ବିଶ୍ୱହିତରେ ଆମ ବନ୍ଧୁତା
ନୂଆଦିଲ୍ଲୀ, ୮ା୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡନ ଜି -୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ପହଞ୍ଚିଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ପରେ ସେ ସିଧା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଯାଇଥିଲେ । ଦ୍ୱିପାକ୍ଷିକ ବୈଠକ ସମ୍ପର୍କରେ ପ୍ରାରମ୍ଭିକ ପ୍ରତିକ୍ରିୟା ଦେଇ ମୋଦି କହିଛନ୍ତି, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜଭୁତ କରିବାକୁ ଧ୍ୟାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ରାଷ୍ଟ୍ରପତି ବାଇଡନ୍ଙ୍କୁ ୭, ଲୋକକଲ୍ୟାଣ ମାର୍ଗରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଆମ ସାକ୍ଷାତ ବହୁତ ସାର୍ଥକ ହୋଇଛି । ଅନେକ ବିଷୟରେ ଆମେ ଆଲୋଚନା କରିଛୁ । ଭାରତ ଓ ଆମେରିକା ମଧ୍ୟରେ ଆର୍ଥôକ ସମ୍ପର୍କ ଆହୁରି ଆଗକୁ ବଢିବ । ଦୁଇ ଦେଶ ମଧ୍ୟରେ ଏଇ ଯେଉଁ ବନ୍ଧୁତା ସମଗ୍ର ବିଶ୍ୱର ହିତସାଧନ ପାଇଁ ଉଦ୍ଦିଷ୍ଟ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଦୁଇ ନେତାଙ୍କ ମଧ୍ୟରେ ୭୭ ମିନିଟ୍ ଆଲୋଚନା ହୋଇଥିଲା । ୨୯ଟି ପ୍ରସଙ୍ଗ ଉପରେ ମୋଦି ଓ ବାଇଡନ୍ ସହମତ ହୋଇଛନ୍ତି । ଆଜିର ସାକ୍ଷାତ ଆଲୋଚନା ଭାରତ-ଆମେରିକା ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।
ଦ୍ୱିପାକ୍ଷିକ ଆଲୋଚନାରେ ଆମେରିକାର ଅର୍ଥ ସଚିବ ଜେନେଟ୍ ୟେଲେନ୍, ବିଦେଶୀ ସଚିବ ଆନ୍ଥୋନି ଲିଙ୍କନ୍ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିୱନ୍ ଏବଂ ଭାରତୀୟ ପ୍ରତିନିଧିମଣ୍ଡଳୀରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ ଡୋଭାଲ୍ ଅଂଶଗ୍ରହଣ କରିଥିଲେ । ଏହା ପୂର୍ବରୁ ବାଇଡନ ପାଲମ ବିମାନବନ୍ଦରରେ ଅବତରଣ କରିବା ପରେ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ. ସିଂହ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ବାଇଡନ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ ଏବଂ ତାଙ୍କ ଝିଅ ମାୟାଙ୍କୁ ମଧ୍ୟ ଭେଟିଥିଲେ । ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଜେକେ ସୁଲିବନ କହିଛନ୍ତି, ଦୁଇ ଦେଶ ମଧ୍ୟରେ ନାଗରିକ ଆଣବିକ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ । ଛୋଟ ମଡୁ୍ୟଲାର ଆଣବିକ ରିଆକ୍ଟର ଉପରେ ଏକ ଚୁକ୍ତି ହୋଇପାରିବ । ଏହା ବ୍ୟତୀତ ଦୁଇ ଦେଶ ମଧ୍ୟରେ ଜିଓ ଜେଟ୍ ଇଞ୍ଜିନ୍ ଚୁକ୍ତି ଉପରେ ଆଲୋଚନା ଆଗକୁ ବଢିପାରେ ।
ଏହି ଦ୍ୱିପାକ୍ଷିକ ବୈଠକ ପାଇଁ ଜୁନ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ବେଳେ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା ।
ଜି -୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୧୫ ଜଣ ବିଶ୍ୱନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ରିପୋର୍ଟ ଅନୁଯାୟୀ, ୩ଟିି ଦ୍ୱିପାକ୍ଷିକ ଆଲୋଚନା ତାଙ୍କ ବାସଭବନରେ ଅନୁଷ୍ଠିତ ହେବ । ଶୁକ୍ରବାର ସନ୍ଧ୍ୟାରେ ମୋଦୀ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଯୁଗନାଥଙ୍କୁ ଭେଟିବା ପରେ ସେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଆଲୋଚନା କରିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୨୭ ମିନିଟ୍ ବାର୍ତ୍ତାଳାପ ହୋଇଥିଲା ।