ରିଜର୍ଭ ଡେ’କୁ ଗଲା ଭାରତ-ପାକ୍ ମ୍ୟାଚ୍

ଏସିଆ କପ୍ ୨୦୨୩ । ସୁପର୍-୪
କଲମ୍ବୋ, ୧୦ା୯ (ଏଜେନ୍ସି): ଏସିଆ କପ୍ ସୁପର୍-୪ ପର୍ଯ୍ୟାୟରେ ରବିବାର ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା ଓ ଓଦା ଆଉଟ୍ଫିଲ୍ଡ ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଏବେ ମ୍ୟାଚ୍ ରିଜର୍ଭ ଡେ’ ଅର୍ଥାତ୍ ସୋମବାର ଅପରାହ୍ଣ ୩ଟାରେ ଖେଳାଯିବ । ମ୍ୟାଚ୍ ପୁନର୍ବାର ସେଠାରୁ ଆରମ୍ଭ ହେବ ଯେଉଁଠି ଆଜି ଅଟକିଥିଲା । ଟିମ୍ ଇଣ୍ଡିଆ ଖେଳ ବନ୍ଦ ହେବା ବେଳକୁ ୨୪.୧ ଓଭର୍ରେ ୨ ୱିକେଟ୍ ୧୪୭ ରନ୍ ସଂଗ୍ରହ କରିଥିଲା ଏବଂ ଏହି ସ୍କୋର୍ରୁ ଆଗକୁ ଖେଳିବ ।
ଚାରି ଘଣ୍ଟା ଯାଏଁ ପଡ଼ିଆ ଶୁଖାଇବାକୁ ପ୍ରୟାସ କରିଥିଲେ ଗ୍ରାଉଣ୍ଡ ଷ୍ଟାଫ୍
ଭାରତୀୟ ଇନିଂସ୍ ସମୟରେ ଅପରାହ୍ଣ ୪ଟା ୫୨ରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ପ୍ରାୟ ଦେଢ଼ ଘଣ୍ଟା ଧରି ବର୍ଷା ହେବା ଦ୍ୱାରା ପଡ଼ିଆର କିଛି ସ୍ଥାନ ବେଶୀ ଓଦା ହୋଇଯାଇଥିଲା । ଗ୍ରାଉଣ୍ଡ ଷ୍ଟାଫ୍ ପ୍ରାୟ ଚାରି ଘଣ୍ଟା ଯାଏଁ ସେହି ସ୍ଥାନକୁ ଶୁଖାଇବାକୁ ପ୍ରୟାସ କରିଥିଲେ । ଷ୍ଟାଫ୍ କେତେବେଳେ ଡିସ୍ପୋଜାଲ୍ର ସାହାରା ନେଇଥିଲେ ତ କେତେବେଳେ ପଙ୍ଖା ପବନରେ ଶୁଖାଇବାକୁ ପ୍ରୟାସ କରିଥିଲେ ।
ଏହି ସମୟରେ ଅମ୍ପାୟାର୍ମାନେ ଚାରି ଥର ପଡ଼ିଆ ପରିଦର୍ଶନ କରିଥିଲେ । ସେମାନେ ରାତି ୮ଟା ୩୦ରେ ଚତୁର୍ଥ ଥର ପରିଦର୍ଶନ କରିଥିଲେ, ସେତେବେଳେ ପୁଣି ବର୍ଷା ହୋଇଥିଲା, ଯାହା ଫଳରେ ମ୍ୟାଚ୍କୁ ରିଜର୍ଭ ଡେ’ରେ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।
ରାହୁଲ, ବୁମ୍ରା ସାମିଲ
ଏହା ପୂର୍ବରୁ ପାକିସ୍ତାନ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ ହୋଇଥିଲା । ଶ୍ରେୟାସ ଆୟର ଅନ୍ଫିଟ୍ ଥିବା ଯୋଗୁଁ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ସୁଯୋଗ ଦିଆଯାଇଥିଲା । ସେହିପରି ମହମ୍ମଦ ଶାମୀଙ୍କ ସ୍ଥାନରେ ଯଶପ୍ରୀତ ବୁମ୍ରା ସାମିଲ ହୋଇଥିଲେ ।
ରୋହିତ ଓ ଶୁଭମନଙ୍କ ଶତକୀୟ ଭାଗୀଦାରୀ
ଭାରତୀୟ ଟିମ୍ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦ୍ରୁତ ଆରମ୍ଭ କରିଥିଲେ । ୧୦ ଓଭର୍ ପରେ ଟିମ୍ର ସ୍କୋର୍ ଥିଲା ୬୧/୦ । ଏହାପରେ ସେମାନେ ରନ୍ରେଟ୍ ବଢ଼ାଇଥିଲେ । ଉଭୟ ୧୦୦ ବଲ୍ରୁ ୧୨୧ ରନ୍ର ଭାଗୀଦାରୀ କରିଥିଲେ । ପୂର୍ବ ମ୍ୟାଚ୍ରେ ସେମାନେ ନେପାଳ ବିପକ୍ଷରେ ଓପନିଂ ୱିକେଟ୍ ପାଇଁ ୧୪୭ ରନ୍ ଯୋଗ କରିଥିଲେ ।
ଇତ୍ୟବସରେ ଶୁଭମନ ୩୭ ବଲ୍ରୁ ଓ ରୋହିତ ୪୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ରୋହିତ (୪୯ ବଲ୍ରୁ ୬ ଚୌକା ଓ ୪ ଛକା ସହାୟତାରେ ୫୬ ରନ୍)ଙ୍କୁ ଆଉଟ୍ କରି ଶଦାବ ଖାନ୍ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାର ପର ଓଭର୍ରେ ଶୁଭମନ ବ୍ୟକ୍ତିଗତ ୫୮ (୫୨ ବଲ୍ରୁ ୧୦ ଚୌକା ସହାୟତାରେ) ଶାହୀନ ଶାହ ଆଫ୍ରିଦୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୨୫ତମ ଓଭର୍ର ପ୍ରଥମ ବଲ୍ରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ସେତେବେଳକୁ ବିରାଟ କୋହଲି ୮ ଓ ରାହୁଲ ୧୭ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *