୩ ବର୍ଷ ଝିଅର ତଣ୍ଟି କାଟିଲା ବାପା
ପାରିବାରିକ କଳହର କରୁଣ ପରିଣତି
ବାଲିଅନ୍ତା, ୬ା୯(ଆପ୍ର): ପାରିବାରିକ କଳହକୁ କେନ୍ଦ୍ରକରି ୩ ବର୍ଷର ଝିଅର ବେକକୁ ବ୍ଲେଡ୍ରେ କାଟି ଦେଇଛି ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଳକାଟି ଫାଣ୍ଡି ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଝିଅକୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ନ ସୁଧୁରିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ବାପା ଗଣେଶକୁ ଅଟକ ରଖିଛି ।
ମୟୂରଭଞ୍ଜ ଜିଲ୍ଲାର ଗଣେଶ ସିଂ ଓ ପାନ ସିଂ ବାଳକାଟି ଫାଣ୍ଡି ସାତକାଣିଆ ସ୍ଥିତ ଶକ୍ତି ଇଟାଭାଟିରେ ଶ୍ରମିକ ଭାବେ କାମ କରନ୍ତି । ତାଙ୍କର ଗୋଟିଏ ୨ ବର୍ଷର ପୁଅ ଓ ୩ ବର୍ଷର ବିକଳାଙ୍ଗ ଝିଅ ଅଛନ୍ତି । ସେମାନେ ପରିବାର ସହ ବାଳକାଟି-ଝିଣ୍ଟିଶାସନ ଭାର୍ଗବୀ ନଦୀବନ୍ଧ ପାଶ୍ୱର୍ରେ କୁଡ଼ିଆ ଘର କରି ରହୁଥିଲେ । ଝିଅ ସୁମିତ୍ରାଙ୍କ ଶରୀର ଅସୁସ୍ଥତା କାରଣରୁ ଆଜି ତାର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତେ । ଏହି ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଭୀଷଣ ପାଟିତୁଣ୍ଡ ହୋଇଥିଲା । ପରେ ସ୍ତ୍ରୀ ପାନ ପୁଅକୁ ଧରି ଭାଟିକୁ କାମ କରିବାକୁ ଯାଇଥିବା ବେଳେ ସ୍ୱାମୀ ଗଣେଶ ଝିଅ ପାଖରେ ରହିଥିଲା । ପୂର୍ବାହ୍ନ ପ୍ରାୟ ୧୧ ଟାରେ ଏକ ବ୍ଲେଡରେ ଝିଅର ବେକକୁ କାଟି ଦେଇଥିଲା । ଝିଅର ଚିକ୍ରାର ଶୁଣି ତାଙ୍କ ଅଜା, ଆଈ ସେଠାକୁ ଆସିବାରୁ ଗଣେଶ ସେଠାରୁ ପଳାଇଥିଲା । ପରେ ମା’ ପାନ ଖବରପାଇ ଗୁରୁତର ଅବସ୍ଥାରେ ଝିଅକୁ ଧରି ସ୍ଥାନୀୟ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।