ଡିସେମ୍ବର ସୁଦ୍ଧା ସବୁ ଗାଡ଼ିରେ ଟ୍ରାକିଂ ଓ ସେଫ୍ଟି ଡିଭାଇସ୍
ଭୁବନେଶ୍ୱର, ୭ା୯(ବୁ୍ୟରୋ): ଦୁଇଚକିଆ, ତିନିଚକିଆ ଓ ରିକ୍ସାକୁ ବାଦ୍ ଦେଇ ରାଜ୍ୟରେ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ସମସ୍ତ ଗାଡ଼ି ଯଥା ବସ୍ , ଶିକ୍ଷାନୁଷ୍ଠାନ ବସ୍ , ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍, ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏଣିକି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ (ଭିଏଲଟିଡି) ଜରୁରୀ । ଏହି ଡିଭାଇସ୍ ନ ଥିଲେ ଆସନ୍ତା ଅକ୍ଟୋବର ପହିଲାରୁ କୌଣସି ନୂଆ ଗାଡ଼ିର ପଞ୍ଜିକରଣ କରାଯିବ ନାହିଁ । ୨୦୨୩ ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକରଣ ହୋଇଥିବା ଗାଡ଼ିର ମାଲିକମାନେ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ନିଜ ଗାଡ଼ିରେ ଏହି ଡିଭାଇସ୍ ଲଗାଇବାକୁ ବାଧ୍ୟ । ଅକ୍ଟୋବର ୧ ତାରିଖରେ ଅବା ଏହାପରେ ଯେଉଁ ନୂଆ ଗାଡ଼ିଗୁଡ଼ିକ କ୍ରୟ ହେବ ସେଥିରେ ପଞ୍ଜିକରଣ ସମୟରେ ଭିଏଲଟିଡି ଡିଭାଇସ୍ ଲଗାଇବା ଜରୁରୀ । ସେହିପରି ଯେଉଁ ଗାଡ଼ିଗୁଡ଼ିକ ଚଳିତମାସ ୩୦ତାରିଖ ମଧ୍ୟରେ କ୍ରୟ ହୋଇଛି ସେଗୁଡ଼ିକ ୨୦୨୩ ଡିସେମ୍ବର ୩୧ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ । ଯଦି କୌଣସି ପୁରୁଣା ଗାଡ଼ିରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ଭିଏଲଟିଡି ଡିଭାଇସ୍ ନଲାଗେ, ସମ୍ପୃକ୍ତ ଗାଡ଼ିକୁ ଫିଟନେସ୍, ମାଲିକାନା ପରିବର୍ତ୍ତନ, ପରମିଟ୍ ଓ ନ୍ୟାସନାଲ ପରମିଟ୍ ସୁବିଧା ମିଳିବ ନାହିଁ ।
ରାଜ୍ୟ ପରିବହନ କମିଶନର ନୋଟିସ୍ ଜାରି କରି ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭିଏଲଟିଡି ଲଗାଇବା ବାଧ୍ୟତାମୂଳକ କରିଛନ୍ତି । ରାସ୍ତାରେ ·ଲୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ଏବଂ ମହିଳା ଓ ଶିଶୁ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକରେ ଏହି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଲଗାଇବାକୁ କୁହାଯାଇଛି । ଗାଡ଼ି ମାଲିକମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଯେକୌଣସି କମ୍ପାନୀର ଭିଏଲଟିଡି ଡିଭାଇସ୍ ଲଗାଇ ପାରିବେ ।
କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଏହି ଡିଭାଇସ୍ ଲଗାଇବା ବାଧ୍ୟତାମୂଳକ । ପୂର୍ବରୁ ରାଜ୍ୟ ସରକାର ଏହି ଅବଧିକୁ ବାରମ୍ବାର ବୃଦ୍ଧି କରି ଆସୁଥିଲେ ।