ଅଷ୍ଟ୍ରେଲିଆରେ ପଢ଼ିବେ ୫ ବି-ଟେକ୍ ଛାତ୍ରଛାତ୍ରୀ
ଭୁବନେଶ୍ୱର/କେନ୍ଦୁଝର, ୫ା୯(ବୁ୍ୟରୋ/ଆପ୍ର)): କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସବ ବିଟେକ୍୍ ପାସ୍ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ । ସେମାନେ ସୁନାମଧନ୍ୟ କର୍ଟିନ୍ ବିଶ୍ୱ ବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂର ଉଚ୍ଚଶିକ୍ଷାଲାଭ କରିବାର ସୁଯୋଗ ପାଇବେ । ସେମାନଙ୍କ ପାଠ ପଢ଼ା, ରହଣି ଏବଂ ଯାତାୟାତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ । ଏହି ୫ଜଣ ଛାତ୍ରଛାତ୍ରୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।
କେନ୍ଦୁଝର ଜିଲ୍ଲାରୁ ଯାଇ କର୍ଟିନ ବିଶ୍ୱବିଦ୍ୟାଳୟର ୱେଷ୍ଟ୍ ଅଷ୍ଟ୍ରେଲିଆନ ସ୍କୁଲ ଅଫ୍ ମାଇନ୍ସ, ମିନେରାଲ୍ସ ଏନର୍ଜି ଆଣ୍ଡ୍ କେମିକାଲ ଇଞ୍ଜିନିୟରିଂ (ଡବ୍ଲ୍ୟୁଏଏସ୍ଏମ୍: ଏମ୍ଇସିଇ) ରେ ଉଚ୍ଚଶିକ୍ଷା ଲାଭ କରିବା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସାଙ୍ଗକୁ କଠିନ ପରିଶ୍ରମ କରି ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ । ପ୍ରକାଶ ଯେ କର୍ଟିନ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉଦ୍ୟୋଗଗୁଡ଼ିକ ସହ ସମ୍ପର୍କ, ଉଚ୍ଚ-ପ୍ରଭାବ ଅନୁସନ୍ଧାନ ଏବଂ ନବୀନ ପାଠ୍ୟକ୍ମର ବିସ୍ତୃତ ଶୃଙ୍ଖଳା ପାଇଁ ବିଶ୍ୱରେ ପରିଚିତ । ଏହି ଶିକ୍ଷାନୁଷ୍ଠାନ ଲଗାତାର ୭ ବର୍ଷ ଧରି ମିନେରାଲ ଏବଂ ମାଇନିଂ ଇଞ୍ଜିନୟରିଂ ଶିକ୍ଷାଦାନ କ୍ଷେତ୍ରରେ କ୍ୟୁଏସ୍ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଦ୍ୱିତୀୟ ସ୍ଥାନ ଅଧିକାର କରୁଛି ।
ଯେଉଁ ୫ ଜଣ ଛାତ୍ରଛାତ୍ରୀ ମନୋନିତ ହୋଇଛନ୍ତିି ସେମାନେ ହେଲେ ମିନର୍ଭା ସାହୁ, ଅଦ୍ୱିକ କୁମାର, ଆକିବ୍ ମହମ୍ମଦ, ଗିତିଶ ଶେଖର ନାୟକ ଓ ସରୋଜ କୁମାର ବିଶ୍ୱକର୍ମା । ସମସ୍ତେ ପ୍ରଫେସନାଲ ମାଇନିଂ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପାଇଁ ଅଷ୍ଟ୍ରେଲିଆ ଯିବେ । ଏଥିପାଇଁ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ ଅଫ୍ ମାଇନ୍ସ ସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ବୁଝାମଣା ହୋଇଛି । ପର୍ଥ ଏବଂ ପଶ୍ଚିମ ଅଷ୍ଟ୍ରେଲିଆର ଐତିହାସିକ ଖଣି ସହର କଲଗୁର୍ଲିରେ ଏହାର କ୍ୟାମ୍ପସ ରହିଛି । ଯେଉଁଠାରେ ଖଣି ଭିତ୍ତିକ ଗବେଷଣାର ପର୍ଯ୍ୟାପ୍ତ ସୁଯୋଗ ରହିଛି । ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିୟୋଜନ କରିବାରେ ଏହି ସ୍କୁଲର ଭଲ ଟ୍ରାକ ରେକର୍ଡ ମଧ୍ୟ ରହିଛି ।
କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ୱେଷ୍ଟ ଅଷ୍ଟ୍ରେଲିଆନ୍ ସ୍କୁଲ ଅଫ୍ ମାଇନ୍ସ ମଧ୍ୟରେ ହୋଇଥିବା ବୁଝାମଣାରେ ମହତ ଉଦେ୍ଦଶ୍ୟ ରହିଛି । କେନ୍ଦୁଝର ଏକ ଜନଜାତି ବହୁଳ ଜିଲ୍ଲା ଓ ଖଣିଜ ସମ୍ପଦର ଭଲ ଉପସ୍ଥିତି ମଧ୍ୟ ରହିଛି । ଏଣୁ ଜିଲ୍ଲାର ଶୈକ୍ଷିତ ବାତାବରଣକୁ ଉତ୍କୃଷ୍ଟ କରିବା ଓ ଯୁବପିଢିଙ୍କ ସଶକ୍ତ କରିବା ନିମିତ୍ତ ଜିଲ୍ଲା ପ୍ରଶାସନକୁ ସୁଯୋଗ ମିଳିଛି । ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ କରାଇ ଭବିଷ୍ୟତରେ ନିଜ ଅଂଚଳର ବିକାଶରେ ନିୟୋଜନ କରାଇବା ଏବଂ ନେତୃତ୍ୱ ନେବାର ସୁଯୋଗ ଦେବା ହେଉଛି ଜିଲ୍ଲା ପ୍ରଶାସନର ମୂଳ ଉଦେ୍ଦଶ୍ୟ । ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ ସମୟରେ ୫-ଟି ସଚିବ ଭିକେ ପାଣ୍ଡିଆନ ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ଉପସ୍ଥିତ ଥିଲେ ।