ବରଗଡ଼ରେ ୫ ମୃତ
ସ୍କ୍ରବ୍ ଟାଇଫସ୍ ଆତଙ୍କ
ବରଗଡ଼, ୧୩ା୯(ଆପ୍ର): ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ବ୍ୟାପୁଥିବା ସୂଚନା ମିଳିଛି । ଏଥିରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତୁ୍ୟ ଘଟିଥିବା ଖବର ମିଳିବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁଯାୟୀ, ସୋହେଲା ବ୍ଲକରେ ୨ଜଣ, ଅତାବିରା, ଭେଡେନ୍ ଓ ବରପାଲିରେ ଜଣେ ଲେଖାଏ ଲୋକଙ୍କ ମୃତୁ୍ୟ ଘଟିଛି । ଆଉ ୪ ଜଣ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ।
ବରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାରେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ୧୭୮ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ସେଥିରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ରହିଛି । ଏଥିସହ ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଆଉ ୧୨୭ ଜଣଙ୍କ ଟେଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରରୁ ସ୍କ୍ରବ ସାଇଫଲ ଠାବ ହୋଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା ୪ ଜଣଙ୍କର ଚିକିତ୍ସା ·ଲିଛି ଓ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।
ସ୍କ୍ରବ୍ ଟାଇଫସ୍ ବା ବୁଶ୍ ଟାଇଫସ୍ ବିଶେଷକରି ·ଷ ଜମି ଓ ଜଙ୍ଗଲରେ ରହିଥାଏ । ସ୍କ୍ରବ୍ ଟାଇଫସ୍ ଲାର୍ଭାଲ ମାଇଟ୍ସ ନାମକ ଏକ ଚିଗର୍ସ ବା କୀଟ କାମୁଡିଲେ ହୋଇଥାଏ । ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଉଥିବାରୁ ଚାଷୀ ଓ ଶ୍ରମିକ ଏହି କୀଟ ଆକ୍ରମଣର ଶିକାର ହେଉଛନ୍ତି । ପୋକ କାମୁଡ଼ି ଥିବା ସ୍ଥାନରେ ପ୍ରଥମେ ଛୋଟ ବ୍ରଣ ଭଳି ହୋଇଯାଏ । ପରେ ଛୋଟ ଘା’ ହୋଇଥାଏ । ଯାହାକୁ ସ୍କ୍ରବ ଟାଇଫସ୍ କୁହାଯାଇଥାଏ । ଏ ନେଇ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ପରୀକ୍ଷା କରଯାଉଛି । ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।
ଏହା ବ୍ୟତୀତ ଘର ଖଟ ଓ ବେଡ୍ସିଟ୍ରେ ମଧ୍ୟ ଏହି କୀଟ ଦେଖାଯାନ୍ତି । ଏ ରୋଗ କେବଳ ପୋକ କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । କିନ୍ତୁ ଜଣକ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବାର ସେଭଳି ନିର୍ଦ୍ଦିଷ୍ଟ ସମ୍ଭାବନା ଯଦିଓ ନାହିଁ ତଥାପି ସତର୍କ ହୋଇ ଚଳିବାକୁ ପଡିବ । ସାଧାରଣତଃ ସ୍କ୍ରବ ଟାଇଫସ୍ ହେଲେ ଦଶ ଦିନ ପରେ ଇନଫେକ୍ସନ ଜଣାପଡ଼ିବ । ଯଦି ଜ୍ୱର ଲାଗିରୁହେ ତା’ ସହିତ ଦେହହାତ ବ୍ୟଥା ଏବଂ ମୁଣ୍ଡ ବିନ୍ଧା ଆଦି ଲାଗିରୁହେ ତା’ ହେଲେ ଡାକ୍ତରଖାନା ଯାଇ ରକ୍ତ ପରୀକ୍ଷା କରି ତୁରନ୍ତ ଚିକିତ୍ସିତ ହେବା ଉଚିତ । ଏହି ଟେଷ୍ଟ ସବୁ ରାଜ୍ୟର ସବୁ ମେଡିକାଲ୍ ଓ ମେଡିକାଲ୍ କଲେଜରେ ଉପଲବ୍ଧ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।