ଜି-୨୦ ସମ୍ମିଳନୀରେ ମିଲେଟ୍ ଦିଦୀ

ନୂଆଦିଲ୍ଲୀ,୯ା୯: ଜି-୨୦ ଅତିଥିମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ରାତ୍ରୀ ଭୋଜନରେ ଆପ୍ୟାୟିତ କରିଛନ୍ତି । ଏଥିରେ ପାକକଳାରେ ବିଶେଷଜ୍ଞ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରସ୍ତୁତ ଶାକାହାରୀ ବ୍ୟଞ୍ଜନ ପରଶା ଯାଇଛି । ୨୦୨୩କୁ ଆନ୍ତର୍ଜାତିକ ମିଲେଟ୍ (ବାଜରା ବା ମାଣ୍ଡିଆ) ବର୍ଷ ରୂପେ ପାଳନ କରିବା ଲାଗି ଭାରତର ପ୍ରସ୍ତାବକୁ ଜାତିସଂଘ ଗ୍ରହଣ କରିଥିବା ଦୃଷ୍ଟିରୁ ଜି-୨୦ ସଦସ୍ୟ ଦେଶଗୁଡିକର ପ୍ରତିନିଧିମାନେ ଯେଉଁସବୁ ହୋଟେଲରେ ରହୁଛନ୍ତି ସେଠାରେ ମାଣ୍ଡିଆରେ ପ୍ରସ୍ତୁତ ବ୍ୟଞ୍ଜନ ପରଶା ଯାଉଛି ।
ଓଡିଶାରେ ପର୍ଯ୍ୟାପ୍ତ ମାଣ୍ଡିଆ ଉତ୍ପାଦିତ ହୋଇଥାଏ । ମାଣ୍ଡିଆ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଓଡିଶାର ୨ଜଣ ଆଦିବାସୀ ମହିଳା ରାୟମତୀ ଓ ସୁବାସାଙ୍କୁ ଆମନ୍ତ୍ରଣ କରାଯାଇଛି ।
ରାୟମାତା ଘୁରିୟା ମାଣ୍ଡିଆ ବିହନ ସଂରକ୍ଷକ ଭାବେ ଜଣାଶୁଣା । ୩୬ ବର୍ଷୀୟା ରାୟମାତା ଭୂମିଆ ସଂପ୍ରଦାୟର । ସେ କୋରାପୁଟ ଜିଲ୍ଲା ନୌଗୁଡା ଗ୍ରାମର ବାସିନ୍ଦା । ସେ ୭୦ରୁ ଅଧିକ କିସମର ଦେଶୀ ଧାନ ଓ ୩୦ରୁ ଅଧିକ କିସମର ମାଣ୍ଡିଆ ବିହନ ରଖିଛନ୍ତି । ୩ ସନ୍ତାନଙ୍କ ମାଆ ରାୟମାତା ଗୋଟେ ସଂସ୍ଥା ଚଳାଉଛନ୍ତି ଯାହାଠାରୁ ସ୍ଥାନୀୟ ଚାଷୀମାନେ ମାଣ୍ଡିଆ ଓ ଧାନ ବିହନ କିଣିଥାଆନ୍ତି ।
୪୫ ବର୍ଷୀୟା ସୁବାସା ମୟୂରଭଞ୍ଜ ଜିଲ୍ଲା ସିଙ୍ଗାରପୁର ଗ୍ରାମର ବାସିନ୍ଦା । ୨୦୧୭ରୁ ସେ ମାଣ୍ଡିଆ ଚାଷ କରିଆସୁଛନ୍ତି । କିଛିଦିନ ପୂର୍ବେ ସୁବାସା ମାଣ୍ଡିଆ ଚାଷ ସଂପର୍କିତ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ ।
ଜି-୨୦ ଅତିଥିମାନଙ୍କ ପାଇଁ ୫୦୦ରୁ ଅଧିକ ଡିସ୍ ବ୍ୟବସ୍ଥା ହୋଇଛି । ସେଥିରେ ଅଛି ମାଣ୍ଡିଆରୁ ପ୍ରସ୍ତୁତ ଅନେକ ବ୍ୟଞ୍ଜନ । ପ୍ରଧାନମନ୍ତ୍ରୀ ମୋଦି ମାଣ୍ଡିଆ ବ୍ୟଞ୍ଜନର ପ୍ରଚାର ପ୍ରସାର ଉପରେ ବହୁବାର ଗୁରୁତ୍ୱ ଦେଇଛନ୍ତି । ଜି-୨୦ ସମ୍ମିଳନୀ ଅବସରରେ ଓଡିଶାର ମିଲେଟ ଦିଦୀଙ୍କ ଉପରେ ମଧ୍ୟ ଅତିଥିମାନଙ୍କୁ ଅବଗତ କରାଯିବା ସହ ମାଣ୍ଡିଆର ପୌଷ୍ଟିକତା ପ୍ରତି ସାରା ପୃଥିବୀର ଦୃଷ୍ଟିଆକର୍ଷଣ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *