ମନ୍ମଥ କଂଗ୍ରେସରୁ ନିଲମ୍ବିତ
ଭୁବନେଶ୍ୱର, ୮ା୯(ବୁ୍ୟରୋ): କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମନ୍ମଥ କଂଗ୍ରେସରୁ ନିର୍ବାଚନ ଲଢ଼ିବେ ନାହିଁ ଏବଂ କଂଗ୍ରେସ ସଦସ୍ୟ ହୋଇ ମଧ୍ୟ କଂଗ୍ରେସରେ ନ ଥିବା ଗଣମାଧ୍ୟମ ଆଗରେ ବୁଧବାର କହିଥିଲେ । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ମନ୍ମଥ ନୋଟିସର ଉତ୍ତର ରଖି ନ ଥିବାରୁ କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଶୃଙ୍ଖଳା କମିଟି ଅଧକ୍ଷ ସନ୍ତୋଷ ସିଂହ ସାଲୁଜା ମନ୍ମଥଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।
ଦୁଇ ଦିନ ତଳେ ମନ୍ମଥ କଂଗ୍ରେସରୁ ର୍ନିବାଚନ ଲଢିବେ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ । ବଡ଼ ବଡ଼ ରାଜନୈତିକ ଦଳ ସହ ସେ ଯୋଗାଯୋଗରେ ଅଛନ୍ତି, ଟିକେଟ୍ ମିଳିଲେ କୌଣସି ବଡ଼ ଦଳ ପାଇଁ ର୍ନିବାଚନ ଲଢିବେ ବୋଲି ମଧ୍ୟ କହିଥିଲେ । ମନ୍ମଥ କହିଥିଲେ, ମୁଁ ଗତ ସାଢେ ୪ ବର୍ଷ ଧରି ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି । ଏହା ଭିତରେ ଅନେକ ଅଭିଜ୍ଞତା ମିଳିଛି । ମୁଁ ଟିମ୍ ୱାର୍କରେ ବିଶ୍ୱାସ କରେ । ତେବେ ଜନତାଙ୍କ ମତକୁ ସମ୍ମାନ ଦେଇ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନ ଲଢିବା ପାଇଁ ନିଷ୍ପତ୍ତି ନେଇଛି । ଏହା ଗୋଟିଏ ଦିନର ନିଷ୍ପତ୍ତି ନୁହେଁ, ଭାବିଚିନ୍ତି ଏ ନିଷ୍ପତ୍ତି ନେଇଛି । ଏପରି ଘୋଷଣା କରିବା ପୂର୍ବରୁ ବାପା, ପରିବାର ସଦସ୍ୟ ଓ ସମର୍ଥକଙ୍କ ସହିତ ଆଲୋଚନା କରିଛି ।
ମନ୍ମଥ ୨୦୨୪ ସାଧାରଣ ନିର୍ବାଚନରେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନର ବିଧାୟକ ସୁର ରାଉତରାୟ ଆଗାମୀ ର୍ନିବାଚନରେ ନ ଲଢି ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ସାନପୁଅ ମନ୍ମଥଙ୍କ ନାମ ବହୁ ପୂର୍ବରୁ ଘୋଷଣା କରିଥିଲେ ।