେଶନ ଚାଲିବା ମଧ୍ୟରେ ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ଡକାଯାଇଥିଲା । ଦେଢଘଣ୍ଟାର ବୈଠକ ପରେ ପ୍ରେସ୍ ବ୍ରିଫିଙ୍ଗ୍ ହୋଇନଥିଲା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ସବୁ କ୍ୟାବିନେଟ୍ ମନ୍ତ୍ରୀ ଉପସ୍ଥିତ ଥିଲେ । ବୈଠକରେ କି ନିଷ୍ପତ୍ତି ନିଆଗଲା ଜଣା ପଡିନାହିଁ । ସୂତ୍ର ଅନୁଯାୟୀ, ମହିଳା ଆରକ୍ଷଣ ବିଲ୍କୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରି ଦିଆଯାଇଛି । ଏହାଛଡା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । କ୍ୟାବିନେଟ୍ ନିଷ୍ପତ୍ତି ସମ୍ବନ୍ଧୀୟ ସୂଚନା ମଙ୍ଗଳବାର ସଂସଦରେ ଦିଆଯିବ ବୋଲି ଜଣାପଡିଛି ।
ସ୍ୱତନ୍ତ୍ର ଅଧିବେଶନରେ ୮ଟି ବିଲ୍ ଉପସ୍ଥାପନ କରାଯିବ । ସରକାର ବିଲ୍ଗୁଡିକୁ ରବିବାର ସର୍ବଦଳୀୟ ବୈଠକ ବେଳେ ବିରୋଧୀ ଦଳ ନେତାମାନଙ୍କୁ ଦେଇଥିଲେ । ସବୁ ବିରୋଧୀ ଦଳ ନିର୍ବାଚନ କମିଶନ ନିଯୁକ୍ତି ବିଲ୍ (ସିଇସି ନିଯୁକ୍ତି ବିଲ୍)କୁ ବିରୋଧ କରିଥିଲେ । ତେଣୁ ସରକାର ସ୍ୱତନ୍ତ୍ର ଅଧିବେଶନରେ ଏହିି ବିଲ୍ ଉପସ୍ଥାପନ କରିବେ ନାହିଁ ବୋଲି ଜଣାପଡ଼ିଛି । ବିଶେଷ ଅଧିବେଶନ ପାଇଁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଯେଉଁ ଏଜେଣ୍ଡା ଘୋଷଣା କରାଯଅଇଛି, ତା ଉପରେ ରାଜନୈତିକ ମହଲରେ ବିଶେଷ ଉତ୍ସୁକତା ପ୍ରକାଶ ପାଇନାହିଁ । ବିରୋଧୀ ପକ୍ଷ ସନେ୍ଦହ କରିଆସୁଛନ୍ତି ଯେ ଡାକ ବିଲ୍ ଏବଂ ପ୍ରେସ୍ ଓ ପତ୍ରପତ୍ରିକା ବିଲ୍ ଭଳି ପ୍ରସଙ୍ଗ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେଉଁଥିପାଇଁ ସରକାର ବିଶେଷ ଅଧିବେଶନ ଡାକିଛନ୍ତି । ଏହି ଅଧିବେଶନରେ ଏ÷÷ତିହାସିକ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଅଧିବେଶନ ଆରମ୍ଭ ପୂର୍ବରୁ ମିଡିଆକୁ କହିବା ପରଠାରୁ ସେ ବିଷୟରେ ଆଲୋଚନା ତେଜିଛି । ସରକାର କି ଐତିହାସିକ ବିଲ୍ ଆଣିବେ ଯାହାଦ୍ୱାରା ଦେଶର ଚିତ୍ର ବଦଳିଯିବ? ୨୦୨୪ ନିର୍ବାଚନ ଜିତିବା ପାଇଁ କୌଣସି ବଡ଼ ବିଲ୍ ଆଣିପାରନ୍ତି ବୋଲି ଅନୁମାନ କରାଯାଉଛି ।
ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଥିଲା । ଅଧିବେଶନ ଆରମ୍ଭରେ ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା କରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ, ନେହରୁଙ୍କ ଅବଦାନ ମୂଲ୍ୟବାନ ।