ଇଣ୍ଡିଆ ବଦଳରେ ଭାରତ

ନୂଆଦିଲ୍ଲୀ, ୫ା୯: ଜି-୨୦ ବୈଠକକୁ ନେଇ ସାରା ଦେଶରେ ଉକ୍ରଣ୍ଠା ସୃଷ୍ଟି ହୋଇଥିବାବେଳେ ରାଷ୍ଟ୍ରପତିଙ୍କ ନୈଶ ଭୋଜି ନିମନ୍ତ୍ରଣପତ୍ରକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି । ଆସନ୍ତା ୯ ଓ ୧୦ ଦୁଇଦିନ ଧରି ପ୍ରଗତି ମୈଦାନର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ହେଉଛି ଜି-୨୦ ଶୀର୍ଷ ସମ୍ମିଳନୀ । ୯ ତାରିଖରେ ଜି-୨୦ ରାଷ୍ଟ୍ରର ମୁଖ୍ୟମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୈଶଭୋଜି ଆୟୋଜନ କରିଛନ୍ତି । ଏଥିପାଇଁ ସେ ନିମନ୍ତ୍ରଣପତ୍ର ରାଷ୍ଟ୍ରମୁଖ୍ୟ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି । ଏଥିରେ ‘ଦ ପ୍ରେସିଡେଣ୍ଟ୍ ଅଫ୍ ଭାରତ’ ଲେଖାଯାଇଛି । ଯାହାକୁ ନେଇ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ବାକ୍ୟୁଦ୍ଧ ଚାଲିଛି । ବିରୋଧୀ ଦଳର ନେତୃବୃନ୍ଦ ରାଜନୈତିକ ଉଦେ୍ଦଶ୍ୟ ରଖି ବିଜେପି ନେତୃବୃନ୍ଦ ଦେଶର ନାମ ପରିବର୍ତ୍ତନ କରିଥିବା ଅଭିଯୋଗ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ ଭାରତ ନାମକୁ ବିରୋଧୀ ଦଳ ଭୟ କରୁଛନ୍ତି ।
ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣପତ୍ରରେ ଭାରତ ଲେଖାଯାଇଛି । ଉକ୍ତ ନିମନ୍ତ୍ରମଣପତ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ପ୍ରମୁଖଙ୍କ ନିକଟକୁ ପଠାଯାଇଛି । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ଭାରତ ଲେଖାଯାଇଥିବାରୁ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଦେଶର ନାମ ପରିବର୍ତ୍ତନ ନେଇ ବିଧେୟକ ଆଗତ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ବିବାଦ ଘନେଇବାରୁ ବିଜେପି ନେତାମାନେ ଆତ୍ମପକ୍ଷ ସମର୍ଥନ କରି କହିଛନ୍ତି, ସମ୍ବିଧାନର ଧାରା ୧ରେ ଇଣ୍ଡିଆ, ଯାହାକି ଭାରତ ଗୋଟିଏ ଦେଶ ବୋଲି ଦର୍ଶାଯାଇଛି । ତେଣୁ ନାମ ପରିବର୍ତ୍ତନ କିଛି ଭୁଲ୍ ନୁହେଁ । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ଏନ୍ଡିଏ ସରକାର ସମ୍ବିଧାନକୁ ଏଡାଇଯାଉଛନ୍ତି । ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’କୁ ପ୍ରଭାବଶୂନ୍ୟ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଖଡ୍ଗେଙ୍କ ବାସଭବନରେ ଏକାଠି ହୋଇ ପରବର୍ତ୍ତୀ ରଣକୌଶଳ ନିର୍ଦ୍ଧାରଣ କରିଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଏକ୍ସ’ ହ୍ୟାଣ୍ଡଲରେ ସରକାରଙ୍କୁ କଟୂ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଭବନରୁ ପଠାଯାଇଥିବା ଚିଠି ଦେଶର ନାମ ପରିବର୍ତ୍ତନ କରାଯିବା ସମ୍ବିଧାନ ପ୍ରତି ଅସମ୍ମାନ । ବିଜେପି ପକ୍ଷରୁ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ନୁ୍ୟ ଇଣ୍ଡିଆ ଭଳି ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଚିଠିରେ ଭାରତ ଲେଖାଯିବା ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଇତିହାସକୁ ଧ୍ୱଂସ କରିଦେବା ସହ ଦେଶ ବିଭାଜନ ପାଇଁ ଉଦ୍ୟମ କରିଛନ୍ତି । କଂଗ୍ରେସ ନେତା କେସି ବେନୁଗୋପାଳ ମଧ୍ୟ ଏହା ବିଜେପିର ବିଧ୍ୱଂସକାରୀ ମାନସିକତାର ପରିଚାୟକ ବୋଲି କହିଛନ୍ତି । ଏନ୍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଦେଶର ନାମ ପରିବର୍ତ୍ତନ କରିବା ଲାଗି କେହି ଅଧିକାରପ୍ରାପ୍ତ ହୋଇନାହାନ୍ତି । କଂଗ୍ରେସ ନେତା ଶଶି ଥରୁର, ଆର୍ଜେଡି ନେତା ମନୋଜ ଝା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ନାମ ପରିବର୍ତ୍ତନ ଚିଠି ବିରୋଧ କରିଛନ୍ତି ।
ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଇଣ୍ଡିଆ ନାମ ବିଦେଶୀମାନେ ଦେଇଥିଲେ । ଭାରତ କରାଯିବାରେ କିଛି ତ୍ରୁଟି ନାହିଁ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମିଳିଥିବା ନିମନ୍ତ୍ରଣପତ୍ରକୁ ଦର୍ଶାଇ ‘ଜନ ଗଣ ମନ ଅଧିନାୟକ ଜୟ ହେ’ ବୋଲି ଉଲ୍ଲେଖ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ରାଷ୍ଟ୍ରପତିଙ୍କ ଚିଠିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *