ବ୍ରାଜିଲ୍ରେ ଜି୨୧

ସରିଲା ଜି୨ଠ
ନୂଆଦିଲ୍ଲୀ, ୧୦ ।୯: ଦୁଇ ଦିନ ଧରି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀର ଅଷ୍ଟାଦଶ ସଂସ୍କରଣ ରବିବାର ଉଦ୍ୟାପିତ ହୋଇଛି । ଆସନ୍ତା ବର୍ଷ ଶିଖର ସମ୍ମିଳନୀ ବ୍ରାଜିଲରେ ଅନୁଷ୍ଠିତ ହେବ । ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିୟୋ ଲୁଲା ଦା ସିଲଭାଙ୍କୁ ଅଧ୍ୟକ୍ଷତା ଦାୟିତ୍ୱ ଦେଇଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର ୩୦ ପର୍ଯ୍ୟନ୍ତ ଭାରତ ପାଖରେ ଅଧ୍ୟକ୍ଷତା ଦାୟିତ୍ୱ ରହିବ । ଡିସେମ୍ବର ୧ରୁ ବ୍ରାଜିଲ୍ କାର୍ଯ୍ୟଭାର ଗ୍ରହଣ କରିବ । ନଭେମ୍ବରରେ ଭର୍ଚୁଆଲ ଅଧିବେଶନ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଦାୟିତ୍ୱ ଦେଇ ସମ୍ମିଳନୀର ଶେଷ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତକାଲି ଆମେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର’ ଅଧିବେଶନରେ ବ୍ୟାପକ ଆଲୋଚନା କରିଥିଲୁ । ରବିବାର ଜି-୨୦ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଦୃଷ୍ଟିକୋଣକୁ ନେଇ ଆଶାବାଦୀ ଉଦ୍ୟମ ପାଇଁ ଏକ ପ୍ଲାଟଫର୍ମ ହୋଇପାରିଛି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିି, ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଭାରତ କାନ୍ଧରେ ଜି-୨୦ ର ଅଧ୍ୟକ୍ଷତା ଦାୟିତ୍ୱ ରହିଛି । ତେଣୁ ଆସନ୍ତା ଦୁଇ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ସମ୍ମିଳନୀର ଅଧ୍ୟକ୍ଷ ଭାବେ ନିଜର ଭୂମିକା ତୁଲାଇବି । ଗତ ଦୁଇ ଦିନ ମଧ୍ୟରେ, ଆପଣ ନିଜର ମତାମତ ଦେଇଛନ୍ତି, ପରାମର୍ଶ ଦିଆଯାଇଛି ଏବଂ ଅନେକ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଯେଉଁ ପରାମର୍ଶଗୁଡିକ ଉପସ୍ଥାପିତ ହୋଇଛି ସେସବୁକୁ ତ୍ୱରାନ୍ୱିିତ କରିବା ଆମର ଦାୟିତ୍ୱ । ନଭେମ୍ବର ଶେଷ ଆଡକୁ ଏକ ଭର୍ଚୁଆଲ ଅଧିବେଶନ ଆୟୋଜନ ପାଇଁ ମୁଁ ରାଷ୍ଟ୍ରମୁଖ୍ୟମାନଙ୍କୁ ପ୍ରସ୍ତାବ ଦେଉଛି । ସେହି ଅଧିବେଶନରେ, ଦିଲ୍ଲୀ ସମ୍ମିଳନୀରେ ସହମତି ପ୍ରକାଶ ପାଇଥିବା ପ୍ରସଙ୍ଗଗୁଡିକ ଉପରେ ସମୀକ୍ଷା କରିପାରିବା ।
ଅଧ୍ୟକ୍ଷତା ଗ୍ରହଣ କରି ଲୁଲା ଦା ସିଲଭା କହିଛନ୍ତି, ସାମାଜିକ ସମାବେଶ, କ୍ଷୁଧା ଦୂରୀକରଣ, ଶକ୍ତି ପରିବର୍ତ୍ତନ ଏବଂ ନିରନ୍ତର ବିକାଶ ଜି-୨୦ ଶିଖର ସମ୍ମିଳନୀର ପ୍ରାଥମିକତା । ରାଜନୈତିକ ଶକ୍ତି ଫେରି ପାଇବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ, ଅସ୍ଥାୟୀ ସଦସ୍ୟ ଭାବରେ ନୂତନ ବିକାଶଶୀଳ ଦେଶର ଆବଶ୍ୟକତା ଲୋଡୁଛି । ବିଶ୍ୱ ବ୍ୟାଙ୍କ ଏବଂ ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡରେ ଉଦୀୟମାନ ଦେଶଗୁଡିକ ପାଇଁ ଆମେ ଅଧିକ ପ୍ରତିନିଧିତ୍ୱ ଚାହୁଁଛୁ ।
ଜି-୨୦ ଶୀର୍ଷ ସମ୍ମିଳନୀର ଦ୍ୱିତୀୟ ଦିନ କାର୍ଯ୍ୟକ୍ରମ ପୂର୍ବାହ୍ଣ ୧୦ଟା ୧୫ରୁ ଆରମ୍ଭ ହୋଇଥିଲା । ୧୦ଟା ୨୮ ପର୍ଯ୍ୟନ୍ତ ତାଜ୍ ଭାରତ ମଣ୍ଡପମ୍ର ସାଉଥ୍ ପ୍ଲାଜା ଲେବଲ୍-୨ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୧୦ଟା ୩୦ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ସମ୍ମିଳନୀର ତୃତୀୟ ଅଧିବେଶନ ‘ୱାନ୍ ଫୁ୍ୟଚର୍’ ।
ସମ୍ମିଳନୀରେ ଭାଗ ନେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ, ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଦା ସିଲ୍ଭା, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରନ୍, ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବୋରୋଭ ପ୍ରମୁଖ ରାଷ୍ଟ୍ର ମୁଖ୍ୟମାନେ ଏହାର ସଫଳତା ପାଇଁ ଭାରତକୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଜି-୨୦ର ଅଧ୍ୟକ୍ଷତା ହସ୍ତାନ୍ତର କରିବାକୁ ଯାଇ ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଗ୍ୟାବଲ୍ (ଏକ ପ୍ରକାର ହାତୁଡ଼ି) ଅର୍ପଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *