ବିଶେଷ ଅଧିବେଶନ ଏଜେଣ୍ଡାରେ ୫ ପ୍ରସଙ୍ଗ
ନୂଆଦିଲ୍ଲୀ, ୭ା୯: କେନ୍ଦ୍ର ସରକାର ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଅଧିବେଶନର କାର୍ଯ୍ୟସୂଚୀକୁ ଏପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିବାରୁ ବିରୋଧୀ ଦଳଗୁଡିକ ପକ୍ଷରୁ ତୁମ୍ବିତୋଫାନ ଜାରି ରହିଛି । ଇତିମଧ୍ୟରେ ଏହି ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୫ ଦିନରେ ୫ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ । ସୂତ୍ର ଅନୁଯାୟୀ, ଶୁକ୍ରବାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ଶନିବାର ଏକକ ନାଗରିକ ସଂହିତା ବିଧେୟକ, ରବିବାର ମହିଳା ଆରକ୍ଷଣ ବିଧେୟକ, ସୋମବାର ରୋହିଣୀ ଆୟୋଗ ରିପୋର୍ଟ (ଓବିସି ସମ୍ବନ୍ଧୀୟ) ଏବଂ ମଙ୍ଗଳବାର ଦେଶର ନାମ ପରିବର୍ତ୍ତନ ପ୍ରସଙ୍ଗରେ ଚର୍ଚ୍ଚା ହେବ । ପ୍ରତିଦିନ ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ସକାଳ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
ଉଲ୍ଲେଖଯୋଗ୍ୟ, ସଂସଦ ଅଧିବେଶନ ଡାକିବା କେନ୍ଦ୍ର ସରକାରଙ୍କ ଅଧିକାର ଅନ୍ତର୍ଭୁକ୍ତ । ଅଧିବେଶନ ଡାକିବା ନିଷ୍ପତ୍ତି ନେଇଥାନ୍ତି ସଂସଦୀୟ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି । କ୍ୟାବିନେଟ୍ଙ୍କ ପ୍ରସ୍ତାବକୁ ଔପଚାରିକଭାବେ ମଞ୍ଜୁରି ଦେବା ପରେ ସଂସଦ ଅଧିବେଶନ ଡକାଯାଇଥାଏ । ସମ୍ବିଧାନର ଅନୁଚ୍ଛେଦ ୮୫(୧)ରେ ଉଲ୍ଲେଖ ଅଛି ଯେ ରାଷ୍ଟ୍ରପତି ଯେବେବି ଉଚିତ ମନେ କରିବେ ସଂସଦ ଅଧିବେଶନ ଡାକି ପାରିବେ । ଭାରତରେ ସଂସଦୀୟ କ୍ୟାଲେଣ୍ଡର ବ୍ୟବସ୍ଥା ନାହିଁ । ତେବେ ବର୍ଷକରେ ୩ ଥର ଅଧିବେଶନ ବସିଥାଏ । ବର୍ଷର ପ୍ରଥମ ଅଧିବେଶନ ବଜେଟ୍ ପାଇଁ ଉଦ୍ଦିଷ୍ଟ । ଏହାର ଅବଧି ସବୁଠାରୁ ଅଧିକ । ସାଧାରଣତଃ ଜାନୁଆରୀ ଶେଷ ସପ୍ତାହରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଚାଲିଥାଏ । ଏହାପରେ ମୌସୁମୀ ଅଧିବେଶନ ପ୍ରାୟ ୩ ସପ୍ତାହ ଚାଲେ । ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟରେ ଏହା ଶେଷ ହୋଇଥାଏ । ଶୀତ ଅଧିବେଶନ ସହ ସଂସଦୀୟ ବର୍ଷ ଶେଷ ହୁଏ । ଏହି ଅଧିବେଶନ ୩ ସପ୍ତାହ ପର୍ଯ୍ୟନ୍ତ (ନଭେମ୍ବରରୁ ଡିସେମ୍ବର) ଚାଲିଥାଏ । ସମ୍ବିଧାନ ଅନୁଯାୟୀ, ସଂସଦର ଦୁଇଟି ଅଧିବେଶନ ମଧ୍ୟରେ ୬ ମାସରୁ ଅଧିକ ସମୟ ରହିବା ଅନୁଚିତ । ସମ୍ବିଧାନରେ ବିଶେଷ ଅଧିବେଶନ ପ୍ରସଙ୍ଗର ଉଲ୍ଲେଖ କରାଯାଇନାହିଁ ।