ଆଜି ଭାରତ-ପାକ୍ ଲଢ଼େଇ
ଏସିଆ କପ୍ ୨୦୨୩ । ସୁପର୍-୪
କଲମ୍ବୋ, ୯ା୯ (ଏଜେନ୍ସି): ପୁଣି ଥରେ ମାହୋଲ୍ ପ୍ରସ୍ତୁତ ହୋଇଛି । ୨୨ ଗଜର ପିଚ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ଲଢ଼େଇର ସମୟ ଆସିଯାଇଛି । ଏସିଆ କପ୍ ସୁପର୍-୪ ପର୍ଯ୍ୟାୟରେ ରୋହିତ ସେନା ‘ସୁପର୍ ସନ୍ଡେ’ରେ ବାବର ଆଣ୍ଡ କମ୍ପାନୀର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି ।
ପୂର୍ବ (ଗ୍ରୁପ୍ ପର୍ଯ୍ୟାୟ) ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ହୋଇ ନ ପାରି ବାତିଲ୍ ହୋଇଯାଇଥିଲା, ଏଥର ମୁକାବିଲା ଆହୁରି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । କିନ୍ତୁ ଏଥର ବି ବର୍ଷା ହେବାର ସମ୍ଭାବନା ରହିଛି । ମ୍ୟାଚ୍ ଦିନ କଲମ୍ବୋରେ ବର୍ଷା ହେବାର ୯୦ ପ୍ରତିଶତ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ଦିବସର ବ୍ୟବସ୍ଥା କରାଯାଇଛି ।
କଲମ୍ବୋ ପିଚ୍ରେ ଟସ୍
ହୋଇପାରେ ଗୁରୁତ୍ୱପୂର୍ଣ୍ଣ
ଆର୍. ପ୍ରେମଦାସା କ୍ରିକେଟ୍ ଗ୍ରାଉଣ୍ଡ ବିଶେଷକରି ସ୍ପିନର୍ଙ୍କୁ ସୁହାଇଥାଏ । କିଛି ଦିନ ହେଲା ଏଠାରେ ବର୍ଷା ହେଉଥିବାରୁ ପେସର୍ ମଧ୍ୟ ଏଠାରେ ପ୍ରଭାବ ବିସ୍ତାର କରିପାରନ୍ତି । ବ୍ୟାଟର୍ଙ୍କୁ ଏହି ପିଚ୍ରେ ସ୍କୋର୍ କରିବା ଲାଗି ସଂଘର୍ଷ କରିବାକୁ ପଡ଼ିପାରେ । ଗେମ୍ ଆଗକୁ ବଢ଼ିବା ସହ ପିଚ୍ ଧୀମା ହୋଇଚାଲେ ।
ଏହି ଗ୍ରାଉଣ୍ଡରେ ଏ ଯାବତ ୧୫୫ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ୮୪ ମ୍ୟାଚ୍ରେ ବିଜୟ ହାସଲ କରିଛି । ୬୧ ମ୍ୟାଚ୍ ଟାର୍ଗେଟ୍କୁ ପିଛା କରିଥିବା ଟିମ୍ ଜିତିଛି । ଏହାର ଅର୍ଥ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରେ । ଟସ୍ ଜିତିଥିବା ଟିମ୍ ବ୍ୟାଟିଂ ନେଇପାରେ ।
ଟିମ୍କୁ ମଜଭୁତ କରିଛି ରାହୁଲ ଓ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ
ବ୍ୟକ୍ତିଗତ କାରଣରୁ ନେପାଳ ବିପକ୍ଷ ମ୍ୟାଚ୍ ଖେଳି ନ ଥିବା ଯଶପ୍ରୀତ ବୁମ୍ରା ଭାରତୀୟ ଟିମ୍ ସହ ଯୋଗ ଦେଇଛନ୍ତି । ସେ ଆସିବା ଦ୍ୱାରା ବୋଲିଂ ଲାଇନ୍ଅପ୍ ଦୃଢ଼ ହୋଇଛି । ବୁମ୍ରାଙ୍କ ସହିତ ମହମ୍ମଦ ସିରାଜ ବିଶେଷଜ୍ଞ ପେସର୍ ଭାବେ ଚୂଡ଼ାନ୍ତ ଏକାଦଶରେ ରହିବାର ସମ୍ଭାବନା ଅଧିକ । ମହମ୍ମଦ ଶାମୀ ବାଦ୍ ପଡ଼ିପାରନ୍ତି ।
ସେହିପରି ୱିକେଟ୍କିପର୍-ବ୍ୟାଟର୍ ଲୋକେଶ ରାହୁଲ ଫିଟ୍ ହୋଇ ଟିମ୍କୁ ଫେରିଛନ୍ତି । ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଖେଳିପାରନ୍ତି । ସେ ଖେଳିବା ସ୍ଥଳେ ଫର୍ମରେ ଥିବା ଈଶାନ କିଶନ ବାଦ୍ ପଡ଼ିବେ । ସେ ପାକ୍ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୮୨ ରନ୍ର ଉଜ୍ଜ୍ୱଳ ଇନିଂସ୍ ଖେଳିବା ସତ୍ତ୍ୱେ ରାହୁଲଙ୍କୁ ଅଗ୍ରାଧିକାର ଦିଆଯିବାର ସମ୍ଭାବନା ଅଧିକ ।
ପାକ୍ ବୋଲର୍ଙ୍କଠୁ ସତର୍କ ରହିବା ଜରୁରୀ
ଭାରତୀୟ ବ୍ୟାଟର୍ ପାକିସ୍ତାନୀ ବୋଲର୍ଙ୍କ ଠାରୁ ସତର୍କ ରହିବା ଜରୁରୀ, ନଚେତ୍ ପୂର୍ବ ମ୍ୟାଚ୍ ଭଳି ଅବସ୍ଥା ହେବ । ଗ୍ରୁପ୍ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର ଫ୍ଲପ୍ ହୋଇଥିଲେ । ବିଶେଷକରି ବାମହାତି ପେସର୍ ଶାହୀନ ଶାହ ଆଫ୍ରିଦୀଙ୍କ ବିପକ୍ଷରେ ଜଗରଖି ଖେଳିବାକୁ ହେବ ।
ସମ୍ଭାବ୍ୟ ଭାରତୀୟ ଏକାଦଶ
ଶୁଭମନ ଗିଲ୍, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ (ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୂଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ
ସମ୍ଭାବ୍ୟ ପାକିସ୍ତାନୀ ଏକାଦଶ
ଫଖର ଜମାନ୍, ଇମାମ୍-ଉଲ୍-ହକ୍, ବାବର ଆଜମ୍ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍କିପର୍), ଅଘା ସଲମାନ, ଇଫତିଖାର ଅହମଦ, ଶଦାବ ଖାନ୍, ଫହୀମ ଅଶରଫ, ଶାହୀନ ଶାହ ଆଫ୍ରିଦୀ, ନସୀମ ଶାହ, ହାରିଫ୍ ରାଉଫ