ଆବାହକ ସ୍ଥିର ହୋଇପାରିଲେନି

‘ଇଣ୍ଡିଆ’ ସମନ୍ୱୟ କମିଟିର ପ୍ରଥମ ବୈଠକ
ନୂଆଦିଲ୍ଲୀ, ୧୩ା୯: ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ସମନ୍ୱୟ କମିଟି ବୈଠକ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ସମନ୍ୱୟ କମିଟିର ଆବାହକଙ୍କ ନାମ ସ୍ଥିର ହୋଇ ନଥିବା ବେଳେ ଏକାଠି ଲଢିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଆସନ ବୁଝାମଣା ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ତେବେ ବିଭିନ୍ନ ରାଜ୍ୟରେ ଇଣ୍ଡିଆ ମେଣ୍ଟର ସହଯୋଗୀମାନେ ରାଲି କରିବା ଲାଗି ଫଇସଲା କରିଛନ୍ତି । ପ୍ରଥମ ରାଲି ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ଆୟୋଜିତ ହେବ ।
ବୈଠକ ଶେଷରେ କଂଗ୍ରେସ ନେତା କେସି ବେନୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରଥମ ରାଲି ଭୋପାଳରେ ଆୟୋଜିତ ହେବ । ଏହାପରେ ଅନ୍ୟାନ୍ୟ ରାଜ୍ୟରେ କରାଯିବ । ମୋଦି ସରକାର ସମୟରେ ବେରୋଜଗାରୀ ବୃଦ୍ଧି, ମହଙ୍ଗା, ଭ୍ରଷ୍ଟାଚାର ଇତ୍ୟାଦି ପ୍ରସଙ୍ଗକୁ ନେଇ ଇଣ୍ଡିଆ ମେଣ୍ଟ ସାଧାରଣ ଜନତାଙ୍କ ନିକଟକୁ ଯିବ । ଆଜିର ବୈଠକରେ ସବୁ ଦଳ ଜାତିଗତ ଜନଗଣନା ପ୍ରସଙ୍ଗ ଉପରେ ସହମତି ପ୍ରକାଶ କରିଥିଲେ ।
ବେନୁଗୋପାଳ କହିଛନ୍ତି, ଆସନ ବୁଝାମଣା ପ୍ରସଙ୍ଗ ଉପରେ ସବୁ ଦଳ ଆଲୋଚନା ଲାଗି ଚାହିଁଥିଲେ । ଯଥାଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବା ଲାଗି ମତପ୍ରକାଶ ପାଇଥିଲା । ଗଣମାଧ୍ୟମରେ କାହା ବିତର୍କରେ ଇଣ୍ଡିଆ ନେତାମାନେ ଯୋଗଦେବେ ଓ କାହାକୁ ବୟକଟ୍ କରିବେ ସମନ୍ୱୟ କମିଟି ଦ୍ୱାରା ଗଠିତ ମିଡିଆ ଉପକମିଟି ନିଷ୍ପତ୍ତି ନେବ । ବିଜେପି ବିରୋଧରେ କିପରି ରଣକୌଶଳ ନିର୍ଦ୍ଧାରଣ କରାଯିବ ତାହା ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।
ଆଜିର ବୈଠକରେ ୧୪ ଜଣିଆ ସମନ୍ୱୟ କମିଟି ସଦସ୍ୟଙ୍କ ମଧ୍ୟରୁ ଟିଏମ୍ସି ନେତା ଅଭିଷେକ ବାନାର୍ଜୀ, ଜେଏମ୍ଏମ୍ ନେତା ହେମନ୍ତ ସୋରେନ୍ ଅନୁପସ୍ଥିତ ଥିଲେ । ଅଭିଷେକ ବାନାର୍ଜୀଙ୍କୁ ଇଡି ସମନ କରିଥିବାରୁ ସେ ଯୋଗଦେଇପାରି ନ ଥିଲେ । ହେମନ୍ତ ସୋରେନ୍ ଭିନ୍ନ କାରଣ ପାଇଁ ଅନୁପସ୍ଥିତ ଥିଲେ । ଅନ୍ୟ ଜଣେ ସଦସ୍ୟଙ୍କ ନାମ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *