ଜାନୁଆରୀରେ ପୁଣି ଆସିବେ ବାଇଡନ୍
କ୍ୱାଡ୍ ବୈଠକ ପାଇଁ ମୋଦିଙ୍କ ନିମନ୍ତ୍ରଣ
ଗଣତନ୍ତ୍ର ଦିବସର ହେବେ ମୁଖ୍ୟ ଅତିଥି
ନୂଆଦିଲ୍ଲୀ,୧୦ା୯: ଜି୨୦ ଶିଖର ସମ୍ମିଳନୀରେ ଯୋଗଦେଇ ଆମେରିକା ରାଷ୍ଟ୍ରପତିି ଜୋ ବାଇଡନ୍ ରବିବାର ନୂଆଦିଲ୍ଲୀରୁ ଭିଏତନାମ ଅଭିମୂଖେ ଯାତ୍ରା କରିଛନ୍ତି ।ସେ ପୁଣିଥରେ ଆସନ୍ତା ବର୍ଷ ଜାନୁଆରୀରେ ଭାରତ ଗସ୍ତରେ ଆସିବେ । ୨୦୨୪ ଜାନୁଆରୀରେ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି । ବାଇଡନ୍ ଏହି ନିମନ୍ତ୍ରଣକୁ ସହୃଦୟତାର ସହ ଗ୍ରହଣ କରିଛନ୍ତି ।
ଜାନୁଆରୀରେ ଭାରତରେ କ୍ୱାଡ୍ ବୈଠକ ଆୟୋଜିତ ହୋଇପାରେ । ଏହି ବୈଠକରେ ଯୋଗଦେବା ପାଇଁ ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟ ଭାରତ ଆସିବେ । ବାଇଡନ୍ଙ୍କୁ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି କରାଇବା ପାଇଁ ଭାରତ ଉଦ୍ୟମ କରୁଛି । ତେଣୁ ଆସନ୍ତା ବର୍ଷ ଜାନୁଆରୀ ୨୬ ପୂର୍ବରୁ ବା ପରେ କ୍ୱାଡ୍ ସମ୍ମିଳନୀ ବ୍ୟବସ୍ଥା ହେଉଛି । ଏହା ନୂଆଦିଲ୍ଲୀର ଏକ ବଡ କୂଟନୈତିକ ପ୍ରୟାସ । ଚୀନ୍ ଏହି ଫୋରମ୍କୁ ନାପସନ୍ଦ କରିଆସୁଛି । କ୍ୱାଡ୍ ଫୋରମ୍ ଚୀନ୍ ବିରୁଦ୍ଧରେ ଏକ ମେଣ୍ଟ ବୋଲି ବିଜିଂ ବିଶ୍ୱାସ କରୁଛି ।