ଗୋବିନ୍ଦାଙ୍କୁ ଜେରା କରିବ ଇଓଡବ୍ଲୁ୍ୟ
ହଜାରେ କୋଟିର କ୍ରିପ୍ଟୋ ଘୋଟାଲା
ନୂଆଦିଲ୍ଲୀ,୧୪ା୯: ହଜାରେ କୋଟି ଟଙ୍କାର ଅନଲାଇନ୍ ପୋଞ୍ଜି ସ୍କାମ୍ ମାମଲାରେ ସୋଲାର ଟେକ୍ନୋ ଆଲାଏନ୍ସ (ଏସ୍ଟିଏ-ଟୋକନ) ଲୋକଙ୍କ ଠାରୁ ଲୁଟ୍ କରିବା ଘଟଣାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) ଜେରା କରିବ । ଜୁଲାଇରେ ଗୋଆରେ ଆୟୋଜିତ ଏସ୍ଟିଏ କମ୍ପାନୀର ଏକ ଭବ୍ୟ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇ ଏସ୍ଟିଏରେ ଟଙ୍କା ବିନିଯୋଗ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ । ଏହି କମ୍ପାନୀରେ ଗୋବିନ୍ଦାଙ୍କର ଭୂମିକା ବିଷୟରେ ଖୋଳତାଡ କରିବା ପାଇଁ ଇଓଡବ୍ୟ୍ଲୁର ସ୍ୱତନ୍ତ୍ର ଟିମ୍ ମୁମ୍ବାଇ ଯିବ ।
ଏସ୍ଟିଏ-ଟୋକନ ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ ଓ ଭୁବନେଶ୍ୱରରେ କାରବାର ଚଳାଇଥିଲା । ଓଡିଶାର ପ୍ରାୟ ୧୦ ହଜାର ଲୋକ ଠକେଇର ଶିକାର ହୋଇଛନ୍ତି । ସେହିପରି ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଓ ଆସାମର ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା କମ୍ପାନୀ ମାଧ୍ୟମରେ ଜମା କରିଥିଲେ । ଓଡିଶାର ଇଓଡବ୍ଲୁ୍ୟ ଅଗଷ୍ଟ ୭ ତାରିଖ ଦିନ କମ୍ପାନୀର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଗୁରତେଜ ସିଦ୍ଧୁ ଓ ତାଙ୍କ ସହଯୋଗୀ ନିରୋଦ ଦାସଙ୍କୁ ଗିରଫ କରିଥିଲା । ଭୁବନେଶ୍ୱରରେ ରହୁଥିବା କମ୍ପାନୀର ପରାମର୍ଶଦାତା ରତ୍ନାକର ପଲାଇଙ୍କୁ ୧୬ ତାରିଖ ଦିନ ବନ୍ଧା ଯାଇଥିଲା ।
ବିଭିନ୍ନ ଦେଶରେ ଏସ୍ଟିଏର ଶାଖା ରହିଛି । କ୍ରିପ୍ଟୋ କରେନ୍ସିରେ ବିନିଯୋଗ ଆଳରେ ଏହି କମ୍ପାନୀ ଅନଲାଇନ୍ ପୁଞ୍ଜି ସ୍କାମ୍ ଚଳାଇ ଭାରତରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କଠାରୁ ହଜାରେ କୋଟି ଟଙ୍କାରୁ ଅଧିକ ଠକିଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ମାମଲାରେ ଗୋବିନ୍ଦା ସନ୍ଦିଗ୍ଧ କିମ୍ବା ଅଭିଯୁକ୍ତ ନୁହଁନ୍ତି । ସେ ଏସ୍ଟିଏର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ତାଙ୍କୁ ଜେରା କରାଯିବ । ତାଙ୍କ ବୟାନରୁ କମ୍ପାନୀ ସହ ତାଙ୍କର ସମ୍ପର୍କ ବିଷୟରେ କିଛି ପ୍ରମାଣ ମିଳିବା ଆଶା କରାଯାଉଛି । ଏ ସମ୍ପର୍କରେ ଗୋବିନ୍ଦା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ମାମଲାରେ ରାଜସାକ୍ଷୀ ହେବା ସୁଯୋଗ ତାଙ୍କୁ ମିଳିପାରେ ।