ମରକ୍କୋ ଭୂକମ୍ପରେ ୧ଠ୩୭ ମୃତ
ମରାକେଶ (ମରକ୍କୋ), ୯ା୯: ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ୬.୮ ମାତ୍ରାର ବିନାଶକାରୀ ଭୂକମ୍ପରେ ଶନିବାର ମଧ୍ୟରାତ୍ରୀ ସୁଦ୍ଧା ୧୦୩୭ ଜଣ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଲୋକମାନେ ଶୋଇଥିବା ବେଳେ ଭୂକମ୍ପ ହେବାଯୋଗୁ ଧ୍ୱଂସସ୍ତୂପ ତଳେ ଆହୁରି ଅନେକ ଶବ ରହିଥିବା ଅନୁମାନ କରାଯାଉଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ମାରାକେଶ ସହରଠାରୁ ୭୦ କିଲୋମିଟର ଦୂର ଆଟଲାସ୍ ପର୍ବତ ନିକଟ ଇଗିଲ ଗ୍ରାମ । ପର୍ତ୍ତୁଗାଲ ଏବଂ ଆଲଜିରିଆ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା ।
୧୨୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କହିଛି । ମରକ୍କୋ ଟିଭି ରିପୋର୍ଟ ଅନୁଯାୟୀ ଭୂକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡି ପଡିଛି । ବିଶ୍ୱ ଐତିହ୍ୟ ସ୍ଥଳ ମନ୍ୟତା ପାଇଥିବା ମରାକେଶରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଦ୍ୱାଦଶ ଶତାବ୍ଦୀର କୁତୁବାୟା ମସଜିଦ୍ କ୍ଷତିଗ୍ରସ୍ତ ହୋଇଛି । ଏହାର ସୁଉଚ୍ଚ ମୀନାରକୁ ମରାକେଶର ଛାତ କୁହାଯାଏ । ଏହି ସହରର ଚାରିପାଖରେ ଥିବା ଲାଲ୍ ପ୍ରାଚୀରର କିଛି ଅଂଶ ଭୁଷୁଡି ପଡିଛି । ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବାସହ ରାସ୍ତା ଅବରୋଧ ହୋଇଛି । ତେଣୁ ଆମ୍ବୁଲାନ୍ସ ଯାଇପାରୁନାହିଁ । ଆଟଲାସ୍ ପର୍ବତ ପାଦଦେଶରେ ଥିବା ଗ୍ରାମଗୁଡିକ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଏହିସବୁ ଗ୍ରାମକୁ ଯାତାୟାତ ସୁବିଧା ନ ଥିବାରୁ ମୃତ୍ୟୁ ସଂଖ୍ୟା ଆକଳନ କରିବାକୁ ସମୟ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଶନିବାର ଜି୨୦ ସମ୍ମିଳନୀରେ ମରକ୍କୋ ଭୂକମ୍ପ ପ୍ରସଙ୍ଗ ଉଠିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମରକ୍କୋକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି । ଜାତିସଂଘ ପକ୍ଷରୁ ମଧ୍ୟ ଅନୁରୂପ ପ୍ରତିଶ୍ରୁତି ଦିଆଯାଇଛି ।