ଜି-୨ଠ ପାଇଁ ଭବ୍ୟ ଆୟୋଜନ
ନୂଆଦିଲ୍ଲୀ, ୮ା୯: ଶନିବାର ଓ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜି-୨୦ ଶୀର୍ଷ ସମ୍ମିଳନୀ । ଭାରତ ଏହାପୂର୍ବରୁ ଏକାଧିକ ବହୁପକ୍ଷୀୟ ସମ୍ମିଳନୀ ଆୟୋଜନ କରିଛି । ତନ୍ମଧ୍ୟରେ ୧୯୫୬ ମସିହାର ୟୁନେସ୍କୋ ସମ୍ମିଳନୀ, ୧୯୮୨ର ଏସିଆଡ୍, ୧୯୮୩ର ଗୋଷ୍ଠୀ ନିରପେକ୍ଷ ଆନେ୍ଦାଳନ ଶୀର୍ଷ ସମ୍ମିଳନୀ, ୨୦୧୦ର ରାଷ୍ଟ୍ରମଣ୍ଡଳ କ୍ରିଡା ଓ ୨୦୧୫ର ଭାରତ-ଆଫ୍ରିକା ଫୋରମ୍ ଶିଖର ସମ୍ମିଳନୀ ଅନ୍ୟତମ । କିନ୍ତୁ ଜି-୨୦ ଶୀର୍ଷ ସମ୍ମିଳନୀ ଆୟୋଜନର ବ୍ୟାପକତା, ଭବ୍ୟତା ଓ ମହତ୍ୱ ସହ ପୂର୍ବର କୌଣସି ସମ୍ମିଳନୀ ତୁଳନୀୟ ନୁହେଁ । ଜାତିସଂଘ ସୁରକ୍ଷା ପରିଷଦର ସବୁ ସ୍ଥାୟୀ ସଦସ୍ୟ ରାଷ୍ଟ୍ର (ଯାହାଙ୍କୁ ପି-୫ ଦେଶ କୁହାଯାଉଛି)ର ନେତା ପ୍ରଥମ ଥର ପାଇଁ ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି । ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଓ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ ଆସି ନ ଥିଲେ ହେଁ ଚୀନ୍ ପ୍ରଧାନମନ୍ତ୍ରୀ ଯଥାକ୍ରମେ ଲୀ କ୍ୱାଙ୍ଗ୍ ଓ ରୁଷ୍ ବିଦେଶ ମନ୍ତ୍ରୀ ସରଗେଇ ଲାବରୋବ ଆସିଛନ୍ତି ।
ଜି-୨୦ ସମ୍ମିଳନୀର ଅଧ୍ୟକ୍ଷ ରୂପେ ଭାରତକୁ ବଡ ସଫଳତା ମିଳିଛି । ୟୁରୋପୀୟ ସଂଘ ଭଳି ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟତା ପ୍ରଦାନ ପାଇଁ ଭାରତ ପକ୍ଷରୁ ଜୁନ୍ ମାସରେ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ଅଧିକାଂଶ ରାଷ୍ଟ୍ର ସମର୍ଥନ କରିଛନ୍ତି । ଏବେ ଜି-୨୦ରେ ୧୯ ଦେଶ ଓ ୟୁରୋପୀୟ ସଂଘ ସଦସ୍ୟ ରହିଛନ୍ତି ।
ପୂର୍ବରୁ ବିଭିନ୍ନ ଦେଶରେ ଜି-୨୦ ବୈଠକ ଅତିବେଶିରେ ୪ଟି ସହରରେ ଅନୁଷ୍ଠିତ ହୋଇଛି । ଇଣ୍ଡୋନେସିଆରେ ସର୍ବାଧିକ ୨୫ ସହରରେ ବୈଠକ ହୋଇଥିଲା । କିନ୍ତୁ ଭାରତ ୬୦ ସ୍ଥାନରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରି ରେକର୍ଡ ସୃଷ୍ଟି କରିଛି । ମୋଦି ସରକାର ଟିୟର-ଟୁ ସହରଗୁଡିକରେ ମଧ୍ୟ ଜି-୨୦ ବୈଠକ ଆୟୋଜନ କରାଇ ଦେଶର ଗୌରବ ବଢାଇଛନ୍ତି । ଏହା ମାଧ୍ୟମରେ ଭାରତର ବିବିଧତା ପ୍ରଦର୍ଶିତ ହୋଇଛି । ନିକଟରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ବର୍ଷକ ଭିତରେ ୧୨୫ ଦେଶର ୧ ଲକ୍ଷ ପ୍ରତିନିଧି ଭାରତ ମହିମା ଅନୁଭବ କରିଛନ୍ତି ଏବଂ ଦେଢକୋଟି ଭାରତୀୟ ବିଭିନ୍ନ ବାଟରେ ଏହିସବୁ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।
ଜି-୨୦ ଶୀର୍ଷ ସମ୍ମିଳନୀ ପାଇଁ ଦିଲ୍ଲୀକୁ ଏକ ବଧୂପରି ସଜାଇ ଦିଆଯାଇଛି । ସାଜସଜ୍ଜା ବାବଦରେ ୪,୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।