‘ଇଣ୍ଡିଆ’ ପାଇଁ ପ୍ରଥମ ପରୀକ୍ଷା
୭ ବିଧାନସଭା ଆସନରେ ଉପନିର୍ବାଚନ
ନୂଆଦିଲ୍ଲୀ, ୫ା୯: ଚଳିତ ବର୍ଷ ଶେଷରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ କରାଯିବ । ଏହାପୂର୍ବରୁ ମଙ୍ଗଳବାର ୬ ରାଜ୍ୟରେ ଖାଲିପଡିଥିବା ୭ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ୨୮ ବିରୋଧୀ ଦଳଙ୍କୁ ନେଇ ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରେ ଏହା ପ୍ରଥମ ନିର୍ବାଚନ । ଆସନ୍ତା ୮ ତାରିଖରେ ଭୋଟ୍ ଗଣତି କରାଯିବ । ତେବେ ଉପନିର୍ବାଚନକୁ ଇଣ୍ଡିଆ ମେଣ୍ଟର ପ୍ରଥମ ପରୀକ୍ଷା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଇଣ୍ଡିଆ ମେଣ୍ଟ ଗଠନ ନେଇ ବିଧିବଦ୍ଧ ଘୋଷଣା ପରଠାରୁ ରାଜନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ମେଣ୍ଟର ନେତୃବୃନ୍ଦ ସମନ୍ୱୟ କମିଟି ଓ ଅନ୍ୟାନ୍ୟ କମିଟି ଗଠନ କରିଛନ୍ତି । ‘ଇଣ୍ଡିଆ’ ନାମକୁ ନେଇ ବିବାଦ ଜାରି ରହିଛି । ବିଜେପି ଓ ଇଣ୍ଡିଆ ମେଣ୍ଟର ନେତୃବୃନ୍ଦଙ୍କ ମଧ୍ୟରେ ବାକ୍ୟୁଦ୍ଧ ଲାଗି ରହିଛି । ମେଣ୍ଟ ଗଠନ ହେବା ପରେ ପରେ ଉପନିର୍ବାଚନ ହୋଇଥିବାରୁ ମତଦାତାଙ୍କ ଉପରେ ଏହାର ପ୍ରଭାବ କେତେ ପଡିବ ତାହା ଭୋଟ୍ ଗଣତି ପରେ ଜଣାପଡିବ । ସେହିପରି ଶାସକ ବିଜେପିର ଲୋକପ୍ରିୟତା ମଧ୍ୟ ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ ।
ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଘୋଷି, ପଶ୍ଚିମବଙ୍ଗର ଧୂପଗୁରି, କେରଳର ପୁଥୁପାଲୀ, ଉତ୍ତରାଖଣ୍ଡର ବାଗେଶ୍ୱର, ଝାଡଖଣ୍ଡର ଦୁମରୀ ଓ ବକ୍ସାନଗର ଏବଂ ତ୍ରିପୁରାର ଧନପୁର ଆସନରେ ମତଦାନ ଅନୁଷ୍ଠିତ ହୋଇଛି । ମତଦାନ ହାର ପ୍ରାୟ ୬୦ ପ୍ରତିଶତରୁ ଅଧିକ ରହିଛି । ଅଧିକାଂଶ ଆସନରେ ବିରୋଧୀ ଦଳ ବିଧାୟକ ଥିଲେ । ଉପନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ଜିତିବେ ବୋଲି ଇଣ୍ଡିଆ ମେଣ୍ଟ ପକ୍ଷରୁ କୁହାଯାଇଛି ।
କେରଳର ପୁଥୁପଲୀରୁ କଂଗ୍ରେସ ଭେଟେରାନ୍ ଉମେନ୍ ଚାଣ୍ଡି ପ୍ରତିନିଧିତ୍ୱ କରୁଥିଲେ ।
ତାଙ୍କ ମୃତୁ୍ୟପରେ ଉକ୍ତ ଆସନ ଖାଲିପଡିଥିଲା । ଏଠାରେ କଂଗ୍ରେସ ନେତୃତ୍ୱାଧୀନ ସାମ୍ମୁଖ୍ୟ ପ୍ରାର୍ଥୀ ତଥା ଚାଣ୍ଡିଙ୍କ ପୁଅ ଚାଣ୍ଡି ଉମେନ୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କ ବିରୋଧରେ ସିପିଏମ୍ର ଜେସି ଥୋମାସ ପ୍ରାର୍ଥୀ ହୋଇଛନ୍ତି । ବାଗେଶ୍ୱରରେ ଦିବଂଗତ ବିଧାୟକ ଚନ୍ଦନରାମ ଦଶାଙ୍କ ପନôୀ ପାର୍ବତୀ ଏବଂ କଂଗ୍ରେସର ବସନ୍ତ କୁମାର ଓ ସମାଜବାଦୀ ପାର୍ଟିର ଭଗତ ପ୍ରସାଦଙ୍କ ମଧ୍ୟରେ ମୁକାବିଲା ହେଉଛି । ବକ୍ସାନଗରରେ ବାମସମ୍ମୁଖ୍ୟ ବିଧାୟକ ସାମସୁଲ ହକ୍ଙ୍କ ମୃତୁ୍ୟ ପରେ ଉପନିର୍ବାଚନ ହେଉଛି । ଧନପୁରରେ ବିଜେପି ବିଧାୟିକା ପ୍ରତିମା ଭୌମିକ ଇସ୍ତଫା ଦେଇଥିଲେ । ସେଠାରେ ବିଜେପି ପକ୍ଷରୁ ତାଙ୍କ ଭାଇ ବିନ୍ଦୁ ଦେବନାଥ ଓ ସିପିଏମ୍ର କୌଶିକ୍ ଚନ୍ଦା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଘୋଷିରେ ବିଜେପି ପ୍ରାର୍ଥୀ ଦାରା ସିଂହ ଓ କଂଗ୍ରେସର ସୁଧାରକର ସିଂହଙ୍କ ମଧ୍ୟରେ ଲଢେଇ ହେଉଛି । ଦୁମ୍ରୀରେ ଜେଏମ୍ଏମ୍ର ବେବି ଦେବୀ ଇଣ୍ଡିଆ ବ୍ୟାନରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ତାଙ୍କ ବିରୋଧରେ ଏନ୍ଡିଏର ଯଶୋଦା ଦେବୀ ଏବଂ ଏଆଇଏମ୍ଆଇଏମ୍ର ଅବଦୁଲ ରିଜ୍ଭୀ ପ୍ରାର୍ଥୀ ହୋଇଛନ୍ତି । ଧୂପଗୁରିରେ ବିଜେପିର ତପସୀ ରାୟ ଏବଂ ସିପିଏମ୍ର ଈଶ୍ୱର ରାୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।