କାଶ୍ମୀରରେ ୪ ସହିଦ

ଏନ୍କାଉଣ୍ଟର: କର୍ଣ୍ଣଲ୍, ମେଜର, ଯବାନ ଓ ଡିଏସ୍ପି ସହିଦ
୩ ଆତଙ୍କବାଦୀ ନିପାତ
ଶ୍ରୀନଗର,୧୩ା୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହ ଏନ୍କାଉଣ୍ଟରରେ ୨ ସେନା ଅଧିକାରୀ, ଜଣେ ଡିଏସ୍ପି ଓ ଜଣେ ଯବାନ ସହିଦ ହୋଇଛନ୍ତି । ସେନା ଅଧିକାରୀଙ୍କ ମଧ୍ୟରେ କର୍ଣ୍ଣଲ ମନପ୍ରୀତ ସିଂହ, ମେଜର ଆଶୀଷ ଧୌନିକ, ଯବାନ ତଥା ରାଇଫଲ୍ ମ୍ୟାନ୍ ରବି କୁମାର ଏବଂ ଡିଏସ୍ପି ହୁମାୟୁନ୍ ଭଟ । ଜମ୍ମୁ-କାଶ୍ମୀରରେ ୨ କମାଣ୍ଡିଙ୍ଗ ଅଫିସର ସହିଦ ହେବା ୩ ବର୍ଷ ମଧ୍ୟରେ ପ୍ରଥମ । ଅନନ୍ତନାଗରେ ହୋଇଥିବା ଏନ୍କାଉଣ୍ଟର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଏହା ବ୍ୟତୀତ ୩ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ରାଜୌରୀ ଜିଲ୍ଲା ନରଲା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ମଙ୍ଗଳବାର ଖବର ମିଳିବାରୁ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଅପରେସନ୍ ସମୟରେ ରାଇଫଲ୍ମ୍ୟାନ୍ ରବି କୁମାର ସହିଦ ହୋଇଥିବା ବେଳେ ସ୍ପେଶାଲ୍ ପୁଲିସ୍ ଫୋର୍ସର ଜଣେ ପୁଲିସଙ୍କ ସହ ୩ ଜଣ ଯବାନ ଆହତ ହୋଇଛନ୍ତି । ଏହି ଅପରେସନ୍ରେ ୬ ବର୍ଷର ସେନା କୁକୁର ‘କେଣ୍ଟ୍’ର ମୃତ୍ୟୁ ଘଟିଥିବା ଜମ୍ମୁ ଜୋନ୍ର ଅତିରିକ୍ତ ପୁଲିସ ମହାନିଦେ୍ର୍ଦଶକ ମୁକେଶ୍ ସିଂହ କହିଛନ୍ତି ।
ନର୍ଥଟେକ୍ ସୋମ୍ପୋଜିୟମ ୨୦୨୩ କାର୍ଯ୍ୟକ୍ରମ ସମ୍ପର୍କରେ ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ପୁଣିଥରେ ଏହି ଅଞ୍ଚଳରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରୁଛି । ଉପତ୍ୟକାରେ ଶାନ୍ତିଭଙ୍ଗ କରିବାକୁ ପାକିସ୍ତାନ ସେନା ଚେଷ୍ଟା କରୁଥିଲେ ମଧ୍ୟ ଆମେ ଏହାକୁ ସଫଳ କରିବାକୁ ଦେବୁନାହିଁ । ରିପୋର୍ଟ ଅନୁସାରେ ସୋମବାର ଦିନ ରାଜୌରୀର ନରଲାଠାରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇ ସେଠାରେ ଏକ ସର୍ଚ୍ଚ ଅପରେସନ କରାଯାଇ ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଚଳିତ ବର୍ଷ ସୁରକ୍ଷାବାହିନୀ ରାଜୌରୀ ପୁଞ୍ଚ ଜିଲ୍ଲାର ୨୬ ଜଣ ଆତଙ୍କବାଦୀଙ୍କୁ ହତ୍ୟା ସହ ୧୦ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ।
ମିଳିତ ଅପରେସନ ସମୟରେ କଶ୍ମୀର ପୁଲିସ୍ ଏବଂ ଭାରତୀୟ ସେନା ଅଗଷ୍ଟ ୧୫ ପୂର୍ବରୁ ୬ ଜଣ ଆତଙ୍କବାଦୀଙ୍କୁ ଗୋରଫ କରିବା ସହ ଗୁଳି ଓ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ଅଗଷ୍ଟ ୯ ତାରିଖରେ କୋକରନାଗ ଏଥନାଲ ଗଡୋଲେରେ ୩ ଜଣ ଆତଙ୍କବାଦୀ ଧରାପଡିଥିଲେ । ଏହି ଏନକାଉଣ୍ଟରରେ ସେନାର ଜବାନମାନଙ୍କ ସମେତ ୩ଜଣ ଲୋକ ଆହତ ହୋଇଥିଲେ । ଦ୍ୱିତୀୟ ଥର ବାରାମୁଳାର ଉରିରେ ସୁରକ୍ଷାକର୍ମୀମାନେ ଲକ୍ସରର ୩ଜଣ ଆତଙ୍କବାଦୀଙ୍କୁ ଧରିଥିଲେ । ବାରାମୁଲା ପୁଲିସ ଏବଂ ସେନାର ୧୬ ଶିଖ ଲାଇଟ୍ ଇନ୍ଫ୍ରେଣ୍ଟ୍ରିର ସୁରକ୍ଷାବାହିନୀ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ସନ୍ଦିଗ୍ଧଙ୍କୁ ଦେଖିଥିଲେ । ସୁରକ୍ଷାବାହିନୀ ତାଙ୍କୁ କାବୁ କରିବା ସହିତ ତାଙ୍କଠାରୁ ଦୁଇଟି ଗ୍ରେନେଡ୍ ଉଦ୍ଧାର କରିଥିଲା ।
ଅଗଷ୍ଟ ୬ ତାରିଖରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ସେନା ମିଳିତ ଅପରେସନ୍ରେ ଏଲ୍ଓସି ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । ସେହିପରି ଅଗଷ୍ଟ ୪ ତାରିଖରେ କୁଲଗାମର ହଲାନ୍ ଜଙ୍ଗଲ ମଧ୍ୟରେ ଆତଙ୍କବାଦୀମାନେ ସେନାବାହିନୀ ଟେଣ୍ଟ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହେବାରେ ୩ଜଣ ଜବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ପ୍ରାଣ ହରାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *