କୂଅରୁ ସ୍ୱାମୀ-ସ୍ତ୍ରୀଙ୍କ ଶବ ଉଦ୍ଧାର
ମୟୂରନଚା,୧୪ା୯(ଆପ୍ର): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ. ବାଲିପାଳ ପଞ୍ଚାୟତ ମୟୂରନଚା ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ କେହି ହତ୍ୟା କରିଥିବା ସନେ୍ଦହ କରାଯାଉଛି । ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ. ବାଲିପାଳ ପଞ୍ଚାୟତର ସରପଞ୍ଚ ଥିଲେ । ଉଭୟଙ୍କର କୌଣସି ସନ୍ତାନ ନାହାନ୍ତି । ମଙ୍ଗଳବାର ରାତିରୁ କେହି ଦୁର୍ବୃତ୍ତ ଉକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିବା ଆଶଙ୍କା କରାଯାଉଛି । ବୁଧବାର ଗାଁ ଲୋକ ଯାଇଥିବାବେଳେ ଘରେ କେହି ଲୋକ ନ ଥିଲେ । ଗ୍ରାମରକ୍ଷୀଙ୍କ ନାମଧରି ଡାକିଥିଲେ ବି କେହି ନ ଶୁଣିବାରୁ କବାଟ ଖୋଲି ବାଡି ଭିତରକୁ ଯାଇଥିଲେ । ବାଡି ଭିତରେ ରକ୍ତ ପଡ଼ିଥିବାର ଦେଖିବା ସହିତ କୂଅରେ ରମ୍ଭାମଣୀଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇ ନିକଟସ୍ଥ ଥାନାକୁ ଖବର ଦେଇଥିଲେ । ଖବରପାଇ ସୋସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟି ଶବ ପଡିଥିବା ଦେଖିବାକୁ ପାଇଥିଲେ । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଜି ସକାଳୁ ପୁଲିସ ଶବକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଚଳାଇଛି ।
ମଙ୍ଗଳବାର ରାତିରେ ରମ୍ଭା ଓ ନିରଞ୍ଜନ ଖାଇସାରିବା ପରେ ଶୋଇଥିଲେ ବୋଲି ପାଖ ପଡୋଶୀ କହିଛନ୍ତି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସନେ୍ଦହ କରାଯାଉଛି ।