୧୭ ମୃତ, ୩୨ ଆହତ
ବ୍ଲିଙ୍କନଙ୍କ ୟୁକ୍ରେନ୍ ଗସ୍ତ ବେଳେ ରୁଷ୍ର ହମ୍ଲା
କିବ୍, ୬ା୯: ୟୁକ୍ରେନ୍କୁ ୧ ବିଲିୟନ ଡଲାରର ଅତିରିକ୍ତ ପ୍ରତିରକ୍ଷା ସହାୟତା ଦିଆଯିବ ବୋଲି ଘୋଷଣା କରିବା ପାଇଁ ରାଜଧାନୀ କିବ୍ରେ ପହଞ୍ଚôଥିଲେ ଆମେରିକାର ବିଦେଶ ସଚିବ ଆଣ୍ଟନି ବ୍ଲିଙ୍କନ୍ । ଏହି ସମୟରେ ରୁଷ୍ ୟୁକ୍ରେନ୍ର ପୂର୍ବବର୍ତ୍ତୀ ଏକ ସହରରେ ପ୍ରଚଣ୍ଡ ଗୁଳିଗୋଳା ବର୍ଷଣ କରିବା ଫଳରେ ଅତିକମ୍ରେ ୧୭ ଜଣ ନାଗରିକଙ୍କ ମୃତୁ୍ୟ ହୋଇଛି ଓ ୩୨ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି ।
ୟୁକ୍ରେନ୍ର କୋଷ୍ଟିଆନ୍ଟିନିବ୍କା ସହରରେ ବୁଧବାର ରୁଷୀୟ ସେନା ଘାତକ ହମ୍ଲା କରିଥିଲେ । ପ୍ରଚଣ୍ଡ ସେଲିଂ ଯୋଗୁଁ ସହରର ବିଭିନ୍ନ ସ୍ଥାନ ଧ୍ୱସ୍ତ ହୋଇଛି । ବହୁ କୋଠାବାଡିରେ ନିଆଁ ଲାଗିଛି । ୨୦ଟି ଦୋକାନ ଘର ଧୂଳିସାତ ହୋଇଛି । ସହରରେ ବିଦୁ୍ୟତ୍ ସରବରାହ ବନ୍ଦ ହୋଇଯାଇଛି । କେତେକ ପ୍ରଶାସନିକ ଭବନ ଓ ଗୋଟିଏ ଆପାର୍ଟମେଣ୍ଟ ଭୁଶୁଡି ପଡିଛି । ଏକ ଶାନ୍ତ ସହର ଉପରେ ଏଇ ଯେଉଁ ଆକ୍ରମଣ ହେଲା, ତାହାର ସମୁଚିତ ଜବାବ ଦିଆଯିବ ବୋଲି ୟୁକ୍ରେନ୍ ପ୍ରଧାନମନ୍ତ୍ରୀ ଡେନିସ୍ ସିମହାଲ କହିଛନ୍ତି ।
ବ୍ଲିଙ୍କନ୍ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଦିମିର ଜେଲେନ୍ସ୍କିଙ୍କୁ ଭେଟିବେ । ତା ପୂର୍ବରୁ ସେ ଟ୍ୱିଟ୍ କରି ଲେଖିଛନ୍ତି, ୟୁକ୍ରେନ୍ ପ୍ରତି ଆମେରିକାର ଅତୁଟ ପ୍ରତିବଦ୍ଧତାକୁ ଆହୁରି ମଜଭୂତ କରିବା ପାଇଁ ସେ କିବ୍ ଆସିଛନ୍ତି । ବ୍ଲିଙ୍କନ୍ଙ୍କ ସହ ଆମେରିକାର ବିଦେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କିବ୍ ଗସ୍ତରେ ଆସିଛନ୍ତି ।
ଉଲ୍ଲେଖଯୋଗ୍ୟ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁହିଁ ଆମେରିକା ୟୁକ୍ରେନ୍କୁ ସାମରିକ ଓ ମାନବିକ ସହାୟତା ଯୋଗାଇଆସୁଛି । ଅଗଷ୍ଟ ୨୯ରେ ଆମେରିକା ବିଦେଶ ସଚିବ ୟୁକ୍ରେନ୍ ପାଇଁ ସାମରିକ ସହାୟତା ଘୋଷଣା କରିଥିଲେ । ତା’ର ପରବର୍ତ୍ତୀ ପ୍ୟାକେଜ୍ ଘୋଷଣା ପାଇଁ ଏବେ ବ୍ଲିଙ୍କନ୍ କିବ୍ ଆସିଛନ୍ତି ।